Home Judiciary ଶିଶୁଙ୍କ ପ୍ରତି ଅପରାଧରେ ଦଣ୍ଡ ହାର କମ୍‍

ଶିଶୁଙ୍କ ପ୍ରତି ଅପରାଧରେ ଦଣ୍ଡ ହାର କମ୍‍

ଭୁବନେଶ୍ୱର ଶିଶୁମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧରେ ଦଣ୍ଡବିଧାନ ହାର ଢେର କମ ରହୁଥିବାବେଳେ ଏ ସଂକ୍ରାନ୍ତୀୟ ମାମଲା ଫଏସଲା ହେବାକୁ ବି ବର୍ଷ ବର୍ଷ ଲାଗିଯାଉଛି । ଫଳରେ ଶିଶୁମାନଙ୍କ ଅଧିକାର ସୁରକ୍ଷା ଓ ନିରାପତ୍ତା ପାଇଁ ସରକାର ଯେତେ ମନଲୋଭା ଯୋଜନା କରିବା ସହ କଡା ଆଇନ୍‍ ପ୍ରଣୟନ କଲେ ମଧ୍ୟ ଶିଶୁଙ୍କ ପ୍ରତି ନିର୍ଯ୍ୟାତନା ଲାଗି ରହୁଛି ଏବଂ ‘ଶିଶୁ ହସିଲେ ଦେଶ ହସିବ’ ବୋଲି ଦିଆଯାଉଥିବା ସରକାରୀ ସ୍ଲୋଗାନ ଧର୍ମକୁ ଆଖିଠାର ଭଳି ହେଉଛି ।

ସଦ୍ୟ ପ୍ରକାଶିତ ଏନ୍‍ସିଆରବି ରିପୋର୍ଟରୁ ଏହି ଉଦ୍‍ବେଗଜନକ ତଥ୍ୟ ଜଣାପଡିଛି । ଗତବର୍ଷ ଶେଷସୁଦ୍ଧା ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ୪,୧୬,୪୧୩ ମାମଲା ସମଗ୍ର ଦେଶରେ ବିଚାର ପ୍ରତୀକ୍ଷାରେ ଥିବାବେଳେ ଓଡିଶାରେ ଏଭଳି ମାମଲା ସଂଖ୍ୟା ୧୫,୨୨୮ ଥିଲା । ଚଳିତବର୍ଷର ଶିଶୁ ନିର୍ଯ୍ୟାତନା ମାମଲା ସହିତ ଚାର୍ଜସିଟ୍‍ ନହୋଇ ଥାନାରେ ପଡିଥିବା ମାମଲାକୁ ମିଶାଇଲେ ଶିଶୁ ନିର୍ଯ୍ୟାତନା ସଂକ୍ରାନ୍ତୀୟ ମାମଲା ସଂଖ୍ୟା ଢେର ଅଧିକ ହେବବୋଲି କୁହାଯାଉଛି ।

୨୦୧୯ ଶେଷ ବେଳକୁ ଓଡିଶାରେ ବିଚାର ପ୍ରତୀକ୍ଷାରେ ଏଭଳି ୧୨,୩୨୨ ମାମଲା ଥିବାବେଳେ ୨୦୨୦ ବର୍ଷରେ ବିଚାର ପାଇଁ ଆଉ ୩୨୨୬ ମାମଲା ଯୋଗ ହୋଇଥିଲା । ମୋଟାମୋଟି ଭାବେ ଓଡିଶାରେ ଶିଶୁଙ୍କ ପ୍ରତି ଘଟିଥିବା ବିଭିନ୍ନ କିସମର ୧୫,୫୪୮ଟି ମାମଲା ଗତବର୍ଷରେ ବିଚାର ପାଇଁ ରହିଥିବାବେଳେ ଏଥିରୁ ମାତ୍ର ୩୨୦ଟି ମାମଲା ଫଏସଲା ହୋଇଥିଲା ଯେଉଁଥିରୁ ୨୬୬ରେ ଅଭିଯୁକ୍ତ ଖସିଯାଇଥିବାବେଳେ ମାତ୍ର ୫୪ଟି ମାମଲାରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡିବିଧାନ ହୋଇଛି । ତେବେ ଆମ ବିଚାର ବ୍ୟବସ୍ଥାରେ ଉପର କୋର୍ଟରେ ଅପିଲ କରିବାର ସୁଯୋଗ ଥିବାରୁ ଦଣ୍ଡିତ ବ୍ୟକ୍ତିଙ୍କ ମଧ୍ୟରୁ ଅନେକ ବି ଏବେ ଜାମିନରେ ବାହାରେ ବୁଲୁଛନ୍ତି ।

ମୋଟାମୋଟି ଭାବେ ଶିଶୁଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧରେ ଗତବର୍ଷ ଓଡିଶାରେ ଦଣ୍ଡବିଧାନ ହାର ମାତ୍ର ୧୬.୯ ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ଏହି ହାର ୪୫.୧ ପ୍ରତିଶତ ରହିଥିଲା । ସବୁଠାରୁ ଉଦ୍‍ବେଗଜନକ ତଥ୍ୟ ହେଉଛି ଯେ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ଯେତେ ମାମଲା ବିଚାର ପ୍ରତୀକ୍ଷାରେ ଥିଲା ସେଥିରୁ ୯୭.୯ ପ୍ରତିଶତ ବିଚାର ନହୋଇ ବାକିଆ ମାମଲା ତାଲିକାରେ ସାମିଲ ହୋଇଥିବାବେଳେ ମାତ୍ର ୨.୧ ପ୍ରତିଶତ ମାମଲା ଫଏସଲା ହୋଇଥିଲା । ସମଗ୍ର ଦେଶରେ ଏ ସଂକ୍ରାନ୍ତୀୟ ୯୫ ପ୍ରତିଶତ ମାମଲା ଫଏସଲା ହୋଇପାରିନଥିଲା ।

ଏଠାରେ ଉଲ୍ଲେଖନୀୟ ଯେ ଶିଶୁଙ୍କ ସୁରକ୍ଷା ପାଇଁ ସରକାର ପୋକ୍‍ସୋ ଭଳି କଡା ଆଇନ୍‍ ପ୍ରଣୟନ କରିଛନ୍ତି । ତେବେ ପୋକ୍‍ସୋ ଆଇନ୍‍ ଆଧାରରେ ସମଗ୍ର ଦେଶରେ ୬୬ହଜାରରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଥିବାବେଳେ ଏ କ୍ଷେତ୍ରରେ ବି ଦଣ୍ଡବିଧାନ ହାର ଉତ୍ସାହପ୍ରଦ ନୁହେଁ । ଶିଶୁମାନଙ୍କୁ ଯୌନ ଶୋଷଣ, ବଳାତ୍କାର, ହତ୍ୟା, ଭ୍ରୁଣହତ୍ୟା, ଆକ୍ରମଣ, ଶିଶୁ ବିକ୍ରି, ଶିଶୁ ଶ୍ରମିକଙ୍କୁ ଖଟାଇବା, ଶିଶୁଙ୍କ ଅପହରଣ, ଚାଲାଣ ଆଦି ମାମଲା ସଂଖ୍ୟା ଆମ ଦେଶରେ ଢେର ଅଧିକ ରହୁଛି ।

ଶିଶୁମାନଙ୍କ ଅଧିକାରର ସୁରକ୍ଷା ଲାଗି କେନ୍ଦ୍ର ଓ ରାଜ୍ୟ ସ୍ତରରେ ସ୍ୱତନ୍ତ୍ର କମିଶନ ରହୁଥିବାବେଳେ କେନ୍ଦ୍ର ଓ ରାଜ୍ୟରେ ବି ସ୍ୱତନ୍ତ୍ର ବିଭାଗମାନ ରହିଛି । ଜିଲ୍ଲା ସ୍ତରରେ ଟାସ୍କଫୋର୍ସ ସହିତ ଜୁଭେନାଇଲ ଜଷ୍ଟିସବୋର୍ଡ ଓ ବାଳସ୍ୱଧାର ଗୃହ ଆଦି ମଧ୍ୟ ରହୁଛି । ଏହା ସତ୍ୱେ ବି ଆମ ଦେଶରେ ଶିଶୁମାନଙ୍କ ନିରାପତ୍ତା ଅଧିକାରକୁ କ୍ଷୁର୍ଣ୍ଣ କଲାଭଳି ଅପରାଧମାନ ଘଟି ଚାଲୁଛି । (ତଥ୍ୟ)