Home Industry ଶିଳ୍ପ ପ୍ରକଳ୍ପରେ ଉଲ୍ଲେଖନୟ ଅଗ୍ରଗତି

ଶିଳ୍ପ ପ୍ରକଳ୍ପରେ ଉଲ୍ଲେଖନୟ ଅଗ୍ରଗତି

ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବଡ଼ ବଡ଼ ଭିତ୍ତିଭୂମି ବିକାଶ ଏବଂ ଶିଳ୍ପାନୁଷ୍ଠାନ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ  ଅଗ୍ରଗତି ହୋଇଛି ।  ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ କ୍ୟାବିନେଟ୍‌  କମିଟି ପୁଞ୍ଜିନିବେଶ ପ୍ରକଳ୍ପ ତଦାରଖ  ଗ୍ରୁପ୍‌ (ସିସିଆଇପିଏମ୍‌ଜି ) ବୈଠକର ଆଲୋଚନାରୁ ଏହା ଜଣାପଡିଛି ।

ବୈଠକରେ  ଶିଳ୍ପ ବିଭାଗ  ପ୍ରମୁଖ ଶାସନ ସଚିବ  ହେମନ୍ତ କୁମାର ଶର୍ମା  ପ୍ରକଳ୍ପ କାର୍ଯ୍ୟାନ୍ୱୟନ  ସଂସ୍ଥାମାନଙ୍କ ଦ୍ୱାରା ୱେବ୍‌ସାଇଟ୍‌ରେ  ଅପ୍‌ଲୋଡ଼୍ କରାଯାଇଥିବା  କ୍ଷେତ୍ରସ୍ତରୀୟ  ସମସ୍ୟାଗୁଡିକ  ଆଲୋଚନା ପାଇଁ  ଉପସ୍ଥାପନ କରିଥିଲେ ।  

ସମସ୍ୟାଗୁଡିକର ବିଭିନ୍ନ ଦିଗକୁ  ବିଚାରକରି ସେସବୁର ଆଶୁ ସମାଧାନ ନିମନ୍ତେ ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର  ଆବଶ୍ୟକୀୟ  ନିର୍ଦ୍ଦେଶମାନ  ଦେଇଦେଇଥିଲେ ।  ପ୍ରକଳ୍ପଗୁଡିକର ବିଭିନ୍ନ ପର୍ଯ୍ୟାୟକାମ  ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ  ସମୟ ସାରଣୀ ନିର୍ଦ୍ଧାରଣ  କରି ତଦନୁଯାୟୀ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ  ସଂପୃକ୍ତ ଜିଲ୍ଲାପ୍ରଶାସନ, ସରକାରୀ ବିଭାଗ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନ  ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ଜଣାଇଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସୃଷ୍ଟି  ହୋଇଥିବା  କ୍ଷେତ୍ରସ୍ତରୀୟ ସମସ୍ୟାଗୁଡିକର ସମାଧାନ କରାଯାଇଛି,ଏବଂ,ସମସ୍ତ ପ୍ରକଳ୍ପ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ଚାଲୁ ରହିଛି ।  ପ୍ରକଳ୍ପଗୁଡିକର କ୍ରମ-ଅଗ୍ରଗତି ଓ ସଦ୍ୟତନ ସ୍ଥିତି ବିଷୟ ସୂଚନା  ନିୟମିତ ଭାବେ  ସିସିଆଇପିଏମ୍‌ଜି  ୱେବ୍‌ସାଇଟ୍‌ରେ  ଅପ୍‌ଲୋଡ୍‌ କରିବାକୁ ଶ୍ରୀ ଶର୍ମା  ସମସ୍ତ ପ୍ରକଳ୍ପ  କତ୍ତୁର୍ର୍ପକ୍ଷଙ୍କୁ କହିଥିଲେ ।  ଏହା ଦ୍ୱାରା  କ୍ଷେତ୍ରସ୍ତରରେ ସୃଷ୍ଟି ହେଉଥିବା ନୂଆ ସମସ୍ୟା ବିଷୟ ସଠିକଭାବେ  ଜଣାପଡିବ ଏବଂ ସଦନୁଯାୟୀ ପଦକ୍ଷେପ ନିଆଯିବ ।

