Home General ଶିଶୁ ବିରୋଧୀ ହିଂସା ଦମନ ପାଇଁ ଆହ୍ୱାନ

ଶିଶୁ ବିରୋଧୀ ହିଂସା ଦମନ ପାଇଁ ଆହ୍ୱାନ

ପୁରୀ : ଶିଶୁଙ୍କ ପ୍ରତି ଯୌନ ନିର୍ୟାତନା ଏବଂ ହିଂସା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଇବା ସହିତ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।  ଯେଉଁସବୁ କ୍ଷେତ୍ର ଶିଶୁଙ୍କ ପାଇଁ ସ୍ପର୍ଶକାତର ତାହା ଚିହ୍ନଟ କରାଯିବା ଆବଶ୍ୟକ ।  ପୀଡ଼ିତ ଶିଶୁଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ଶିଶୁ କଲ୍ୟାଣ ଦିଗରେ କାର୍ୟ୍ୟରତ ସରକାରୀ ଓ  ବେସରକାରୀ ସଂଗଠନର କାର୍ୟ୍ୟକର୍ତ୍ତାଙ୍କ ସହଯୋଗ ତଥା ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ଉପରେ ବହୁ ବିଶିଷ୍ଟ ବକ୍ତା ମତପୋଷଣ କରିଛନ୍ତି।

 ଶିଶୁଙ୍କ ପ୍ରତି ଯୌନ ନିର୍ୟ୍ୟାତନା ଓ ଶୋଷଣର ବିଲୋପ ଶୀର୍ଷକ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର ର ଦୁତିୟ ଦିବସରେ ଯୋଗଦେଇ ବରିଷ୍ଠ ପୋଲିସ ଅଧିକାରୀ ସୁଧାଂଶୁ ଷଡଙ୍ଗୀ କହିଥିଲେ ସବୁ ପ୍ରତିକୂଳ ପରିସ୍ଥିତି ଭିତରେ ବି ଆମେ ପରିବର୍ତ୍ତନକୁ ଦେଖିପାରୁଛେ  । ଶିଶୁଙ୍କ ଉପରେ ହିଂସା ଘଟଣାରେ କେବଳ ପୋଲିସ ଉପରେ ଦାୟିତ୍ଵ ଠେଲିଦେଲେ ହେବନି ସାମଗ୍ରିକ ଭାବେ ପୋଲିସ ସମେତ ସମାଜର ସବୁ ବର୍ଗର ବ୍ୟକ୍ତି ବିଶେଷ ଏବଂ ଶିଶୁ ସୁରକ୍ଷା ଦିଗରେ କାର୍ୟ୍ୟରତ ସଂସ୍ଥା ଗୁଡ଼ିକର ସହଭାଗିତାରେ ହିଁ ସମସ୍ୟା ର ସମାଧାନ ହୋଇପାରିବ ।

ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦେଶକ ଡ.ରଶ୍ମି ସିଂହ ଶିଶୁ  ଯୌନ ନିର୍ୟ୍ୟାତନାରେ ଲିପ୍ତ ଅଭିଯୁକ୍ତଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ଓ କଠୋର କାର୍ୟ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ । ପଶ୍ଚିମବଙ୍ଗ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଯଶବନ୍ତି ଶ୍ରୀମନି , ଡି ସି ପି ସିଆର୍ ସଦସ୍ୟା ନିଧୀ ଦ୍ବିବେଦୀ, ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଦିବ୍ୟା ଶାଶ୍ଵତୀ ଏବଂ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ରାଜ୍ୟ  ପ୍ରୋଗ୍ରାମ ମ୍ୟାନେଜର  ପ୍ରିତିକନ୍ତ୍ ପଣ୍ଡା ପ୍ରମୁଖ ଶିଶୁଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସା ପ୍ରତିରୋଧ ଦିଗରେ ଥିବା ସମସ୍ୟା ଏବଂ ଏହାର ପ୍ରତିକାର ପନ୍ଥା ଉପରେ ଆଲୋକପାତ କରିଥିଲେ।

ନାଗରିକ ସମାଜ, ସ୍ୱେଚ୍ଛା ସେଵୀ ସଂଗଠନ ଏବଂ ସରକାରଙ୍କ ମିଳିତ ସହଯୋଗରେ ଶିଶୁ ବିରୋଧୀ ହିଂସା ଦମନ ପାଇଁ ଏକ ଉତ୍କୃଷ୍ଟ ମଡେଲ ପ୍ରସ୍ତୁତି ଉପରେ ଅଧିକାଂଶ ବକ୍ତା ମତ ରଖିଥିଲେ। ଏନଏସିଜି ଇଭାକ ଅଧ୍ୟକ୍ଷ ରଞ୍ଜନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମ ପ୍ରାରମ୍ଭରେ ମିଖାଇଲ ପ୍ରଧାନ, ଡ଼.ମିତାଲି ମହାନ୍ତି ଏବଂ ଜେଵା ଖାନ୍ ଶିଶୁଙ୍କ ପ୍ରତି ଯୌନ ନିର୍ୟାତନା ସଂକ୍ରାନ୍ତରେ ଓଡିଶା ଓ ଦିଲ୍ଲୀରେ ହୋଇଥିବା ଏକ ସର୍ଭେ ରିପୋର୍ଟର ବିଶ୍ଳେଷଣ କରିଥଲେ।

ଅନ୍ୟ ମାନଙ୍କ  ମଧ୍ୟରେ ନୀତି ଆୟୋଗ ଶିଶୁ ସୁରକ୍ଷା ସ୍ଥାୟୀ କମିଟି ସଦସ୍ୟ ସଞ୍ଜୟ କୁମାର ମିଶ୍ର, ଓ ଏଲ୍ ଏସ ର ପ୍ରକାଶ ରଥ, ସିଏସିଏଲର ଅଶୋକ ଝା, ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର ପ୍ରମୋଦ ଆଚାର୍ୟ୍ୟ, ଏସ କନାଇରମ୍ , ଡିସିପିସିଆର ପରାମର୍ଶଦାତା ମହମ୍ମଦ ସଲାମ ଖାନ୍, ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଆଟସେକ ଦକ୍ଷିଣ ଏସିଆ ର ମାନବେନ୍ଦ୍ର ନାଥ ମଣ୍ଡଳ, ଦକ୍ଷିଣ ପୂର୍ବ ଦିଲ୍ଲୀର ଶିଶୁ କଲ୍ୟାଣ କମିଟିର ରୂପ ସୁଦେଶ୍ ବିମଲ୍, ପୁଡୁଚେରୀର ଜୋସେଫ ଭିକ୍ଟର ରାଜ ପ୍ରମୁଖ ବିଭିନ୍ନ ଅଧିବେଶନରେ ବକ୍ତବ୍ୟ ରଖିଥିଲେ। ଉଦଯାପନ କାର୍ୟ୍ୟକ୍ରମରେ ସାଇଭାର ଡିଜି ରିଞ୍ଚେନ ଚୋଫେଲ୍ ଯୋଗ ଦେଇ କହିଥିଲେ ଯେ ଶିଶୁ ସୁରକ୍ଷା ଦିଗରେ ବିଭିନ୍ନ ସଂଗଠନ ପକ୍ଷରୁ ଯେଉଁ ସବୁ ସୁପାରିସ ଆସିଛି ତାହା ଆମେ ଠିକଣା ଭାବେ କାର୍ୟ୍ୟକାରୀ କରିବା ଉଚିତ୍ । ପିକକର କାର୍ୟ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ ।