Home Education ସକାଳୁଆ ସ୍କୁଲରେ ପଢିବାକୁ ବେଳ ନାହିଁ

ସକାଳୁଆ ସ୍କୁଲରେ ପଢିବାକୁ ବେଳ ନାହିଁ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ଏବେ ସରକାରୀ ସ୍କୁଲଗୁଡିକ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ଖୋଲୁଛି । ତେବେ ଏହି ସମୟରେ ପାଠ ପଢିବାପାଇଁ ଅଳ୍ପ ସମୟ ମିଳୁଛି ।

ଲକ୍ଷ୍ୟ କରାଯାଉଛି ଯେ ସକାଳ ୬ରୁ ସ୍କୁଲ ଖୋଲିବା ସମୟ ହୋଇଥିଲେ ମଧ୍ୟ ବାସ୍ତବରେ ପିଲାମାନେ ୬.୩୦ରୁ ୭ଟା ମଧ୍ୟରେ ଆସି ପହଞ୍ଚୁଛନ୍ତି । ପିଲାମାନେ ଶ୍ରେଣୀରେ ବସି ପାଠପଢା ଆରମ୍ଭ ବେଳକୁ ପ୍ରାୟତଃ ୭ଟା ହୋଇଯାଉଛି । ଏହାପରେ ସାଢେ ଆଠଟା ସମୟ ବେଳକୁ ମଧ୍ୟାହ୍ନଭୋଜନ ପାଇଁ ପ୍ରସ୍ତୁତ ଆରମ୍ଭ ହେଉଛି । ପିଲାମାନେ ଖାଇ ପିଇ ୯ଟା ବେଳକୁ ଘରକୁ ଯାଉଛି । କିଛି ପିଲା ବିଦ୍ୟାଳୟରେ ଖାଉଥିବାବେଳେ ଆଉ କିଛି ଖାଇବା ସମୟ ହୋଇନଥିବାରୁ ସାଙ୍ଗରେ ଖାଦ୍ୟ ଧରି ଘରକୁ ଯାଉଛନ୍ତି ।

ତେବେ ଅତିବେଶିରେ ଦେଢ ଘଣ୍ଟା ସମୟ ମଧ୍ୟରେ ପିଲାଙ୍କୁ ପୁରୁଣା ପାଠ ପଢାଇବା ବି କାଠିକର ପାଠ ହୋଇଛି । କାରଣ ସ୍ୱତନ୍ତ୍ର ଭାବେ ପଢାଯିବାକୁ ଥିବା ଏହି ପାଠ ପାଇଁ ସରକାର ପୁସ୍ତକ ଯୋଗାଇ ଦେବାର ଥିଲା । ତୃତୀୟ ଶ୍ରେଣୀ ପାଇଁ ସାହିତ୍ୟ ଓ ଗଣିତ, ଚତୁର୍ଥରୁ ପଞ୍ଚମଶ୍ରେଣୀ ପିଲାଙ୍କ ପାଇଁ ସାହିତ୍ୟ, ଗଣିତ ସହିତ ଇଂରାଜୀ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ ସାହିତ୍ୟ, ଗଣିତ, ଇଂରାଜୀ ସହିତ ବିଜ୍ଞାନ ପୁସ୍ତକ ଦିଆଯିବା କଥା ।

ହେଲେ ଇତି ମଧ୍ୟରେ ସକାଳୁଆ ସ୍କୁଲ ଚାଲିଥିଲେ ମଧ୍ୟ ପାଠ୍ୟପୁସ୍ତକର ଦେଖାଦର୍ଶନ ନାହିଁ । ବହି ବଦଳରେ ବିଭାଗ ପକ୍ଷରୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମୋବାଇଲକୁ ଏହି ବହିର ସଫ୍ଟ କପି ପିଡିଏଫ୍‍ ହୋଇ ପଠାଯାଇଛି । ତେବେ ଏହି ପିଡିଏଫ୍‍କୁ ମୋବାଇଲରେ ଦେଖି ଛୋଟ ଛୋଟ ପିଲାଙ୍କୁ କିଭଳି ଶିକ୍ଷକ ଶିକ୍ଷୟତ୍ରୀମାନେ ପଢାଇବେ ତାହାକୁ ନେଇ ଚିନ୍ତାରେ ପଡିଛନ୍ତି । କିଛି ଶିକ୍ଷକ ଶିକ୍ଷୟତ୍ରୀ ପ୍ରଦାନ କରାଯାଇଥିବା ଶିକ୍ଷା କ୍ୟାଲେଣ୍ଡରକୁ ଦେଖି ପଢାଉଥିବାବେଳେ ଆଉ କିଛି ମୋବାଇଲ ଦେଖି କାମ ଚଳାଇ ନେଉଛନ୍ତି । ସରକାର କେବେ ବହି ପଠାଇବେ ତାହାକୁ ଚାହିଁ ରହିଛନ୍ତି ।

ପୂର୍ବ ଘୋଷଣା ଅନୁଯାୟୀ ଜୁନ୍‍ ୬ତାରିଖରୁ ବିଦ୍ୟାଳୟରେ ଖରାଛୁଟି ହେବ ବୋଲି ସରକାର ଘୋଷଣା କରିଛନ୍ତି । ଇତି ମଧ୍ୟରେ ଜୁନ୍‍ ବଦଳରେ ମଇ ମାସରେ ଖରାଛୁଟି କରିବାକୁ କିଛି ଶିକ୍ଷକ ଶିକ୍ଷୟତ୍ରୀ ମତ ଦେଉଛନ୍ତି । ତେବେ ସକାଳୁଆ ସ୍କୁଲରେ ପାଠ ପଢା ବଦଳରେ ଅଧିକାଂଶ ସମୟରେ ଯିବା ଆସିବା ଓ ଖିଆପିଆ ବିତୁଥିବା ଲକ୍ଷ୍ୟ କରାଯାଉଛି । ବିଶେଷକରି ଗାଁ ଗହଳର ବିଦ୍ୟାଳୟରେ ଅଧିକାଂଶ ସ୍ଥାନରେ ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ଶିକ୍ଷୟତ୍ରୀ ଧାର୍ଯ୍ୟ ସମୟରେ ପହଞ୍ଚି ପାରୁନଥିବାବେଳେ ସକାଳ ୯ଟାରେ କିନ୍ତୁ ସ୍କୁଲ ଛୁଟି କରିବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)