Home Covid ସଂଗ୍ରହାଳୟର ଅଭିନବ ପ୍ରୟାସ ‘ଇନ୍ଦ୍ରଧନୁ’ – ଆଶାର କିରଣ

ସଂଗ୍ରହାଳୟର ଅଭିନବ ପ୍ରୟାସ ‘ଇନ୍ଦ୍ରଧନୁ’ – ଆଶାର କିରଣ

ଭୁବନେଶ୍ୱର :  କୋଭିଡ ମହାମାରୀ ଜନିତ ଭୟାବହ ପରିସ୍ଥିତିର  ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଭିନବ ପ୍ରୟାସ ‘ଇନ୍ଦ୍ରଧନୁ-  ଆଶାର କିରଣ’ ଶୀର୍ଷକ ଧାରାବାହିକ ଆଲୋଚନାଚକ୍ର ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଛି। ସମଗ୍ର ବିଶ୍ବରେ ଏହି ମହାମାରୀର ଭୟାବହ ରୂପ ପରିଲକ୍ଷିତ ହେଉଥିବା ବେଳେ ସଂଗ୍ରହାଳୟଗୁଡିକ ମଧ୍ୟ ଏଥିରୁ ବାଦ୍ ପଡି ନାହାଁନ୍ତି।

ବିଶ୍ୱର ଅନ୍ୟାନ୍ୟ ସମସ୍ତ କ୍ଷେତ୍ର ସହିତ ସଂଗ୍ରହାଳୟ ମଧ୍ୟ ବିଶେଷ ପ୍ରଭାବିତ ହୋଇଛି। ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ସଂରହାଳୟଗୁଡିକ ବନ୍ଦ ରହିଛି। ସମ୍ପ୍ରତି ଏହି ଆତଙ୍କିତ ପରିବେଶରେ ବିଶ୍ୱର ସମସ୍ତ ସଂଗ୍ରହାଳୟ ନିଜ  ଅସ୍ତିତ୍ବର ଉପଲବ୍ଧି  ସହିତ ସଂଗ୍ରହାଳୟରେ କାର୍ଯ୍ୟରତ କର୍ମକର୍ତ୍ତାମାନଙ୍କ ସୁରକ୍ଷା ଓ ନିୟୋଜନ ନିମନ୍ତେ  ଅନେକ ଭର୍ଚୁଆଲ ପଦକ୍ଷେପ ଗ୍ରହଣ କରିଛନ୍ତି। ଡିଜିଟାଲ ମାଧ୍ୟମରେ ଦର୍ଶକ, ଗବେଷକ ଏବଂ ସାଧାରଣ ପରିବ୍ରାଜକଙ୍କୁ ପାଇଁ ସଂଗ୍ରହାଳୟ ପରିଦର୍ଶନ ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ରୂପାୟନ କରାଯାଇଛି।        

ଏହି  କ୍ରମରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ  ଆଜି ଏକ ଆନ୍ତର୍ଜାତୀୟ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେଯେ ରାଜ୍ୟ ସଂଗ୍ରହାଳୟ ଓଡ଼ିଆ ପରମ୍ପରା, ଇତିହାସ, ଓ ବୀରତ୍ବର ପ୍ରତୀକକୁ ସଂରକ୍ଷିତ ଓ ପ୍ରଦର୍ଶିତ କରୁଛି।

ଓଡ଼ିଆ ଜାତିର ଉଜ୍ବଳମୟ ପରମ୍ପରା ଓ ଇତିହାସର ପ୍ରତୀକକୁ  ବିଶ୍ୱବ୍ୟାପୀ ପ୍ରସାର ଦିଗରେ ଯତ୍ନଶୀଳ ଉଦ୍ୟମ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେବା ସହ ସରକାର ଏଠି ପାଇଁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।  କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ  ଡ. ବିଷ୍ଣୁପଦ ସେଠି ତାଙ୍କର ବକ୍ତବ୍ୟରେ ରାଜ୍ୟ ସଂଗ୍ରହଳୟକୁ ବିଶ୍ୱସ୍ତରୀୟ କରି ଗଢ଼ି ତୋଳିବାକୁ ଅଧିକାରୀମାନଙ୍କୁ ଆହ୍ୱାନ ପ୍ରଦାନ କରିଥିଲେ। ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପ୍ରଶଂସା ସହିତ ସଂଗ୍ରହାଳୟକୁ ଡିଜିଟାଲରେ ରୂପାନ୍ତରିତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।  

ଏହିକାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ତାଙ୍କର ଲିଖିତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ଡ. ଭାଗ୍ୟଲିପି ମଲ୍ଲ, ଅଧୀକ୍ଷକ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସମଗ୍ର ଆଲୋଚନାଚକ୍ରର ପରିକଳ୍ପନା କରିବା ସହିତ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଆଲୋଚନା ମାଧ୍ୟମରେ ରାଜ୍ୟ ସଂଗ୍ରହାଳୟର ଆଭିମୁଖ୍ୟ ଏବଂ କୋଭିଡ ମହାମାରୀ ସମୟରେ ନୂତନ ପ୍ରୟାସ ଯଥା ନୂତନ ଗ୍ୟାଲେରୀର ପରିକଳ୍ପନା, ସମ୍ପୂର୍ଣ୍ଣ ସଂଗ୍ରହାଳୟକୁ ଡିଜିଟାଲ ପଞ୍ଜିକରଣ, ଗ୍ୟାଲେରୀ ଗୁଡିକର ଭର୍ଚୁଆଲ ୱକ ଥ୍ରୁ ଏବଂ ଅନ୍ୟାନ୍ୟ ସମସ୍ତ ଦିଗ ଉପରେ ଆଲୋକପାତ କରାଯାଇଥିଲା।  

ଏହି ଆନ୍ତର୍ଜାତୀୟ ଆଲୋଚନାଚକ୍ର ବିହାରରେ ଅବସ୍ଥିତ ‘  ଦି ହେରିଟେଜ କନ୍ସୋଟିୟମ ‘ ସଂସ୍ଥାର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। ଇକ୍ତ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଭାଷ କୁମାର ଆଲୋଚନାଚକ୍ରର ବିଷୟବସ୍ତୁ ଓ ଦୃଷ୍ଟିକୋଣ ସମ୍ବନ୍ଧିତ ମନ୍ତବ୍ୟ ପ୍ରଦାନ କରିଥିଲେ।।ଏହି ଆନ୍ତର୍ଜାତୀୟ ଆଲୋଚନା ଚକ୍ରର ମୂଖ୍ୟ ଆଲୋଚକ ଭାବରେ ଡ. ଅନାମିକା ବିଶ୍ୱାସ, ଉପ ନିର୍ଦେଶିକା ‘ ସାର୍କ  ସାସ୍କୃତିକ କେନ୍ଦ୍ର, କଲୋମ୍ବୋ , ଜେ. ଏମ୍. ଗାନ୍ଧିମତୀ, ସଂଗ୍ରହାଧ୍ୟକ୍ଷା ଏବଂ ସଂରକ୍ଷିକା, ରାଜ୍ୟ ସଂଗ୍ରହାଳୟ, ଚେନ୍ନାଇ ଏବଂ ଡ. ଅରବିନ୍ଦ ମହାଜନ , ଆଞ୍ଚଳିକ ଉପ- ନିର୍ଦ୍ଦେଶକ, ସଂଗ୍ରହାଳୟ, ବିହାର ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରି ସାଂପ୍ରତିକ ପରିସ୍ଥିତିରେ ସଂଗ୍ରହାଳୟ ଗୁଡିକର ଭୂମିକା ଏବଂ ଗୁରୁତ୍ୱ ଉପରେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ତଥ୍ୟଭିତିକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜ୍ୟ ସଂଗ୍ରହାଳୟର ସଂଗ୍ରହାଧ୍ୟକ୍ଷା ଶୁଚିସ୍ମିତା ମନ୍ତ୍ରୀ ଏହି ଭର୍ଚୁଆଲ ଆଲୋଚନା ଚକ୍ରର ସଂଯୋଜନା ଓ ବୈଷୟିକ ଅଧିବେଶନ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ।  କାର୍ଯ୍ୟକ୍ରମର ସଂଯୋଜନା ଏବଂ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ସଂଗ୍ରହାଧ୍ୟକ୍ଷା ଡ. ଭାରତୀ ପାଲ୍।