Home Industry ଶିଳ୍ପବିହୀନ ଜିଲ୍ଲାକୁ ପ୍ରାଥମିକତା

ଶିଳ୍ପବିହୀନ ଜିଲ୍ଲାକୁ ପ୍ରାଥମିକତା

ଭୁବନେଶ୍ୱର : ଏଣିକି ରାଜ୍ୟରେ ଶିଳ୍ପପୁଞ୍ଜ ଓ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନବେଳେ ଶିଳ୍ପବିହୀନ ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ଦିଆଯିବ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଆଞ୍ଚଳିକ ବୈଷ୍ୟମତା ଦୂରୀଭୂତ ପାଇଁ ଏହା ଉପଯୁକ୍ତ ପଦକ୍ଷେପ ହେବା ସହ ଅର୍ଥନୈତିକ ସନ୍ତୁଳନ ବଜାୟ ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

ସଂପ୍ରତି କଳାହାଣ୍ଡି ଜିଲ୍ଲାରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଜୁ ଏକ୍ସପ୍ରେସ୍‌ େୱର ଉଭୟ ପାଶ୍ୱର୍ରେ ଶିଳ୍ପାୟନ ପାଇଁ ଆବଶ୍ୟକ ପରିମାଣର ସରକାରୀ ଜମି ଉପଲବ୍ଧ ରହିଛି । ଏଥି ସହିତ ବିଦୁ୍ୟତ, ଜଳ ଓ ସଡ଼କ ପ୍ରଭୃତି ଉପଲବ୍ଧ ଥିବା ଦୃଷ୍ଟିରୁ ନୂତନ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ଏକ ଅନୁକୂଳ ବାତାବରଣ ରହିଥିବା କ୍ୟାପ୍‌ଟେନ୍‌ ମିଶ୍ର ପ୍ରକାଶ କରିଛନ୍ତି ।

ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଳ୍ପପୁଞ୍ଜ ପ୍ରତିଷ୍ଠା ସକାଶେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା । ବିଶେଷ ଭାବେ ଶାନ୍ତିପୂର୍ଣ୍ଣ ଶିଳ୍ପା ପରିବେଶ ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପ୍ରକାଶ କରିଥିଲେ ।

ଏହି ଭର୍ଚୁଆଲ ବୈଠକରେ ଝାରସୁଗୁଡ଼ାଠାରେ ବେଦାନ୍ତ ଦ୍ୱାରା କରାଯାଉଥିବା ଆଲୁମିନିୟମ୍‌ ପାର୍କ, ଅନୁଗୁଳର ଆଲୁମିନିୟମ୍‌ ପାର୍କ, ଭଦ୍ରକର ଟେକ୍ସଟାଇଲ୍‌ କ୍ଲଷ୍ଟର, ପାରାଦ୍ୱୀପର ପ୍ଲାଷ୍ଟିକ୍‌ ପାର୍କ, ଡେରାସଠାରେ ନିର୍ମାଣାଧୀନ ସି-ଫୁଡ୍‌ ପାର୍କ ଏବଂ ୧୬ ନଂ ଜାତୀୟ ରାଜପଥ ଉପରେ ଗଢ଼ିଉଠୁଥିବା ଓଡ଼ିଶା ଇକୋନୋମିକ୍‌ କରିଡ଼ର ଉପରେ ଆଲୋଚନା କରାଯାଇଥିଲା ।

ଏଥି ସହିତ ଦୀପାର ଅଗ୍ରଗତି ସଂପର୍କରେ ଆଲୋଚନା କରାଯାଇଥିଲା । ତେବେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ରାଜ୍ୟର ଶିଳ୍ପାୟନ ଓ ଶିଳ୍ପ ପ୍ରଗତି ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିବା ଦର୍ଶାଇ ବିଭାଗର କାର୍ଯ୍ୟଧାରାକୁ ଆହୁରି ଶାଣିତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଯେଉଁସବୁ ଶିଳ୍ପପୁଞ୍ଜ ଚିହ୍ନଟ ହୋଇଛି ସେଗୁଡ଼ିକରେ ବିଜୁଳି, ପାଣି, ସଡ଼କ ଭଳି ଅତ୍ୟାବଶ୍ୟକୀୟ ଭିତ୍ତିଭୂମି ଉପଲବ୍ଧ କରିବା ଦିଗରେ ଇଡ଼୍‌କୋ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ଫଳରେ ଯେକୌଣସି ସମୟରେ ଆଗ୍ରହୀ ଶିଳ୍ପସଂସ୍ଥାକୁ ସେ ସବୁକୁ ପ୍ରଦର୍ଶିତ କରାଗଲେ ସେମାନେ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗଭର ହେବେ ବୋଲି ଶିଳ୍ପ ସଚିବ ଶ୍ରୀ ହେମନ୍ତ ଶର୍ମା ମତ ରଖିଥିଲେ ।

ବାୟୋ-ଇଥେନଲ୍‌ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ଆବେଦନ କରିବାକୁ ହେବ ବୋଲି ସଚିବ ପ୍ରକାଶ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ୫-‘ଟି’ ଓ ‘ମୋ ସରକାର’ ଅଧୀନକୁ ଆଣି କାର୍ଯ୍ୟକ୍ରମ ସଂଚାଳନ ପାଇଁ କୁହାଯାଇଥିଲା । ବୈଠକରେ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, ସିଜିଏମ୍‌, ପି ଆଣ୍ଡ ଏ, ଗଣେଶ୍ୱର ଜେନାଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here