Home General ଶିଶୁଲେଖାକୁ ନେଇ ଝଡ

ଶିଶୁଲେଖାକୁ ନେଇ ଝଡ

ଭୁବନେଶ୍ୱର : ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁନଃ ପ୍ରକାଶ ପାଇଥିବା ଓଡିଶା ସରକାରଙ୍କ ‘ଶିଶୁଲେଖା’ ପତ୍ରିକାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଝଡ ଉଠିଛି । କେତେକ ମହଲ ଏହି ପତ୍ରିକା ବିରୁଦ୍ଧରେ ଗୁରୁତର ମନ୍ତବ୍ୟ ଦେଉଥିବାବେଳେ ଆଉ କେତେକ ଏହି ଶିଶୁ ପତ୍ରିକା ପ୍ରକାଶନକୁ ବନ୍ଦ ନକରି ଅଧିକ ସରସ ସୁନ୍ଦର କରିବାପାଇଁ ମତବ୍ୟକ୍ତ କରୁଛନ୍ତି ।

ରାଜ୍ୟ ସରକାରଙ୍କ ଏକମାତ୍ର ଶିଶୁ ପତ୍ରିକା ଭାବେ ୧୯୭୧ ମସିହାରେ ‘ଶିଶୁଲେଖା’ ଜନ୍ମ ନେଇଥିଲା । ସେତେବେଳେ ଶିକ୍ଷା ବିଭାଗ ଏହାର ପ୍ରକାଶନ ଦାୟିତ୍ୱରେ ଥିଲା । ଓଡିଶାର ବହୁ ପ୍ରଥିତଯଶା ଶିଶୁ ସାହିତ୍ୟିକ ବିଭିନ୍ନ ସମୟରେ ଏହି ମାସିକ ପତ୍ରିକାର ସମ୍ପାଦନା ଦାୟିତ୍ୱରେ ରହୁଥିଲେ । ଏହି ପତ୍ରିକାଟି କେବଳ ଶିଶୁ ଓ କିଶୋର କାହିଁକି ବିଭିନ୍ନ ମହଲରେ ଆଦୃତି ଲାଭ କରିଥିଲା ଏବଂ ପ୍ରାୟ ପ୍ରତି ବିଦ୍ୟାଳୟରେ ମଧ୍ୟ ଏହା ପହଞ୍ଚୁଥିଲା । ତେବେ ୧୯୯୨-୯୩ ମସିହାରୁ ଏହାର ପ୍ରକାଶନ ବନ୍ଦ ରହିବାର ପ୍ରାୟ ୧୭ବର୍ଷ ପରେ ୨୦୧୦ରେ ପୁଣିଥରେ ଶିଶୁ ଲେଖା ରଙ୍ଗିନ ମାସିକ ଶିଶୁ ପତ୍ରିକା ଭାବେ ପୁନଃ ପ୍ରକାଶିତ ହୋଇଥିଲା । କିନ୍ତୁ ବିଭିନ୍ନ କାରଣରୁ ୨୦୧୩ରୁ ଏହା ପୁର୍ନବାର ବନ୍ଦହୋଇ ଯାଇଥିଲା ।

ତେବେ ପରବର୍ତ୍ତୀ ସମୟରେ ଏହି ଶିଶୁ ପତ୍ରିକାର ପ୍ରକାଶନ ଭାର ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନେଇ ଓଡିଆ ଭାଷା ପ୍ରତିଷ୍ଠାନ ମାଧ୍ୟମରେ ତାହାର ପୁନଃ ପ୍ରକାଶନ ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କ ସମ୍ପାଦନାରେ ଚଳିତ ବର୍ଷ ଏପ୍ରିଲ ମାସରୁ ତ୍ରୈମାସିକ ଶିଶୁ ପତ୍ରିକା ଭାବେ ଆରମ୍ଭ ହୋଇଛି । ଏହାର ପ୍ରଥମ ସଂଖ୍ୟାଟି ଏପ୍ରିଲ-ମଇ-ଜୁନ ମାସ ଲାଗି ରହିଥିଲା ଓ ଏହି ସଂଖ୍ୟାଟି ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଗସ୍ତର ୧୦୦ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ବିଶେଷାଙ୍କ ଭାବେ ପ୍ରକାଶ ପାଇଥିଲା । ଏହାର ଦ୍ୱିତୀୟ ସଂଖ୍ୟାଟି ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ପାଇଁ ପ୍ରଥିତ ଯଶା ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ହୋଇଛି ।

