Home General ସଂଗ୍ରାମଙ୍କୁ ଶ୍ରଦ୍ଧାଞ୍ଜଳି

ସଂଗ୍ରାମଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ସଂଗ୍ରାମ ଜେନା ସ୍ମୃତି ସଂସଦ ପକ୍ଷରୁ ଆଜି ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଏବଂ ଅଭ୍ୟର୍ଥନା କମିଟିର ଆବାହକ ମାନସ ଚୌଧୁରୀଙ୍କ ଆବାହକତ୍ୱରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ସଂଗ୍ରାମ ଜେନାଙ୍କ ପାଇଁ ଏକ ସର୍ବଦଳୀୟ ସ୍ମୃତି ସଭା ଆୟୋଜିତ ହୋଇଥିଲା ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ତଥା ଏଆଇସିସି ପ୍ରଭାରୀ ଡ. ଚେଲା କୁମାର କହିଥିଲେ ଯେ ଓଡ଼ିଶାର କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ସଂଗ୍ରାମ ଜେନାଙ୍କ ଠାରେ ଆଗାମୀ ଦିନରେ ଏକ ପ୍ରଭାବୀ ନେତୃତ୍ୱର ସମ୍ଭାବନାର ସ୍ୱପ୍ନ ଦେଖିଥିଲେ । ମାତ୍ର ସ୍ୱପ୍ନର ଅପମୃତ୍ୟୁ ହୋଇଛି । ଏକଥା ବିଶ୍ୱାସ ବି କରି ହେଉନି । ସାରା ରାଜ୍ୟର ଯୁବ ଓ ଛାତ୍ର ସମାଜଙ୍କ ପାଇଁ ସେ ପ୍ରେରଣା ଥିଲେ । ତାଙ୍କର ସ୍ୱପ୍ନକୁ ପୂରଣ କରିବାପାଇଁ ଯୁବକ ଓ ଛାତ୍ରସମାଜ ସଂକଳ୍ପ ନିଅନ୍ତୁ ।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସଂଗ୍ରାମ ଜେନାଙ୍କ ବିୟୋଗ ତାଙ୍କୁ ମର୍ମାହତ କରିଛି । ସେ ଜଣେ ସୁସଂଗଠକ ଏବଂ ଅଗ୍ରଣୀ ନେତା ଥିଲେ । କଂଗ୍ରେସ ଦଳ ତାଙ୍କ ଠାରୁ ବହୁତ କିଛି ଆଶା କରିଥିଲା । ମାତ୍ର ବିଧିର ବିଧାନ ଭିନ୍ନ । ତାଙ୍କର ସୁକାର୍ଯ୍ୟ ପାଇଁ ସେ ଆମ ନିକଟରେ ସ୍ମରଣୀୟ ହୋଇ ରହିବେ । କଂଗ୍ରେସ ବିରୋଧି ଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଥିଲେ ସଂଗ୍ରାମର ଅଧୁରା ସ୍ୱପ୍ନ ଏବଂ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ପୁରଣ କରିବା ପାଇଁ ସଂଗ୍ରାମପ୍ରେମୀ ମାନେ ସଂକଳ୍ପବଦ୍ଧ ହୁଅନ୍ତୁ । ଏଆଇସିସି ମୁଖପାତ୍ର ମୋହନ ପ୍ରକାଶ କହିଥିଲେ ଯେ ମୃତ୍ୟୁରେ ସଂଗ୍ରାମୀର ଅନ୍ତ ହୁଏ ନାହିଁ । ତାଙ୍କର ସ୍ୱପ୍ନକୁ ଆଜିର ଯୁବପିଢ଼ୀ ସାକାର କରିବେ ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ ଆତ୍ମୀୟତା ବଢ଼ାଇଥିବା ଲୋକ ମୃତ୍ୟୁପରେ ବି ଜୀଇଥାଏ । ଦଳମତ ନିର୍ବିଶେଷରେ ସଂଗ୍ରାମ ଜେନା ଥିଲେ ସମସ୍ତଙ୍କର ପ୍ରିୟ ପାତ୍ର । ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଥିଲେ ଯେ କଂଗ୍ରେସ ଦଳ ପାଇଁ ସଂଗ୍ରାମ ଜେନା ବଳିଦାନ ଦେଇଛନ୍ତି । ଭୟାବହ କରୋନା ସମୟରେ ସେ ଦଳୀୟ ପ୍ରାର୍ଥୀ ପାଇଁ ନିର୍ଭୟରେ ପିପିଲି ନିର୍ବାଚନରେ ପ୍ରଚାର କାର୍ଯ୍ୟ କରୁଥିଲେ । ସଂଗ୍ରାମଙ୍କର ମୃତ୍ୟୁ ଅଗଷ୍ଟ ମାସରେ ହୋଇଥିବାରୁ ସେ ଅଗଷ୍ଟ ମାସର ଐତିହାସିକ ମହତ୍ୱକୁ ବିଶ୍ଳେଷଣ କରିଥିଲେ ।

