Home News in Odia ଶରତଙ୍କ ହାତରେ ଓଡିଶା କଂଗ୍ରେସ ମଙ୍ଗ

ଶରତଙ୍କ ହାତରେ ଓଡିଶା କଂଗ୍ରେସ ମଙ୍ଗ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଜାତୀୟ କଂଗ୍ରେସ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କ ନାମ ଆଜି ବିଧିବଦ୍ଧ ଭାବେ ପ୍ରକାଶ ପାଇଛି । ଶ୍ରୀ ପଟ୍ଟନାୟକ ଦ୍ୱିତୀୟଥର ପାଇଁ ଓଡିଶା କଂଗ୍ରେସର ମଙ୍ଗ ଧରିଛନ୍ତି ।

ପ୍ରଦେଶ କଂଗ୍ରେସର ନୂତନ ସଭାପତି ନିଯୁକ୍ତି ସହିତ ଗତ ପ୍ରାୟ ଚାରିବର୍ଷ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି । ଦୀର୍ଘଦିନରୁ ସଭାପତି ପଦରୁ ଇସ୍ତଫା ଦେଇଥିବା ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଗ୍ରହଣ ସହିତ ଶରତଙ୍କୁ ନୂଆ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ।

ପୂର୍ବରୁ ମଧ୍ୟ ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସର ମୁଖିଆ ଚଉକିରେ ବସି ସାରିଛନ୍ତି । ଏହା ହେଉଛି ତାଙ୍କର ଦ୍ୱିତୀୟ ପାଳି । ସଭାପତି ପାଇଁ ନାମ ପ୍ରକାଶ ପରେ ସେ ସମସ୍ତଙ୍କୁ ନେଇ ଚାଲିବେ ଏବଂ ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ନିର୍ବାଚନ ପାଇଁ ପସ୍ତୁତ ହେବେବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥି ସହିତ ତାଙ୍କୁ ସଭାପତି ଭାବେ ନିଯୁକ୍ତ କରିଥିବାରୁ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।

ଉଲ୍ଲେଖ କରାଯାଇପାରେ ଯେ ଗତ ପଞ୍ଚାୟତ ଓ ପୌର ନିର୍ବାଚନ ସହିତ ଏକାଧିକ ଉପର୍ନିବାଚନରେ ଶୋଚନୀୟ ପରାଜୟ ପରେ ପ୍ରଦେଶ କଂଗ୍ରେସର ନୂତନ ସଭାପତି ନିଯକ୍ତି ନେଇ ଦାବି ଜୋର ଧରିଥିଲା । ପ୍ରଦେଶ କଂଗ୍ରେସର ବରିଷ୍ଠ ନେତାମାନେ ଏ ନେଇ ଦିଲ୍ଲୀ ଗସ୍ତ କରିବା ସହିତ ସୋନିଆ-ରାହୁଳଙ୍କ ଆଗରେ ଦାବି ରଖିଥିଲେ ।

ଏପରିକି ବିଧାନସଭାରେ ୯ଜଣ ବିଧାୟକ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସଭାପତି କରିବାପାଇଁ ଦାବି ଉଠିଥିଲା । ଏଥି ସହିତ ବିଧାନସଭାରେ ବିଧାୟକଦଳ ନେତା ପରିବର୍ତ୍ତନ ପାଇଁ କିଛି କଂଗ୍ରେସ ନେତା ଦାବି କରି ଆସୁଥିଲେ । ତେବେ ଦୀର୍ଘଦିନ ପରେ କଂଗ୍ରେସ ଦଳ ପକ୍ଷରୁ ପୁଣିଥରେ ଶରତ ମୁଣ୍ଡରେ ଶିରିପା ବନ୍ଧା ହୋଇଥିବାବେଳେ ସେ ଆଗାମୀ ଦିନରେ କିଭଳି କଂଗ୍ରେସ ନେତା ଓ କର୍ମୀଙ୍କୁ ଏକଜୁଟ କରି ଆଗକୁ ବଢିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।

LEAVE A REPLY

Please enter your comment!
Please enter your name here