ଭାରତ ସରକାରଙ୍କ ଶିଳ୍ପ ଏବଂ ଆନ୍ତବାଣିଜ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସୁମୀତା ଦୌରା କହିଥିଲେ ଯେ  କେନ୍ଦ୍ର ଓ ରାଜ୍ୟ  ସରକାରଙ୍କ ବିଭିନ୍ନ ବିଭାଗ ସହ ପ୍ରକଳ୍ପ ସଂସ୍ଥାମାନଙ୍କର ଏହି ମିଳିତ ବୈଠକ ପ୍ରକଳ୍ପ ଅଗ୍ରଗତିରେ ଅନେକ ଫଳପ୍ରଦ ହୋଇଛି ।  ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ଓ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ନିଆଯାଇଥିବା ସମୟୋପଯୋଗୀ ପଦକ୍ଷେପ ପାଇଁ ସେ ରାଜ୍ୟ ପ୍ରଶାସନର ଉଚ୍ଚ ପ୍ରଶଂସା କରିଥିଲେ ।

ବୈଠକରେ ବିଭିନ୍ନ ସେକ୍ଟରର ପ୍ରାୟ ୭୩,୫୩୧ କୋଟି ଟଙ୍କା ପୁଞ୍ଜି ନିବେଶ ହେଉଥିବା ୨୬ ଟି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ଏଗୁଡ଼ିକ ମଧ୍ୟରେ ପ୍ରାୟ ୨୨,୦୨୭ କୋଟି ଟଙ୍କା ଆକଳନର ୧୭ ଟି ରେଳବାଇ ପ୍ରକଳ୍ପ; ୧୫,୯୪୪ କୋଟି ଟଙ୍କା ଆକଳନର ୨ ଟି ବିଦ୍ୟୁତ୍‌ ପ୍ରକଳ୍ପ ; ୧୮,୮୫୮ କୋଟି ଟଙ୍କାର ୨ଟି ତୈଳ ଓ ଗ୍ୟାସ୍‌ ପ୍ରକଳ୍ପ; ୨,୩୦୨ କୋଟି ଟଙ୍କାର ୨ ଟି ରାସ୍ତା ଓ ଜାତୀୟ ରାଜପଥ ପ୍ରକଳ୍ପ; ୯,୮୯୭ କୋଟି ଟଙ୍କାର ଏମ୍‌.ସି.ଏଲ୍‌ କୋଇଲା ଖଣି ପ୍ରକଳ୍ପ; ଏବଂ, ୪,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ ଆକଳନର ୨ ଟି ସିମେଣ୍ଟ ଶିଳ୍ପାନୁଷ୍ଠାନ ଅନ୍ତର୍ଭୁକ୍ତ ।

ଏହି ସବୁ ପ୍ରକଳ୍ପ ନିମନ୍ତେ ଜଙ୍ଗଲ ଜମି ଅନୁମତି, କ୍ଷତିପୁରଣ ଆବଣ୍ଟନ, ସତ୍ତ୍ୱାଧିକାର ପ୍ରମାଣପତ୍ର, ସରକାରୀ ଜମିରେ କାର୍ଯ୍ୟପାଇଁ ଆଗୁଆ ଅନୁମତି, ବିଦ୍ୟୁତ୍‌ ଏବଂ ଫୋନ୍‌ ସଂଚାର ଟାୱାରର ସ୍ଥାନାନ୍ତରୀକରଣ ଆଦି ପ୍ରାୟ ୭୨ ଟି ଆବଶ୍ୟକତାର ଅନୁଶୀଳନ ହୋଇ ଆଶୁ ସମାଧାନ ପନ୍ଥାମାନ ନିର୍ଦ୍ଧାରଣ କରାଯାଇଥିଲା । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନେ ସିଧା ସଳଖ ନିଜ ନିଜର ସମସ୍ୟା ଓ ଅଗ୍ରଗତି ବିଷୟ ବୈଠକରେ ଜଣାଇଥିଲେ । ସଂପୃକ୍ତ ଜିଲ୍ଲାମାନଙ୍କରୁ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ କ୍ଷେତ୍ରସ୍ତରୀୟ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ରେଳବାଇ ନିର୍ଦ୍ଦେଶକ ଭୁପିନ୍ଦର ସିଂ ପୁନିଆଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।