ବିଧାୟକ ତଥା ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେ ଯେ ଯଦିବା ସେ ସଂଗ୍ରାମ ଜେନାଙ୍କ ସହ ତାଙ୍କର ବନ୍ଧୁତ୍ୱ ଅଳ୍ପଦିନର, ମାତ୍ର ଆତ୍ମୀୟତ ଗଭୀର ଥିଲା । ବରିଷ୍ଠ ବିଜେପି ନେତା ଦିଲ୍ଳୀପ ମହାନ୍ତି କହିଥିଲେ ଯେ ସାମାଜିକ କାର୍ଯ୍ୟକ୍ରମରେ ସାରା ଓଡ଼ିଶାରେ ସଂଗ୍ରାମ ଜେନାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । ଆମ ରାଜ୍ୟ ଏକ ବିରାଟ ଯୁବ ନେତୃତ୍ୱକୁ ହରାଇଛି । ବିଧାୟକ ବ୍ୟେମକେଶ ରାୟ କହିଥିଲେ ଯେ, ଲୋକେ କହନ୍ତି ଭଲ ଲୋକ ରାଜନୀତିକୁ ଆସନ୍ତି ନାହିଁ । ମାତ୍ର ଓଡ଼ିଶା ରାଜନୀତିରେ ସଂଗ୍ରାମ ଜେନା ଏକ ଭଲଲୋକର ଉଦାହରଣ ।

ବିଧାୟକ ରୋହିତ ପୂଜାରୀ କହିଥିଲେ ଯେ ମୋର ରାଜନୈତିକ ଇତିହାସରେ ସଂଗ୍ରାମ ଜେନା ଏକ ଅଂଶ । ସଂଗ୍ରାମର ମୃତ୍ୟୁଜନିତ ଯନ୍ତ୍ରଣା ମୋତେ ପ୍ରତିମୂର୍ହତରେ ଆଘାତ ଦେଉଛି । ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ ସଂଗ୍ରାମ ଓ ସେ କଂଗ୍ରେସ ବିଭିନ୍ନ ସାଂଗଠନିକ କାର୍ଯ୍ୟ ଓ ବିକ୍ଷୋଭ ଏକାଠି ଆୟୋଜନ କରୁଥିଲୁ । ସଂଗ୍ରାମ ପରି ସଂଗଠକ ଆଜି ବିରଳ । ସିପିଆଇ ନେତା ରାମକୃଷ୍ଣ ପଣ୍ଡା କହିଥିଲେ ଯେ ରାଜ୍ୟରେ ସଂଗ୍ରାମ ଚାଲୁଥିଲା ବେଳେ ସଂଗ୍ରାମୀର ଅକାଳ ବିୟୋଗ ହୋଇଗଲା । ଯୁବଛାତ୍ର ଅଧିକାର ପାଇଁ ତାଙ୍କର ଲଢ଼େଇ ପ୍ରଶଂସନୀୟ ଥିଲା ।

