Home Infrastructure ସଡକ ପାଣ୍ଠି ଖର୍ଚ୍ଚରେ କେନ୍ଦ୍ର ସନ୍ତୁଷ୍ଟ

ସଡକ ପାଣ୍ଠି ଖର୍ଚ୍ଚରେ କେନ୍ଦ୍ର ସନ୍ତୁଷ୍ଟ

ଭୁବନେଶ୍ୱର : କେନ୍ଦ୍ରୀୟ ସଡକ ପାଣ୍ଠି ବ୍ୟୟ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନକୁ ନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସଡକଗୁଡିକର ବିକାଶ ଓ ରକ୍ଷଣା ବେକ୍ଷଣ ନେଇ କେନ୍ଦ୍ର ସରକାର ଅଧିକରୁ ଅଧିକ ପାଣ୍ଠି ଯୋଗାଉଥିବାବେଳେ ଓଡିଶା ସରକାର ସେହି ପାଣ୍ଠିକୁ ବହୁଳ ଭାବେ ବ୍ୟୟ କରିବାରେ ସଫଳ ହୋଇଛନ୍ତି ।

କେନ୍ଦ୍ରୀୟ ସଡକ ପାଣ୍ଠି ବ୍ୟୟ ନେଇ ହୋଇଥିବା ସର୍ବଶେଷ ହିସାବରୁ ଜଣାପଡିଛି ଯେ ଦେଶର କେତେକ ରାଜ୍ୟ ଏହି ପାଣ୍ଠି ଖର୍ଚ୍ଚ କ୍ଷେତ୍ରରେ ପଛରେ ପଡିଥିବାବେଳେ ଓଡିଶା କିନ୍ତୁ ସଡକ ଭିତ୍ତିଭୂମି ବିକାଶକୁ ଅଗ୍ରାଧିକାର ଦେଇ ପାଇଥିବା ଅର୍ଥର ସିଂହଭାଗ ଖର୍ଚ୍ଚକରି ପାରିଛି । ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାର ଏହିସବୁ ସଡକର ବିକାଶ ଓ ରକ୍ଷଣାବେକ୍ଷଣର ନିୟମିତ ଅନୁଧ୍ୟାନ କରୁଥିବାବେଳେ କେନ୍ଦ୍ରରୁ ମିଳୁଥିବା ଅର୍ଥକୁ ଅଗ୍ରାଧିକାର ଭିତ୍ତିରେ ବ୍ୟୟ ପାଇଁ ରାଜ୍ୟ ପ୍ରଶାସନ ପ୍ରାଥମିକତା ଦେଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପ୍ରତିବର୍ଷ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଏହି ଅର୍ଥ ଯୋଗାଇଥାନ୍ତି । ଅର୍ଥ ବ୍ୟୟ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ମନ୍ତ୍ରାଳୟ ରିପୋର୍ଟରେ ସନ୍ତୋଷଜନକ ରହିଛି । ଏହି ପାଣ୍ଠି ଉଭୟ କେନ୍ଦ୍ର ସଡକ ଏବଂ ଭିତ୍ତିଭୂମି ପାଣ୍ଠି (ସିଆରଆଇଏଫ୍‍) ଏବଂ ଆର୍ଥିକ ଗୁରୁତ୍ୱପୂର୍ଣ୍ଣ ଏବଂ ଆନ୍ତଃ ସଂଯୋଗ (ଇଆଇଆଇଏସ୍‍ସି) ଯୋଜନା ଜରିଆରେ ମିଳୁଥିବାବେଳେ ଅଧିକ ଅର୍ଥ ସିଆରଆଇଏଫ୍‍ ରେ ଓଡିଶାକୁ ମିଳିଛି ।

ବିଗତ ୪ବର୍ଷ ମଧ୍ୟରେ କେନ୍ଦ୍ର ସଡକ ଓ ରାଜପଥ ମନ୍ତ୍ରାଳୟ ଓଡିଶାକୁ ୧୦୦୦ କୋଟି ଟଙ୍କା ଯୋଗାଇଥିବାବେଳେ ଏହି ଅର୍ଥ ବ୍ୟୟ ଅତ୍ୟନ୍ତ ଉତ୍ସାହଜନକ ରହିଛି । ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ୪ମାସ ବାକି ଥିବାବେଳେ ରାଜ୍ୟ ସରକାର ଅଧିକରୁ ଅଧିକ କେନ୍ଦ୍ରୀୟ ପାଣ୍ଠି ବ୍ୟୟ କରିବେ ବୋଲି ଆଶା କରାଯାଉଛି ।

ରାଜ୍ୟର ଭୌଗଳିକ ସ୍ଥିତି ଓ ତୈଳ ବ୍ୟବହାରକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସଡକ ପାଣ୍ଠି ମଞ୍ଜୁର ହୋଇଥାଏ । ସେହିଭଳି ପ୍ରକଳ୍ପ କାର୍ଯ୍ୟକାରୀତାକୁ ନେଇ କେନ୍ଦ୍ରରୁ ଅଧିକ ଅର୍ଥ ମିଳିବାର ସମ୍ଭାବନା ରହିଥିବା ଜଣେ ଅଧିକାରୀ କହିଛନ୍ତି । ବିହାର ଏବଂ ମଧ୍ୟପ୍ରଦେଶରେ କେନ୍ଦ୍ରୀୟ ସଡକ ପାଣ୍ଠି ବ୍ୟୟ ନୈରାଶ୍ୟଜନକ ଥିବା ମନ୍ତ୍ରାଳୟ ରିପୋର୍ଟରୁ ଜଣାଯାଇଛି । ନିମ୍ନମାନର ସଡକ ନିର୍ମାଣ ପାଇଁ ବିହାରକୁ ମିଳିବାକୁ ଥିବା ପାଣ୍ଠି ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ଅନୁରୂପ ଭାବେ ମଧ୍ୟପ୍ରଦେଶରେ ଦେଇଥିବା ତ୍ରୁଟିକୁ ସୁଧାରିବାକୁ କୁହାଯାଇଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here