Home News in Odia ସଂରକ୍ଷଣ ପାଇଁ ଦୋଷ ଲଦା ଲଦି

ସଂରକ୍ଷଣ ପାଇଁ ଦୋଷ ଲଦା ଲଦି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ତାରିଖ ପାଖେଇ ଆସୁଥିବାବେଳେ ଏବେ ଆସନ ସଂରକ୍ଷଣକୁ ନେଇ ଦୋଷ ଲଦାଲଦି ଜୋରଦାର ଚାଲିଛି । ସ୍ଥାନୀୟ ନେତାମାନେ ପରସ୍ପର ଉପରକୁ ଦୋଷ ଠେଲି ଲୋକଙ୍କ ରୋଷରୁ ବର୍ତ୍ତିବାକୁ ଆପ୍ରାଣ୍ୟ ଉଦ୍ୟମ ଚଳାଇଛନ୍ତି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମେ ପ୍ରକାଶ ପାଇଥିବା ଆସନ ସଂରକ୍ଷଣ ତାଲିକା ମାମଲା ଅଦାଲତକୁ ଯିବାପରେ ଏହାର ସାନି ପ୍ରକାଶନ ପାଇଁ ସରକାର ଅଦାଲତଙ୍କୁ ଜଣାଇଥିଲେ । ଏଥି ସହିତ ଅଦାଲତଙ୍କ ନିର୍ଦ୍ଦେଶ ଯୋଗୁଁ ଚଳିତ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ବ୍ୟବସ୍ଥା ବି ହଟିଯାଇଛି । ତେଣୁ ଲୋକଙ୍କ ଅବଗତି ପାଇଁ ଗତମାସ ୨୭ତାରିଖରେ ଯେଉଁ ଚିଠା ତାଲିକା ପ୍ରକାଶ ପାଇଛି ସେଥିରେ ପ୍ରଥମ ତାଲିକା ତୁଳନାରେ ବ୍ୟାପକ ପରିବର୍ତ୍ତନ ହୋଇଛି ।

ତେବେ ପ୍ରଥମ ତାଲିକା ପ୍ରକାଶ ପରେ ବ୍ୟାପକ ଅର୍ଥ ଶ୍ରାଦ୍ଧରେ ଯେଉଁମାନେ ପୋଷ୍ଟର ବ୍ୟାନର ମାରିବା ସହିତ ଭୋଜିଭାତ କରିଥିଲେ ସେମାନଙ୍କ ମଧ୍ୟରୁ ଅନେକ ଆଶାୟୀ ହତାଶ ହୋଇପଡିଛନ୍ତି । ଓବିସିଙ୍କ ପାଇଁ ସଂରକ୍ଷିତ ଥିବା ଆସନ ଅନେକ ସ୍ଥାନରେ ସାଧାରଣବର୍ଗଙ୍କ ପାଇଁ ହୋଇଥିବାବେଳେ ଆଉ କେତେକ ସ୍ଥାନରେ ଅନୁସୂଚିତ ଜାତିଙ୍କ ପାଇଁ ହୋଇଛି । ସେହିଭଳି କେତେକ ସ୍ଥାନରେ ଅନୁସୂଚିତ ଜନଜାତି ବହୁଳ ଅଞ୍ଚଳରେ କିଛି ଆସନରେ ପରିବର୍ତ୍ତନ ହୋଇ ସାଧାରଣବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଯାଇଛି ।

ଏହାକୁ ନେଇ ଆଶାୟୀମାନେ ଘୋର ଅସନ୍ତୋଷ ପ୍ରକାଶ କରିବା ସହିତ ଏଥିପାଇଁ ସ୍ଥାନୀୟ ବିଧାୟକମାନଙ୍କ ଉପରେ ଦୋଷ ଲଦୁଛନ୍ତି । ଏହାକୁ ନେଇ କେତେକ ସ୍ଥାନରେ ବିଧାୟକଙ୍କ ସହ ଉଚ୍ଚବାଚ ଓ ଠେଲାପେଲା ଦୃଶ୍ୟ ବି ଦେଖିବାକୁ ମିଳୁଛି । ତେବେ ଅନେକ ସ୍ଥାନରେ ନିଜ ଉପରକୁ ଆସୁଥିବା ଦୋଷକୁ ନେତାମାନେ ବିରୋଧିଙ୍କ ଉପରକୁ ଖସାଇ ଦେଉଛନ୍ତି । ଆସନ ସଂରକ୍ଷଣ ପାଇଁ ବିରୋଧି ନେତା ଦାୟୀ ଓ ସେମାନେ ଏଭଳି କରିଛନ୍ତି ବୋଲି ଅସନ୍ତୁଷ୍ଟଙ୍କୁ ବୁଝାଇ ସେମାନଙ୍କୁ ଶାନ୍ତ କରିବାକୁ ଅହରହ ଚେଷ୍ଟା ଚଳାଇଛନ୍ତି ।

ଇତି ମଧ୍ୟରେ ଜାନୁୟାରୀ ତିନି ତାରିଖ ସୁଦ୍ଧା ସଂରକ୍ଷଣ ସଂକ୍ରାନ୍ତୀୟ ଅଭିଯୋଗ ଦାଖଲ ସହିତ ୫ତାରିଖ ସୁଦ୍ଧା ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ । ଜାନୁୟାରୀ ୭ ତାରିଖରେ ସରକାର ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରଦାନ କରିବେ । ଏହାପରେ କୌଣସି ସମୟରେ କମିଶନ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ସହିତ ପଞ୍ଚାୟତ ର୍ନିବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି । ହାଇକୋର୍ଟ ମଧ୍ୟ ମାର୍ଚ୍ଚ ୮ତାରିଖ ସୁଦ୍ଧା ପଞ୍ଚାୟତ ନିର୍ବାଚନ ସାରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ।

ଏଭଳି ସ୍ଥିତିରେ ଏବେ ସଂରକ୍ଷଣ ତାଲିକାରେ ଓଲଟ ପାଲଟ ସ୍ଥାନୀୟ ବିଧାୟକମାନଙ୍କ ପାଇଁ ଚିନ୍ତାରେ କାରଣ ହୋଇଛି । ପରିବର୍ତ୍ତିତ ସଂରକ୍ଷଣ ତାଲିକାରେ କାଟ୍‍ ଖାଇଯାଇଥିବା ଆଶାୟୀଙ୍କୁ କିଭଳି ବୁଝାଇ ସୁଝାଇ ପାଖରେ ରଖିବେ ତାହା ବଡ ଆହ୍ୱାନ ହୋଇଥିବାବେଳେ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ସ୍ଥିତି ସ୍ପଷ୍ଟହେବ ବୋଲି ଆଶା କରାଯାଉଛି । (ତଥ୍ୟ)