ଏହି ସଚିତ୍ର ରଙ୍ଗୀନ ପତ୍ରିକାରେ ୪୦ରୁ ଉର୍ଦ୍ଧ୍ୱ ଛବି ସହିତ ମନୋଜ ଦାସଙ୍କ ସଂକ୍ଷିପ୍ତ ଜୀବନୀ, ତାଙ୍କ ନିଜ ଲେଖା, ମହତବାଣୀ ଓ ତାଙ୍କ ସମ୍ପର୍କରେ ବିଭିନ୍ନ କବି ଓ ଲେଖକଙ୍କ ଅନ୍ୟୁନ ୨୮ଟି ଲେଖା ପ୍ରକାଶ ପାଇଛି । ଲେଖାଗୁଡିକ କେବଳ ଶିଶୁ ଓ କିଶୋର କାହିଁକି, ଅନ୍ୟମାନଙ୍କ ପାଇଁ ବି ବେଶ୍‍ ଉପାଦେୟ ହୋଇଥିଲେ ମଧ୍ୟ ଏଥିରେ ପ୍ରକାଶିତ ଏକ ଫଟୋଚିତ୍ର ଘେନି ସାମାଜିକ ଗଣମାଧ୍ୟମରେ ଝଡ ସୃଷ୍ଟିହୋଇଛି ।

ମନୋଜ ବାବୁଙ୍କ ଉପରେ ପି.ଏଚ୍‍ଡି କରିଥିବା ଡକ୍ଟର ପ୍ରବୀଣା ମହାନ୍ତି ତାଙ୍କର ୧୧ଟି ପୁସ୍ତକରୁ ସଂଗ୍ରହ କରି ମନୋଜଙ୍କ ମହତ ବାଣୀ ଉପସ୍ଥାପନା କରିଛନ୍ତି ଓ ସେଥିରେ ମନୋଜ ଦାସଙ୍କର ୧୨ଟି ଛବି ରହିଛି । ଏଥିରୁ ଗୋଟିଏ ଛବି କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ଏବଂ ସେହି ଛବି ଘେନି କେତେକ ମହଲ ଆପତ୍ତି ଉଠାଇଛନ୍ତି । ଏହି ଛବିରେ ଏକ ମାଇକ୍ରୋଫୋନ୍‍ ସମ୍ମୁଖରେ ମନୋଜ ବାବୁ ବକ୍ତବ୍ୟ ରଖୁଥିବା ଦେଖିବାକୁ ମିଳୁଛି । ତେବେ ଏହି ଛବିଟି ବିକୃତ ହୋଇଛି ବୋଲି କେତେକ ମହଲ ଆପତ୍ତି ଉଠାଇ ଶିଶୁ ଲେଖାର ଏହି ସ୍ୱତନ୍ତ୍ର ସଂଖ୍ୟାଟିକୁ ବାତିଲ କରିବା ସହ ପୁନଃ ପ୍ରକାଶନ ପାଇଁ ଦାବି କରିଛନ୍ତି ।

ଏଥି ସହ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟମାନ ପ୍ରକାଶ ପାଇଛି । ତେବେ ମୁଦ୍ରିତ କଳାକୃତି ଓ ଫଟୋଗୁଡିକ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଯେପରି ଭାଷା ପ୍ରୟୋଗ କରାଯାଉଛି ତାହାକୁ ଘେନି ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏହି ପତ୍ରିକାର ପରବର୍ତ୍ତୀ ସଂଖ୍ୟା ଲାଗି ଏବେ ପ୍ରସ୍ତୁତି ଚାଲିଥିବା ଜଣାପଡିଛି । (ତଥ୍ୟ)