Home Culture ଶ୍ରୀଜଗନ୍ନାଥ ଓ ରଥଯାତ୍ରା ଶୀର୍ଷକ ଚିତ୍ରକଳା ଶିବିର

ଶ୍ରୀଜଗନ୍ନାଥ ଓ ରଥଯାତ୍ରା ଶୀର୍ଷକ ଚିତ୍ରକଳା ଶିବିର

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଭର୍ଚୁଆଲ ମାଧ୍ୟମରେ ‘ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ ଶୀର୍ଷକ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି ଶିବିର ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ ଓ ଅଂଶଗ୍ରହଣ କରିଥିବା ଶିଳ୍ପୀମାନେ ନିଜ ନିଜ ଘରେ ରହି ଚିତ୍ର ଅଙ୍କନ କରିବେ ।

ଏହାକୁ ଉଦ୍‌ଘାଟନ କରି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଲେ ଯେ ଚଳିତ ବିଶ୍ୱ ମହାମାରୀ କୋଭିଡ୍‌-୧୯ ସମୟରେ ଓଡ଼ିଶାର ଚିତ୍ରକଳା ଓ ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମତେ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆଦେଶାନୁସାରେ ଓଡ଼ିଶା ଲଳିତ କଳା ଏକାଡେମୀ କୋଭିଡ୍‌-୧୯ ନିୟମକୁ ପାଳନ କରି ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ ଜାରି ରଖିବା ପ୍ରଶଂସନୀୟ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ ।

ଗତ ଜୁନ୍‌ ମାସ ୮ ତାରିଖରେ ପୁରୀ ଜିଲ୍ଲା ରଘୁରାଜପୁର ଗ୍ରାମରେ ୧୫୦ଟି ଶିଳ୍ପୀ ପରିବାରଙ୍କୁ ନେଇ ଏକ ଭିତ୍ତିଚିତ୍ର ଶିବିର ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଆୟୋଜନ କରାଯାଇଥିଲା । ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିବା ପ୍ରକାଶ କରିଥିଲେ ।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ ଓଡ଼ିଶାର ଶିଳ୍ପୀମାନେ ଘରେ ରହି ଚିତ୍ରକଳା କରିବା ପାଇଁ ଉତ୍ସାହିତ ହୋଇ ରଥଯାତ୍ରା ଅବସରରେ ‘ଶ୍ରୀଜଗନ୍ନାଥ ଓ ରଥଯାତ୍ରା’ ଶୀର୍ଷକ ବିଷୟ ବସ୍ତୁ ଆଧାରିତ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୃତିଗୁଡ଼ିକୁ ଭର୍ଚୁଆଲ ପ୍ରଦର୍ଶନୀ ମାଧ୍ୟମରେ ସର୍ବଜନାଦୃତ କରିବା ଲକ୍ଷ୍ୟରେ ଓଡ଼ିଶା ଲଳିତକଳା ଏକାଡେମୀର ନିଆରା ଉଦ୍ୟମ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହି ଅବସରରେ କହିଥିଲେ ଯେ ଓଡ଼ିଶାର ଲୋକମାନେ ଆଗରୁ ନଅଙ୍କ ଦୁର୍ଭିକ୍ଷ ପରି କରାଳ ମହାମାରୀକୁ ଜୟ କରିଛନ୍ତି । ଚଳିତ ବିଶ୍ୱ ମହାମାରୀ କୋଭିଡ୍‌-୧୯ ସମୟରେ ମଧ୍ୟ ଘରେ ରହି ଏହି ସ୍ୱତନ୍ତ୍ର ଚିତ୍ରକଳା ଶିବିରରେ ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମକୁ ଦୃଢ଼ ମନୋବଳ ସହକାରେ ସଫଳ କରି ଚିତ୍ରଶିଳ୍ପୀଗଣ ଜୟ ଲାଭ କରିପାରିବେ ।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ଜଗତର ନାଥ ଜଗନ୍ନାଥଙ୍କ କୃପା ଭିକ୍ଷା କରି ଶିଳ୍ପୀ ପରିବାରର ଶୁଭକାମନା କରିଥିଲେ । ଏକାଡେମୀର ସଭାପତି, ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ଡ. ସୁଦର୍ଶନ ପଟ୍ଟନାୟକ ତାଙ୍କ ଭାଷଣରେ ଶିବିରର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ।

ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ସ୍ୱାଗତ ଭାଷଣ ଦେବା ସହ ୬୬୮ ଜଣ ଶିଳ୍ପୀ ଉକ୍ତ ଶିବିରରେ ଭାଗ ନେବା ପାଇଁ ଆବେଦନ କରିଥିବା ପ୍ରକାଶ କରିଥିଲେ । ଏକ ବିଶେଷଜ୍ଞ କମିଟି ଦ୍ୱାରା ତନଖି କରାଯାଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦୦ ଜଣ ଶିଳ୍ପୀଙ୍କୁ ଭାଗନେବା ପାଇଁ ମନୋନୀତ କରାଯାଇଛି । ଅଂଶଗ୍ରହଣ କରିଥିବା ଶିଳ୍ପୀମାନେ ତାଙ୍କର କଳାକୃତିକୁ ଏକାଡେମୀକୁ ପଠାଇବେ ଏବଂ ଏକାଡେମୀ ତରଫରୁ ପ୍ରତ୍ୟେକ ଶିଳ୍ପୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମାନଦେୟ ରାଶି ପ୍ରଦାନ କରାଯିବ ବୋଲି ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀର ଉପସଭାପତି ଶ୍ରୀନିବାସ ପଢ଼ିହାରୀ ଉକ୍ତ ସଭାରେ ଯୋଗଦାନ କରି ଚିତ୍ରଶିଳ୍ପୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ସର୍ବଶେଷରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ଏକାଡେମୀର ଓଏସ୍‌ଡି ମନସ୍ୱିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।