Home Health ଶିଶୁ ରୋଗୀ ହନ୍ତ ସନ୍ତ

ଶିଶୁ ରୋଗୀ ହନ୍ତ ସନ୍ତ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଏବେ ଶିଶୁରୋଗୀ ଛଟପଟ ହେଉଛନ୍ତି । ବିଭିନ୍ନ ରୋଗରେ ପୀଡିତ ଶିଶୁରୋଗୀଙ୍କୁ ଟିକେ ଡାକ୍ତର ଦେଖାଇବାପାଇଁ ସେମାନଙ୍କ ପିତା ମାନେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେଉଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଟିକଟଟିଏ ପାଇବାକୁ ପାହାନ୍ତା ପହରୁ ମା’ମାନେ ଛୁଆଙ୍କୁ କାଖରେ ଧରି ଲାଇନ୍‍ ଦେଉଛନ୍ତି ।

କୌଣସି ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇବାକୁ ହେଲେ ଟିକଟ କରିବା ଜରୁରୀ । ଏଥିପାଇଁ ସାଧାରଣ ଟିକଟ କାଉଣ୍ଟର ବ୍ୟତିତ ଶିଶୁ ୱାର୍ଡରେ ମଧ୍ୟ ଟିକଟ ବ୍ୟବସ୍ଥା ରହିଛି । ଉଭୟ ସ୍ଥାନରେ ପ୍ରବଳ ଗହଳି ହେଉଥିବାରୁ ଲୋକେ ପାହାନ୍ତା ପ୍ରହରରୁ ଆସି ଧାଡି ଲଗାଉଛନ୍ତି । କେଉଁଠି ରୋଗୀ ଟି ନିଜେ ଧାଡିରେ ଛିଡା ହେଉଛି ତ ଆଉ କେଉଁଠି ସେମାନଙ୍କ ସମ୍ପର୍କୀୟମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ।

ତେବେ ଶିଶୁ ୱାର୍ଡରେ ଅବ୍ୟବସ୍ଥା ସୀମା ଟପିଯାଇଛି । କାରଣ ଏଠାକୁ ଆସୁଥିବା କୁନି କୁନି ରୋଗିଣା ପିଲାମାନେ ମା’ କାଖ ଛାଡୁନଥିବାରୁ ବିଚରା ମା ନହେଲେ ବାପ ସେମାନଙ୍କୁ କାଖେଇ ଧାଡିରେ ଛିଡା ହେଉଛନ୍ତି । ପାହାନ୍ତା ପ୍ରହରରୁ ଏମାନେ ଧାଡି ଲଗାଉଥିଲେ ବି ସକାଳେ ୭.୩୦ରେ ଟିକଟ ମିଳିବାର ବ୍ୟବସ୍ଥା ହୋଇଛି । ତେବେ ଏଠାରେ ଟିକଟ କାଟିବା ଦାୟିତ୍ୱରେ ଥିବା ଠିକା ସଂସ୍ଥାର କର୍ମଚାରୀମାନେ ଠିକଣା ସମୟରେ ଆସୁନଥିବା ଦେଖିବାକୁ ମିଳୁଛି ।

ତେବେ ଟିକଟ କାଟିବା ଦାୟିତ୍ୱରେ ଥିବା କର୍ମଚାରୀମାନେ ଅନେକ ସମୟରେ ବିଳମ୍ବରେ ଆସିବା ସହିତ ଅତ୍ୟନ୍ତ ଧିମାରେ ଟିକଟ କାଟୁଥିବାରୁ ୧୫/୨୦ ଜଣଙ୍କୁ ଟିକଟ ନେବାକୁ ଘଣ୍ଟାଟିଏ ଲାଗି ଯାଉଛି । ଟିକଟ ନେବାପରେ ପୁଣିଥରେ ଶିଶୁରୋଗ ବିଶେଜ୍ଞଙ୍କ କୋଠରୀ ସାମ୍ନାରେ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଛି । ଫଳରେ ଉଭୟ ଶିଶୁ ରୋଗୀ ଓ ସେମାନଙ୍କୁ ଧରି ଛିଡା ହେଉଥିବା ଅଭିଭାବକ ପ୍ରବଳ ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ।

ଡାକ୍ତରଖାନା ସମ୍ମୁଖରେ ଥିବା ମୁଖ୍ୟ ଲାଇନ୍‍ କଥା ନହିଲେ ଭଲ । ରାତି ପାହିଲା ବେଳକୁ ଏଠାରେ ତିନି ଧାଡିରେ ଶହ ଶହ ଲୋକେ ଟିକଟ ପାଇଁ ଛିଡା ହେଉଛନ୍ତି । ଟିକଟ ପାଇଲା ପରେ ଡାକ୍ତରଙ୍କୁ ଦେଖାଇବାକୁ, ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା କରିବାକୁ ଅତି କମ୍‍ରେ ୫/୬ଟି ସ୍ଥାନରେ ଧାଡିରେ ଛିଡାହେବାକୁ ପଡୁଛି । ଫଳରେ ବହୁ ରୋଗୀ ବାଧ୍ୟହୋଇ ଘରୋଇ ଡାକ୍ତରଖାନା ଓ କ୍ଲିନିକ ମୁହାଁ ହେଉଥିବା ଲକ୍ଷ୍ୟ କରାଯାଉଛି ।

କ୍ୟାବିଟାଲ ହସ୍ପିଟାଲରେ ଅନ୍‍ଲାଇନ୍‍ରେ ଟିକଟ ବ୍ୟବସ୍ଥା ପାଇଁ ଦୀର୍ଘଦିନରୁ କାର୍ଯ୍ୟ ଚାଲୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା ସଫଳ ହୋଇପାରୁ ନାହିଁ । ଇତି ମଧ୍ୟରେ କଟକ ଏସ୍‍ସିବି ମେଡିକାଲ କଲେଜରେ ଏହା କାର୍ଯ୍ୟକାରୀ ହେଲାଣି । ଟିକଟ ଅନ୍‍ଲାଇନ୍‍ ତ ଦୂରରକଥା ଏବେ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ରିପୋର୍ଟ ଅନ୍‍ଲାଇନ୍‍ରେ ମିଳୁନଥିବାରୁ ଲୋକେ ଦୁଇ ବେଳା ଡାକ୍ତରଖାନକୁ ଦଉଡିବା ସହିତ ଲମ୍ବା ଧାଡିରେ ଛିଡା ହେଉଛନ୍ତି ।

ତେଣୁ କ୍ୟାପିଟାଲ ହସ୍ପିଟାଲ ଶିଶୁ ବିଭାଗରେ ଶିଶୁ ରୋଗୀମାନେ ସିଧାସଳଖ ଡାକ୍ତରଙ୍କୁ ଦେଖାଇବାର ବ୍ୟବସ୍ଥା ହେଉ । ଏଥି ସହିତ ଟିକଟ ପ୍ରଦାନ ସମୟରେ ପରିବର୍ତ୍ତନ କରି ଧାଡିରେ ଛିଡା ହେଉଥିବା ଲୋକେ କିଭଳି ସଅଳ ଟିକଟ ପାଇବେ ସେଥିପାଇଁ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here