Home General ଶୁଭକାନ୍ତଙ୍କୁ ଜାତୀୟ ଲାଡଲୀ ମିଡିଆ ପୁରସ୍କାର

ଶୁଭକାନ୍ତଙ୍କୁ ଜାତୀୟ ଲାଡଲୀ ମିଡିଆ ପୁରସ୍କାର

ଭୁବନେଶ୍ବର : ସାମାଜିକ  ଲିଙ୍ଗଗତ ସମ୍ବେଦନଶୀଳତା ପାଇଁ ଜାତୀୟ ସ୍ତରରେ ଦିଆ ଯାଉଥିବା ‘ଲାଡଲି ମିଡିଆ ଆଣ୍ଡ ଆଡଭଟାଇଜିଂ ଆଓ୍ଵାର୍ଡ-୨୦୨୧’ ଆଜି ଅନଲାଇନ୍ ଯୋଗେ ପ୍ରଦାନ କରାଯାଇଛି। ଓଡ଼ିଶାରୁ ତିନି ଜଣ ସାମ୍ବାଦିକ ଏବଂ ସ୍ତମ୍ଭକାର ଏହି ପୁରସ୍କାର ପାଇଛନ୍ତି।

ସମ୍ବାଦ ସାମ୍ବାଦିକ ଶୁଭକାନ୍ତ ପଢ଼ିହାରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଛି। ସମ୍ବାଦର ‘ରବିବାର’ ବିଭାଗ ୨୦୨୦ ଡିସେମ୍ବର ୨୭ ତାରିଖରେ ପ୍ରକାଶିତ ‘ଅସହାୟ ପରୀମାନେ’ ଷ୍ଟୋରି ବିଚାରକ ମଣ୍ଡଳୀ ଦ୍ବାରା ଯୋଗ୍ୟ ବିବେଚିତ ହୋଇଥିଲା।

ନୟାଗଡ଼ର ବହୁଚର୍ଚ୍ଚିତ ପରୀ ନିଖୋଜ ମାମଲାକୁ ଆଧାର କରି ଓଡ଼ିଶାରେ ଶିଶୁ ନିଖୋଜ ଘଟଣାକୁ ନେଇ ଏହି ତଥ୍ୟଭିତ୍ତିକ ଓ ମତାମତ ଷ୍ଟୋରି ପ୍ରକାଶ ପାଇଥିଲା। ଯାହା ପାଠକୀୟ ମହଲରେ ଆଦୃତି ଲାଭ କରିବା ସହ ଉଚ୍ଚ ପ୍ରଶଂସିତ ହୋଇ ପାରିଥିଲା।

ଏହା ସହ ସରକାରୀ ସ୍ତରରେ ମଧ୍ୟ ତତ୍ପରତା ପ୍ରକାଶ ପାଇଥିଲା। ନିଖୋଜ ନାବାଳିକାଙ୍କୁ ଖୋଜିବା ପାଇଁ ରାଜ୍ୟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଡ୍ରାଇଭ ହୋଇଥିଲା।

ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷ ଏବଂ ଭାରତରେ ଥିବା ନରଓ୍ୱେ ଦୂତାବାସର ମିଳିତ ସହଯୋଗରେ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନଲାଇନରେ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଖ୍ୟାତ ସ୍ତମ୍ଭକାର ଫାଏ ଡିସୌଜା ଏବଂ ସମ୍ମାନିତ ଅତିଥି ଭାବେ ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା କୋଷର ଭାରତ ପ୍ରତିନିଧି ଶ୍ରୀରାମ ହରିଦାସ ଯୋଗ ଦେଇଥିଲେ।