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି କହିଥିଲେ ଏ ଦୁଃଖ ଜୀବନ ସାରା ଭୁଲିହେବ ନାହିଁ । ସଂଗ୍ରାମ ମାଧ୍ୟମରେ ସଂଗ୍ରାମ ଜେନାଙ୍କୁ ମନେ ରଖିବାକୁ ହେବ । ବିଜେଡ଼ି ମୁଖ୍ୟ ମୁଖପାତ୍ର ଲେଲିନ ମହାନ୍ତି ବାଣୀବିହାର ବିଶ୍ୱବିଦ୍ୟାଳୟରେ ସଂଗ୍ରାମ ଜେନାଙ୍କର ଅଲିଭା ସ୍ମୃତି ସଂପର୍କରେ କହିଥିଲେ । ଛାତ୍ର ସଂସଦର ସଭାପତି ନିର୍ବାଚନର କିଛି ଘଟଣାକ୍ରମକୁ ଉପସ୍ଥାପନ କରିଥିଲେ । କମ୍ୟୁନିଷ୍ଟ ନେତା ଅଳି କିଶୋର ପଟ୍ଟନାୟକ, ସାଂସଦ ସପ୍ତଗିରୀ ଉଲ୍ଲାକା, ପ୍ରଦୀପ ମାଝୀ, ବିଧାୟକ ରମେଶ ଜେନା, ଦାଶରଥି ଗାମାଙ୍ଗ, ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ସଂଗ୍ରାମ ଜେନାଙ୍କର ଦୀର୍ଘ ୨୦ବର୍ଷ ଯୁବଛାତ୍ର ରାଜନୀତି, କଂଗ୍ରେସ ଦଳର ସଂଗଠନ ଏବଂ ଦଳର ଉର୍ଦ୍ଧ୍ୱରେ ତାଙ୍କର ସମାଜ ସେବା ଏବଂ ବଦାନ୍ୟତା ସଂପର୍କରେ ଆଲୋକପାତ କରିଥିଲେ ।

ଏଆଇସିସି ଅନୁସୂଚୀତ ଜାତି ବିଭାଗର ଅଧ୍ୟକ୍ଷ ଡ. ନିତିନ ରାଉତ ପଠାଇଥିବା ଶୋକବାର୍ତାକୁ ଏଆଇସିସି ଅନୁସୂଚୀ ଜାତିବିଭାଗର ଓଡ଼ିଶା ପ୍ରଭାରୀ ହିତେନ୍ଦ୍ର ପିଠାରିଆ ପାଠ କରିଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହରା, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଆଲୋକ ଲେଙ୍କା, ଅଜୟ ସାହୁ, ପଦ୍ମାକର ଗୁରୁ, ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମଧ୍ୟ ସଂଗ୍ରାମ ଜେନାଙ୍କର ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଡ. ମିଲନ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ବାବୁ ଜେନା ସ୍ୱର୍ଗତ ସଂଗ୍ରାମ ଜେନାଙ୍କ ପାଇଁ ଆବେଗଭରା ଶ୍ଲୋଗାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ରାଉତ, ଶିବାନନ୍ଦ ରାୟ, ଅନନ୍ତ ସେଠୀ, ଯୁଧିଷ୍ଠୀର ଜେନା, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର, ରଜତ ଚୌଧୁରୀ, ରଜନୀ ମହାନ୍ତି, ଲିଙ୍ଗରାଜ ସାହୁ, ମନୋର ରାଉତ, ରବିରାୟ, ନାରାୟଣ ଜେନା, ଯୋଗୀନାଥ ବାହୁବଳେନ୍ଦ୍ର, ଅଶିତ ପଟ୍ଟନାୟକ, ରଣଜିତ ପାତ୍ର, ସ୍ୱାଗତ କର, ମିନାକ୍ଷୀ ବାହିନୀ ପତି, ମନୋରଞ୍ଜନ ଦାଶ, ସୁବ୍ରତ ମହାପାତ୍ର, ଅମରେଶ ଜେନା, ସଚ୍ଚିଦାନନ୍ଦ ନାୟକ, ପ୍ରତାପ ରାଉତରାୟ, ଶ୍ରୀଧର ବେହେରା, ନିହାର ବେହରା, ରଣଜିତ ସେନାପତି, ଅବିନାଶ ନନ୍ଦ, ବିକାଶ ପଶୁପାଳକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ତାରା ପ୍ରସାଦ ବାହିନୀପତିଙ୍କ ସରକାରୀ ବାସଭବନରେ ସଂଗ୍ରାମ ଜେନା ସ୍ମୃତି ସଂସଦର ମୁଖ୍ୟ କାର୍ଯ୍ୟାଳୟକୁ ବିଧାୟକ ରମେଶ ଜେନା ଉଦଘାଟନ କରିଥିଲେ ।