Home Administration ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପାଇଁ କେନ୍ଦ୍ରକୁ ପତ୍ର

ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପାଇଁ କେନ୍ଦ୍ରକୁ ପତ୍ର

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରର ସୁପରିଚାଳନା ପାଇଁ ଓଡିଶା ସରକାର ଦେଇଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଚିଠା ଅଧ୍ୟାଦେଶ ୨୦୨୦ କୁ ମଞ୍ଜୁର କରିବାପାଇଁ ରାଜ୍ୟ ସରକାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କୁ ପତ୍ର ଲେଖିଥିବା ଜଣାଯାଇଛି ।

ମୁଖ୍ୟ ସଚିବ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧ୍ୟାଦେଶ ଉପରେ ଉଠାଇଥିବା ଆପତ୍ତିର ସ୍ପଷ୍ଟିକରଣ ଦିଆଯାଇଛି । ସେ ଉଲ୍ଲେଖ କରିଛନ୍ତି ଯେ ଶ୍ରୀ ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ, ୨୦୨୦କୁ ରାଜ୍ୟପାଳ ଜାରି ପାଇଁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେବାରେ କେନ୍ଦ୍ର ଆଇନ୍‍ ଏବଂ ନ୍ୟାୟ ମନ୍ତ୍ରାଳୟ, ସଂସଦୀୟ ବ୍ୟାପାର ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଆପତ୍ତିବିହୀନ ଦର୍ଶାଯାଇଛି । କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ମନ୍ତ୍ରାଳୟ ଏବଂ ବିଭାଗ ପକ୍ଷରୁ ଅଧ୍ୟାଦେଶକୁ ମଞ୍ଜୁରୀ ପାଇଁ ସ୍ମାରକପତ୍ର ଜାରି କରାଯାଇଛି ।

କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଯେଉଁସବୁ ସ୍ପଷ୍ଟିକରଣ ମଗାଯାଇଥିଲା ତାହାର ଧାରା ୱାରୀ ଉତ୍ତର ରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଉଲ୍ଲେଖ କରିଛନ୍ତି । ତେଣୁ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ସେବା ପୂଜା ଯେଭଳି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ଓଡିଶାର ରାଜ୍ୟପାଳ ଏହି ଅଧ୍ୟାଦେଶକୁ ଜାରି କରିବାପାଇଁ ରାଷ୍ଟ୍ରପତି ଯେଭଳି ନିର୍ଦ୍ଦେଶ ଦେବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବଙ୍କୁ ଅନୁରୋଧ କରିଛନ୍ତି ।

୨୦୨୦ ଡିସେମ୍ବରରେ ରାଜ୍ୟ କ୍ୟାବିନେଟ ଏହି ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଭୁବନେଶ୍ୱରରେ ଥିବା ସର୍ବବୃହତ୍‍ ଲିଙ୍ଗରାଜ ମନ୍ଦିର ସହିତ ଅନ୍ୟ ୮ଟି ମନ୍ଦିର ଲିଙ୍ଗରାଜ ମନ୍ଦିର ପରିଚାଳନା କମିଟି ନିୟନ୍ତ୍ରଣରେ ରହିଛି ଏବଂ ଅନୁରୂପ ଭାବେ ଜଗନ୍ନାଥ ମନ୍ଦିର ପାଇଁ ପରିଚାଳନା କମିଟି ଅଛି । ଲିଙ୍ଗରାଜ ମନ୍ଦିରଟି ବର୍ତ୍ତମାନ ଓଡିଶା ହିନ୍ଦୁ ଦେବତ୍ତୋର ଆଇନ୍‍ ଅଧିନରେ ରହିଛି ।

ଜଗନ୍ନାଥ ମନ୍ଦିର ହେଉଛି ଓଡିଶାର ପ୍ରଥମ ମନ୍ଦିର ଯାହାକି ବ୍ରିଟିଶ ଶାସନ ଅଧିନରେ ଦୀର୍ଘଦିନ ରହିବାପରେ ୧୯୫୫ ମସିହାରେ ଏହାର ପରିଚାଳନାପାଇଁ ସ୍ୱତନ୍ତ୍ର ଆଇନ୍‍ ଲାଗୁ ହୋଇଥିଲା । ଏହି ଅଧ୍ୟାଦେଶରେ ଜଗନ୍ନାଥ ମନ୍ଦିର ଭଳି ଜଣେ ପ୍ରଶାସକ ଏବଂ ଐତିହ୍ୟ ଅଧିକାର ସହିତ ସେବାୟତ ବ୍ୟବସ୍ଥା ରହିବ । ତେବେ ଏହି ଅଧ୍ୟାଦେଶଟି ଆମସର ଆଇନ୍‍ ୧୯୫୮ର ବିରୁଦ୍ଧାଚରଣ କରୁଥିବା ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଦର୍ଶାଇଛନ୍ତି । ଅଧ୍ୟାଦେଶରେ ଥିବା କେତେକ ଧାରାରେ ପରିବର୍ତ୍ତନ ଆବଶ୍ୟକ କରୁଛି ଯାହାକି କେନ୍ଦ୍ରୀୟ ଆଇନ୍‍ର ବିରୁଦ୍ଧାଚରଣ କରୁଛି । ତେବେ ରାଜ୍ୟ ସରକାର ବର୍ତ୍ତମାନ ଧାରା ୱାରୀ ସମସ୍ତ ସ୍ପଷ୍ଟିକରଣ ରଖିଥିବା ଜଣେ ଅଧିକାରୀ କହିଛନ୍ତି । (ତଥ୍ୟ)