Home Agriculture ଶୀତଳଭଣ୍ଡାର ପାଇଁ ଉଦ୍ୟୋଗୀ ବିମୁଖ

ଶୀତଳଭଣ୍ଡାର ପାଇଁ ଉଦ୍ୟୋଗୀ ବିମୁଖ

120
0

ଭୁବନେଶ୍ୱର : ଉଦ୍ୟାନ କୃଷିର ସଫଳତା ପାଇଁ ଶୀତଳଭଣ୍ଡାର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ସରକାରଙ୍କ ସମସ୍ତ ପ୍ରକାର ପ୍ରୋତ୍ସାହନ ସତ୍ୱେ ରାଜ୍ୟରେ ଉଦ୍ୟୋଗୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ଯେତିକି ବି ଶୀତଳଭଣ୍ଡାର ରହିଛି ସେଥିରୁ ଦୁଇ ତୃତୀୟାଂଶ ଅଚଳ ।

ମିଳିଥିବା ସୂଚନାରୁ ଜଣାଯାଇଛି ଯେ ରାଜ୍ୟରେ ଏବେ ମୋଟ୍‍ ୧୨୯ଟି ଶୀତଳଭଣ୍ଡାର ଥିବାବେଳେ ସେଥିରୁ ମାତ୍ର ୪୯ଟି କାର୍ଯ୍ୟକ୍ଷମ ରହିଛି । ଅନ୍ୟଗୁଡିକୁ ସଚଳ କରିବାପାଇଁ ଆଗ୍ରହ ନାହିଁ । କେତେକ ଶୀତଳଭଣ୍ଡାର ଅତି ପୁରୁଣା ହୋଇଥିବାରୁ ତାହାର ପୁନରୁଦ୍ଧାରରେ ଅର୍ଥ ଶ୍ରାଦ୍ଧ କରିବାକୁ ବି ସରକାର ରାଜି ନୁହନ୍ତି ।

ତେବେ ବେସରକାରୀ ସ୍ତରରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ମୋଟା ଅଙ୍କର ସବ୍‍ସିଡ୍‍ ବ୍ୟବସ୍ଥା କରିଥିଲେ ମଧ୍ୟ ସେଥିପ୍ରତି ଯେଭଳି ଆଗ୍ରହ ପ୍ରକାଶ ପାଇବାକଥା ତାହା ହେଉନାହିଁ । ଏହି ଯୋଜନାରେ ସାଧାରଣ ଅଞ୍ଚଳ ପାଇଁ ୫୫ପ୍ରତିଶତ ବା ସର୍ବାଧିକ ୨କୋଟି ୨୦ଲକ୍ଷ, ଅନୁସୂଚିତ ଅଞ୍ଚଳ ପାଇଁ ୭୦ ପ୍ରତିଶତ ବା ସର୍ବାଧିକ ୨କୋଟି ୮୦ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇବାର ବ୍ୟବସ୍ଥା ଅଛି । ଏହାବାଦ୍‍ ବିଦ୍ୟୁତ୍‍ ଶୁଳ୍କ ଉପରେ ମଧ୍ୟ ସରକାର ରିହାତି ଘୋଷଣା କରିଛନ୍ତି ।

ଏତେ ସବୁ ପରେ ବି ରାଜ୍ୟରେ ଶୀଳତଭଣ୍ଡାର ସଂଖ୍ୟା ୫୦ ଛୁଇଁପାରି ନାହିଁ । ମାଲକାନଗିରି ଭଳି ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇପାରିଲା ନାହିଁ । ଏହି ଜିଲ୍ଲାରେ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଉଦ୍ୟୋଗୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ସମାନ ଅବସ୍ଥା । ମୋଟ୍‍ ୩୧୪ ବ୍ଲକରୁ ମାତ୍ର ୩୮ ବ୍ଲକରେ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଅଛି ।

