Home General ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ

ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କ ବିଶୃଙ୍ଖଳା ଆଚରଣକୁ ସୁଧାରି ଶାସନ କଳକୁ ଅଧିକ କ୍ରିୟାଶୀଳ କରିବା ଲାଗି ନିଆଯାଉଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବର୍ଷ ବର୍ଷ ଧରି ଶେଷ ହେଉନଥିବାରୁ ପ୍ରଶାସନିକ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ କମି ଯାଉଛି । ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କେତେଦିନ ମଧ୍ୟରେ ଶେଷ ହେବ ସେଥିଘେନି ଆଇନରେ କିଛି ନିର୍ଦ୍ଧିଷ୍ଟ ବ୍ୟବସ୍ଥା ନଥିବାବେଳେ ୬ମାସ ଭିତରେ ଏହା ସାରିବା ପାଇଁ ମୁଖ୍ୟ ଶାସନସଚିବଙ୍କ ନିର୍ଦ୍ଦେଶନାମାକୁ ବହୁ କ୍ଷେତ୍ରରେ ଉପେକ୍ଷା କରାଯିବା ଫଳରେ ଅଭିଯୁକ୍ତ କର୍ମଚାରୀମାନେ ଆଇନ ଅଦାଲତର ଦ୍ୱାରସ୍ଥ ହୋଇ ସରକାରଙ୍କୁ ହରଡ ଘଣାରେ ପକାଉଛନ୍ତି ।

ରାଜ୍ୟ ସରକାରୀ କର୍ମଚାରୀଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ (କ୍ଲାସିଫିକେସନ କଣ୍ଟ୍ରୋଲ୍‍ ଆଣ୍ଡ ଆପିଲ୍‍) ରୁଲ୍‍ସ ରହିଛି । ଏଥିରେ ଚାକିରିରୁ ବହିସ୍କାର ପର୍ଯ୍ୟନ୍ତ ଦଣ୍ଡବିଧାନ କଥା ଉଲ୍ଲେଖ ଅଛି । ଏହି ଆଇନ ଆଧାରରେ ସରକାର କର୍ମଚାରୀଙ୍କୁ ନିଲମ୍ବନ କରନ୍ତି । ତେବେ କେତେଦିନ ପର୍ଯ୍ୟନ୍ତ ଜଣକୁ ନିଲମ୍ବିତ କରି ରଖାଯାଇପାରିବ ସେ ସଂକ୍ରାନ୍ତରେ ବି ଆଇନ ନୀରବ ରହିଥିବାରୁ ଅନେକ କ୍ଷେତ୍ରରେ ବର୍ଷ ବର୍ଷ ଧରି ନିଲମ୍ବିତ କର୍ମଚାରୀମାନେ ରାଜକୋଷରୁ ଭତ୍ତା ପାଇ ଆସୁଛନ୍ତି ।

ନିଲମ୍ବନ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ଜାରି କରିଥିବା ମାର୍ଗଦର୍ଶିକାରେ ବହୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ରହିଛି । ଜଣେ କର୍ମଚାରୀଙ୍କୁ ନିଲମ୍ବନ କରାଯିବାର ୩୦ଦିନ ମଧ୍ୟରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବା ଏବଂ ଅଭିଯୁକ୍ତ କର୍ମଚାରୀଙ୍କୁ ନୋଟିସ୍‍ ପାଇବାର ୩୦ଦିନ ମଧ୍ୟରେ ତାଙ୍କର ବକ୍ତବ୍ୟ ରଖିବା ଓ ବକ୍ତବ୍ୟ ମିଳିବାର ୩୦ଦିନ ଭିତରେ ତଦନ୍ତକାରୀ ଅଧିକାରୀ ନିଯୁକ୍ତ କରିବାକୁ ଏଥିରେ କୁହାଯାଇଛି । କେବଳ ସେତିକି ନୁହେଁ ତଦନ୍ତକାରୀ ଅଧିକାରୀ ୯୦ଦିନ ଭିତରେ କର୍ତ୍ତୃପକ୍ଷଙ୍କୁ ତାଙ୍କ ରିପୋର୍ଟ ଦେବା ଏବଂ ଏହା ଉପରେ ଶୃଙ୍ଖଳାଗତ ଅଧିକାରୀ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ସମୟସୀମା ଧାର୍ଯ୍ୟ କରିଛନ୍ତି । ଏହାଛଡ଼ା କେଉଁ କ୍ଷେତ୍ରରେ ଜଣେ ସରକାରୀ କର୍ମଚାରୀଙ୍କୁ ନିଲମ୍ବନ କରାଯାଇପାରିବ ସେକଥା ବି ଏହି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।

ଏହାଛଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି କ୍ଷମତାପ୍ରାପ୍ତ ଅଧିକାରୀ ତାଙ୍କ ଅଧିନରେ ଥିବା ଦପ୍ତର ଗୁଡିକରେ କେତେ ସଂଖ୍ୟକ ନିଲମ୍ବନ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଘଟଣା ରହିଛି ତାହାର ପ୍ରତିମାସରେ ମଧ୍ୟ ସମୀକ୍ଷା କରିବା ପାଇଁ ଏହି ମାର୍ଗଦର୍ଶିକାରେ ବ୍ୟବସ୍ଥା ଅଛି । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ପ୍ରଶାସନିକ ବିଭାଗ ଗୁଡିକରେ ନିୟମିତ ବ୍ୟବଧାନରେ ଏହାର ତନଖି କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗୁଡିକର ଯେପରି ତୁରନ୍ତ ସମାଧାନ ହୁଏ ସେଥିପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଏସବୁ ସତ୍ତ୍ୱେ ଦଶନ୍ଧି ଦଶନ୍ଧି ଧରି ଅଭିଯୁକ୍ତ ସରକାରୀ କର୍ମଚାରୀମାନଙ୍କ ବିରୁଦ୍ଧରେ ଉଭୟ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ଫୌଜଦାରୀ ମାମଲା ଗଡି ଚାଲୁଛି । ଏମିତିକି ବହୁ ଦୁର୍ନୀତି ନିବାରଣ ମାମଲା ବି ୧୦/୨୦ବର୍ଷ ଧରି ଘୁଷୁଡୁଛି । ଏଥିରୁ ଅଭିଯୁକ୍ତ ସରକାରୀ କର୍ମଚାରୀମାନେ ଫାଇଦା ଉଠାଉଛନ୍ତି ।

ରାଜ୍ୟ ସରକାରଙ୍କ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଯେଉଁ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ଅପରାଧିକ ମାମଲା ରହିଥାଏ ସେମାନଙ୍କୁ ପଦୋନ୍ନତି ନଦେଇ ପଦୋନ୍ନତି କମିଟି ଏମାନଙ୍କ ସମ୍ପର୍କରେ କରିଥିବା ସୁପାରିଶକୁ ଜଉମୁଦ ଦିଆ ଲଫାଫା ଭିତରେ ବନ୍ଦ କରି ରଖାଯାଇଥାଏ । ମାମଲାର ପରିସମାପ୍ତି ପରେ ଏହି ଲଫାଫା ଖୋଲି ଯଦି ସେମାନେ ଅଭିଯୁକ୍ତ ମୁକ୍ତ ହୋଇଥାନ୍ତି ତେବେ ସେମାନଙ୍କୁ ପଦୋନ୍ନତି ଦିଆଯାଇଥାଏ ।

ନିକଟରେ ଓଡ଼ିଶା ହାଇକୋର୍ଟ ଏ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ବର୍ଷ ବର୍ଷ ଧରି ଗଡୁଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ଅପରାଧିକ ମାମଲା ଅଭିଯୁକ୍ତ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ବାଧକ ହୋଇପାରିବ ନାହିଁ ବୋଲି କହିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଏଥିରୁ ଗୋଟିଏ କ୍ଷେତ୍ରରେ ୧୯ବର୍ଷ ଓ ଆଉ ଦୁଇଟି ଘଟଣାରେ ୨୪ବର୍ଷ ଧରି ମାମଲା ଗଡିଚାଲିଛି । (ତଥ୍ୟ)