Home Administration କେବେ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା ?

କେବେ ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା ?

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଅଟକି ଥିବା ମହଙ୍ଗାଭତ୍ତା (ଡିଏ) କୁ କେନ୍ଦ୍ର ସରକାର ତାଙ୍କ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମଞ୍ଜୁର କରିଥିବାବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କର୍ମଚାରୀ ଓ ପେନ୍‍ସନଭୋଗୀମାନେ ଚାହିଁ ବସିଛନ୍ତି । କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନ୍‍ସନଭୋଗୀମାନେ ଚଳିତବର୍ଷ ଜୁଲାଇ ପହିଲାରୁ ଅଧିକ ୧୧ପ୍ରତିଶତ ସହିତ ମୋଟ୍‍ ୨୮ ପ୍ରତିଶତ ଡିଏ ପାଉଛନ୍ତି ।

ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଏବେ ୧୭ ପ୍ରତିଶତ ହାରରେ ଡିଏ ପାଉଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ଚଳିତବର୍ଷ ଜୁଲାଇ ପହିଲାରୁ ୨୮ ପ୍ରତିଶତ ଡିଏ ପାଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ୧୭ ପ୍ରତିଶତ ଡିଏ ପାଉଥିବାବେଳେ କରୋନା ମହାମାରୀ ଯୋଗୁଁ ଅଟକିଥିବା ଡିଏକୁ କେନ୍ଦ୍ର ସରକାର ତାଙ୍କର କର୍ମଚାରୀଙ୍କ ପାଇଁ ୧୧ ପ୍ରତିଶତ ମଞ୍ଜୁର କରିଛନ୍ତି ।

ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ୨୦୧୯ ମସିହା ଅକ୍ଟୋବର ତାଙ୍କର କର୍ମଚାରୀଙ୍କ ମହଙ୍ଗାଭତ୍ତା ପରିମାଣ ୧୨ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି କରିଥିଲେ । କର୍ମଚାରୀମାନେ ଏହି ମହଙ୍ଗାଭତ୍ତାକୁ ପିଛିଲା ଭାବେ ସେହିବର୍ଷ ଜୁଲାଇରୁ ପାଇଥିଲେ । ଏହାପରେ ରାଜ୍ୟ ସରକାର ମଧ୍ୟ ନିଜର କର୍ମଚାରୀଙ୍କ ଲାଗି ଅନୁରୂପ ପରିମାଣର ଡିଏ ଲାଗୁ କରିଥିଲେ । ତେବେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ୨୦୧୯ ଜୁଲାଇ ପହିଲାରୁ ୧୭ପ୍ରତିଶତ ହାରରେ ଡିଏ ପାଉଥିବାବେଳେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ କିନ୍ତୁ ୨୦୨୦ ଜାନୁୟାରୀ ପହିଲାରୁ ବର୍ଦ୍ଧିତ ଡିଏ ପାଇଥିଲେ ।

ହେଲେ କେନ୍ଦ୍ର ସରକାର କେନ୍ଦ୍ର୍ରୀୟ କର୍ମଚାରୀ ଓ ପେନ୍‍ସନ ଭୋଗୀଙ୍କ ପାଇଁ ୧୧ପ୍ରତିଶତ ଡିଏ ବଢାଇଥିବାବେଳେ ରାଜ୍ୟ ସରକାର କେବେ ଲାଗୁ କରିବେ ତାହାକୁ ରାଜ୍ୟର କର୍ମଚାରୀମାନେ ଚାହିଁ ବସିଛନ୍ତି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁରୂପ ତୁରନ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୧୧ ପ୍ରତିଶତ ଡିଏ ବୃଦ୍ଧି କାର୍ଯ୍ୟକାରୀ କରିବାକୁ କର୍ମଚାରୀ ମହଲରୁ ଦାବି ହେଉଛି ।

ଲୋକସେବାଭବନର କିଛି କର୍ମଚାରୀଙ୍କ ମତରେ କେନ୍ଦ୍ର ସରକାର ତାଙ୍କର କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି କରିବା ପରେ ପରେ ରାଜ୍ୟ ସରକାର ଏହାକୁ ତୁରନ୍ତ ଲାଗୁ କରିବାକଥା । ହେଲେ କେନ୍ଦ୍ର ନିଷ୍ପତ୍ତିକୁ ତିନି ମାସ ପୂରିବାକୁ ବସିଥିବାବେଳେ ରାଜ୍ୟ ସରକାର ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରୁନାହାନ୍ତି । ସରକାରଙ୍କ ବର୍ଦ୍ଧିତ ମହଙ୍ଗାଭତ୍ତାକୁ ରାଜ୍ୟର ପ୍ରାୟ ୪ଲକ୍ଷ କର୍ମଚାରୀଙ୍କ ସମେତ ପେନ୍‍ସନଭୋଗୀମାନେ ମଧ୍ୟ ଚାହିଁ ବସିଛନ୍ତି । ଏ ପରିପ୍ରେକ୍ଷୀରେ ବର୍ଦ୍ଧିତ ମହଙ୍ଗା ଭତ୍ତା ସହିତ ବାକିଥିବା ସପ୍ତମ ବେତନ କମିଶନର ବର୍ଦ୍ଧିତ ଅର୍ଥ ପ୍ରଦାନ କରିବାକୁ କର୍ମଚାରୀମାନେ ମତ ଦେଇଛନ୍ତି । (ତଥ୍ୟ)