ଶୀତଳଭଣ୍ଡାର ନଥିବାରୁ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ଉତ୍ପାଦିତ ଫଳ, ପନିପରିବା ଓ ଅନ୍ୟ କୃଷି ଭିତ୍ତିକ ସାମଗ୍ରୀର ଠିକଣା ସଂରକ୍ଷଣ ହୋଇପାରୁ ନାହିଁ । ଏହାର ବଡ ଉଦାହରଣ ହେଉଛି ଆଳୁ ସଂରକ୍ଷଣ । ଯଦିଓ ରାଜ୍ୟରେ ଆବଶ୍ୟକ ମୁତାବକ ଆଳୁ ଉତ୍ପାଦନ ହେଉନାହିଁ ତଥାପି ଯେତିକି ହେଉଛି ତାହାକୁ ସଂରକ୍ଷିତ କରି ରଖିବାପାଇଁ ଶୀତଳଭଣ୍ଡାର ନାହିଁ ।

ଫଳରେ ଆଳୁ ଅମଳ ସମୟରୁ ହିଁ ଅଳ୍ପ ଦରରେ ରାଜ୍ୟ ବାହାରର ବ୍ୟବସାୟୀମାନେ ସଂଗ୍ରହ କରିନେଇ ସେମାନଙ୍କ ରାଜ୍ୟରେ ଥିବା ଶୀତଳଭଣ୍ଡାରରେ ରଖୁଛନ୍ତି ଓ ତିରୋଟ ସମୟରେ ଚଢା ଦରରେ ଓଡିଶାକୁ ବିକ୍ରି କରୁଛନ୍ତି । ଉଲ୍ଲେଖନୀୟ ଯେ ରାଜ୍ୟରେ ବାର୍ଷିକ ୧୧ଲକ୍ଷ ମେଟ୍ରିକ ଟନ୍‍ ଆଳୁର ଆବଶ୍ୟକତା ଥିବାବେଳେ ୪ଲକ୍ଷ ଟନ୍‍ ପାଖପାଖି ଉତ୍ପାଦନ ହେଉଛି ।

କେବଳ ଆଳୁ ନୁହେଁ ଟମାଟୋ ଭଳି ପରିବା ମଧ୍ୟ ସଂରକ୍ଷଣ ଅଭାବରୁ ବିଲରେ ନଷ୍ଟହୋଇ ଯାଉଛି । ମଜୁରୀ ନମିଳିବାରୁ ଚାଷୀମାନେ ତାହାକୁ ଅମଳ କରୁନାହାନ୍ତି । ଏହାର ଏକମାତ୍ର କାରଣ ହେଉଛି ଏଠାରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ନାହିଁ । ସେହିଭଳି ସଂରକ୍ଷଣ ଅଭାବରୁ ବର୍ଷ ସାରା ଓଡିଶା ଅନ୍ୟ ରାଜ୍ୟରୁ କୋବି, ଟମାଟୋ, ଗାଜର, ବିଟ୍‍, କ୍ୟାପ୍ସିକମ୍‍ ଭଳି ପନିପରିବା ଆମଦାନୀ କରିବାକୁ ବାଧ୍ୟ ହେଉଛି ।

ଶୀତଳଭଣ୍ଡାର ନିର୍ମାଣ ପ୍ରତି ବିମୁଖତାର ମୁଖ୍ୟ କାରଣ ବିଜୁଳି ଦର ହୋଇଥିବାବେଳେ ଏହା ଉପରେ ଅଧିକ ସବ୍‍ସିଡ୍‍ ପାଇଁ ଚାଷୀମାନେ ମତ ଦେଉଛନ୍ତି । ଏହା ନହେଲେ ଘର ତିଆରି ଓ ଆନୁଷଙ୍ଗିକ ଯନ୍ତ୍ରପାତି ଲାଗି ଯେତେ ସହାୟତା ପ୍ରଦାନ କଲେ ବି ରାଜ୍ୟରେ ଶୀତଳଭଣ୍ଡାର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । (ତଥ୍ୟ)

LEAVE A REPLY

Please enter your comment!
Please enter your name here