Home Environment ଶୀତରେ ଥରିବ ଓଡିଶା

ଶୀତରେ ଥରିବ ଓଡିଶା

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ ଏବଂ ଏକ ସପ୍ତାହ ଯାଏଁ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ଦକ୍ଷିଣ ବଙ୍ଗୋପସାଗର ଓ ଥାଇଲ୍ୟାଣ୍ଡ ଉପକୂଳ ସଂଲଗ୍ନ ଦକ୍ଷିଣ ଚୀନ ସାଗର ଉପରେ ସୃଷ୍ଟ ସାଇକ୍ଲୋନିକ୍ ସର୍କୁଲେସନ୍ ଉତର-ପଶ୍ଚିମ ଏବଂ ଉତର-ଉତର-ପଶ୍ଚିମ ଦିଗରୁ ଆଫଗାନିସ୍ଥାନ ଓ ପାକିସ୍ଥାନ ଆଡୁ ଶୁଷ୍କ ଥଣ୍ଡା ପବନ ପ୍ରବାହକୁ ସାହାଯ୍ୟ କରୁଥିବାରୁ ଏହି ଶୀତ ଲହରୀ ଅନୁଭୂତ ହେଉଛି ବୋଲି ସିଇସିର ନିର୍ଦ୍ଦେଶକ ଡଃ ଶରତ ଚନ୍ଦ୍ର ସାହୁ ଶୁକ୍ରବାର ସୂଚନା ଦେଇଛନ୍ତି । ଏଥି ନିମନ୍ତେ ଏହି ଶୀତ ଲହରୀର ପ୍ରକୋପ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

ଜମ୍ମୁ ଓ କାଶ୍ମୀର ଠାରୁ ଆରବସାଗର ପର୍ଯ୍ୟନ୍ତ ଉତର-ପଶ୍ଚିମ ଭାରତ ମଧ୍ୟରେ ଏକ ଅପର ଏୟାର ଟ୍ରଫ୍ ସୃଷ୍ଟି ହୋଇଥିବା ବେଳେ ଏହା ପୂର୍ବ ଆଡକୁ ମୁହାଁଉଛି ଓ ଓଡ଼ିଶା ଉପକୂଳରେ ବଙ୍ଗୋପ ସାଗରରେ ଡିସେମ୍ବର ୧୯ ରେ ପହଂଚିବାର ସମ୍ଭାବନା ଥିବା ସେ କହିଛନ୍ତି ।

ଏହି ଶୀତର ପ୍ରକୋପ ଡିସେମ୍ବର ୧୯ ରୁ ୨୪ ପର୍ଯ୍ୟନ୍ତ ଅଧିକ ମାତ୍ରାରେ ବୃଦ୍ଧି ପାଇବ ଓ ବଡ଼ଦିନରୁ ପବନର ଗତିରେ ପରିବର୍ତନ ଯୋଗୁଁ ଶୀତର ପ୍ରକୋପ କିଛିଟା କମିପାରେ ବୋଲି ଡଃ ସାହୁ କହିଛନ୍ତି ।