Home General ସଡକ ଦୁର୍ଘଟଣା ୧୫ହଜାରରୁ ଅଧିକ ମୃତ

ସଡକ ଦୁର୍ଘଟଣା ୧୫ହଜାରରୁ ଅଧିକ ମୃତ

ଭୁବନେଶ୍ୱର : ରାଜ୍ୟରେ ସଡକ ଦୁର୍ଘଟଣାରେ ଗତ ୩ବର୍ଷ ମଧ୍ୟରେ ୧୫,୩୮୬ଜଣ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୨୦୧୯ ମସିହାରେ ସର୍ବାଧିକ ୫୩୩୩ ଜଣ ମରିଛନ୍ତି ।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୮ ମସିହାରେ ୫୩୧୫ଜଣ ବ୍ୟକ୍ତି ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ୫୩୩୩ ଥିଲା । ୨୦୨୦ରେ ୪୭୩୮ ଜଣ ବ୍ୟକ୍ତି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ତେବେ ଦୁର୍ଘଟଣା ରୋକିବା ପାଇଁ ପରିବହନ ବିଭାଗ ଦ୍ରୁତଗତିରେ ଓ ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକମାନଙ୍କୁ ଦଣ୍ଡିତ କରିବା ଲାଗି ୩୭ଟି ଇଣ୍ଟରସେକ୍ଟର ଜେନେର ରାଜପଥରେ ମୁତୟନ କରିଛି । ଏଥିସହିତ ବର୍ଷତମାମ ଦ୍ରୁତଗତି ତଥା ଅନ୍ୟାନ୍ୟ ମୋଟରଯାନ ଆଇନ ଉଲ୍ଲଂଘନକାରୀଙ୍କୁ ଧରପଗଡ କରି ଦଣ୍ଡ ଦିଆଯାଉଛି ।

ଖୋର୍ଦ୍ଧାଠାରୁ ଚଣ୍ଡିଖୋଲ ଓ ଭୁବନେଶ୍ୱରରୁ ପୁରୀ ଜାତୀୟ ରାଜପଥର କିଛି ଅଂଶରେ ଦୁର୍ଘଟଣା ରୋକିବା ପାଇଁ ସୌରଚାଳିତ ବ୍ଲିଙ୍କର ଲଗାଯାଇଛି । ସଡକ ଦୁର୍ଘଟଣାର ଅନ୍ୟତମ କାରଣ ଧାର୍ଯ୍ୟ କ୍ଷମତାରୁ ଅଧିକ ମାଲ ପରିବହନ ହେଉଥିବା ବେଳେ ଏହାର କଡାକଡି ଯାଞ୍ଚ କରାଯାଉଛି । (ତଥ୍ୟ)