Home Administration ଲୋକାୟୁକ୍ତ ପାଇଁ ମାନବ ସମ୍ବଳ ଆବଶ୍ୟକ

ଲୋକାୟୁକ୍ତ ପାଇଁ ମାନବ ସମ୍ବଳ ଆବଶ୍ୟକ

ଭୁବନେଶ୍ୱର : ଓଡ଼ିଶା ଲୋକାୟୁକ୍ତଙ୍କ ପାଇଁ ଅଧିକ ମାନବ ସମ୍ବଳ ସହିତ ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦିଆଗଲେ ରାଜ୍ୟର ସାଧାରଣ ଜନତାଙ୍କ ପାଇଁ ସ୍ୱଚ୍ଛ ପ୍ରଶାସନ ନିଶ୍ଚିତ କରିବାରେ ଏହି ସଂସ୍ଥା ସହାୟକ ହୋଇପାରିବ ବୋଲି ସୁପ୍ରିମ୍‍କୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଜଷ୍ଟିସ୍‍ ପଟ୍ଟନାୟକ ଓଡ଼ିଶା ଲୋକାୟୁକ୍ତ ପାଇଁ ସଭ୍ୟ ଚୟନ କମିଟିରେ ଅଛନ୍ତି ।

ଓଡ଼ିଶା ଲୋକାୟୁକ୍ତଙ୍କ ବାର୍ଷିକ ବିବରଣୀରେ ଜଷ୍ଟିସ୍‍ ପଟ୍ଟନାୟକଙ୍କ ଏହି ମନ୍ତବ୍ୟ ସ୍ଥାନ ପାଇଛି । ବିଶେଷକରି ଲୋକାୟୁକ୍ତଙ୍କ ନିକଟରେ ରୁଜୁ ଅଭିଯୋଗରେ ତଦନ୍ତ ପାଇଁ ନିଜସ୍ୱ ସଂସ୍ଥା ନ ଥିବା ପରିପ୍ରେକ୍ଷୀରେ ଜଷ୍ଟିସ୍‍ ପଟ୍ଟନାୟକ ଏହି ସଂସ୍ଥା ଅଧିନରେ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟକୁ ରଖିବା ଲାଗି ମତ ଦେଇଛନ୍ତି । ଦୁର୍ନୀତି ନିବାରଣ ସଂସ୍ଥା ଲୋକାୟୁକ୍ତଙ୍କ ଅଧିନରେ ରହିଲେ ଦୁର୍ନୀତି ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ହୋଇପାରିବ ଏବଂ ଏହା ରାଜନୈତିକ ପ୍ରଭାବରୁ ଊର୍ଦ୍ଧ୍ୱରେ ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଓଡ଼ିଶା ଲୋକାୟୁକ୍ତ ସଂସ୍ଥା ଏବେ ରାଜଧାନୀର ସତ୍ୟନଗର ଅଞ୍ଚଳରେ ଥିବା ତୋଷାଳୀ ଭବନରେ ଚାଲୁଛି । ଏଠାରେ ସୂଚନା କମିଶନଙ୍କଠାରୁ ଆରମ୍ଭ କରି ସୂଚନା କମିଶନ, ମାନବିକ ଅଧିକାର କମିଶନ, ରାଜ୍ୟ ନିର୍ବାଚନ କମିଶନ, ମହିଳା କମିଶନ ଆଦି ବହୁ ସଂସ୍ଥା କାର୍ଯ୍ୟ କରୁଛନ୍ତି । ଲୋକାୟୁକ୍ତଙ୍କ ପାଇଁ ଏବେ ୩ଟି ମହଲା ଦିଆଯାଇଛି । ଯେଉଁଠି ଲୋକାୟୁକ୍ତଙ୍କ ଅଦାଲତ ସହିତ ଅଦାଲତି ବିଭାଗ ଏବଂ ଅନ୍ୟାନ୍ୟ ଦପ୍ତର ସମେତ ଲୋକାୟୁକ୍ତମାନଙ୍କ ଚାମ୍ବର ରହୁଛି ।

ନିକଟରେ ରାଜ୍ୟ ସରକାର ଲୋକାୟୁକ୍ତକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଭିନ୍ନ ପାହ୍ୟାରେ ୧୫୦ଟି ନୂଆ ପଦବୀ ମଞ୍ଜୁର କରିଛନ୍ତି । ଏସବୁ ପଦବୀରେ ନିଯୁକ୍ତି ଦିଆଗଲେ ତୋଷାଳୀ ଭବନର ଦପ୍ତରରେ ସ୍ଥାନ ନିଅଣ୍ଟ ପଡ଼ିବ । ସରକାର ଇତିମଧ୍ୟରେ ଭରତପୁର ମୌଜାରେ ଲୋକାୟୁକ୍ତଙ୍କ ଦପ୍ତରର ସୌଧ ନିର୍ମାଣ ପାଇଁ ଗୋଟିଏ ଏକର ଜମି ଦେଇଛନ୍ତି । ଏ ପରିପ୍ରେକ୍ଷୀରେ ଲୋକାୟୁକ୍ତ ତାଙ୍କ ରିପୋର୍ଟରେ ସ୍ଥାନ ଅଭାବ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଭାବେ ଦୁଇ ଏକର ଜମି ସହ ୧୫ହଜାର ବର୍ଗଫୁଟ ପରିମିତ ଦପ୍ତର ସୌଧ ନିର୍ମାଣ ଲାଗି ଉଲ୍ଲେଖ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଇତିମଧ୍ୟରେ ରାଜ୍ୟ ସରକାର ଲୋକାୟୁକ୍ତଙ୍କୁ ଅଧିକ ସଶକ୍ତ କରିବା ପାଇଁ ଆଇନ୍‍ରେ କେତେକ ସଂଶୋଧନ ଆଣିଛନ୍ତି ଏବଂ ଆଉ କେତେକ କ୍ଷେତ୍ରରେ ମଧ୍ୟ ସଂଶୋଧନ ଆଣିବାକୁ ଯାଉଛନ୍ତି । ଏହାଛଡ଼ା ବଜେଟ୍‍ରେ ଲୋକାୟୁକ୍ତ ସଂସ୍ଥା ପାଇଁ ମଧ୍ୟ ଅଧିକ ଅର୍ଥ ବରାଦ କରାଯାଇଛି ।

ଦୀର୍ଘବର୍ଷ ଧରି ଲୋକପାଳ ସଂସ୍ଥା ଅଚଳ ହୋଇପଡ଼ିଥିଲା । ନୂଆ ଆଇନ୍‍ ଆଧାରରେ ଓଡ଼ିଶା ଲୋକାୟୁକ୍ତର ଅଧ୍ୟକ୍ଷ ଭାବେ ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅଜିତ୍‍ ସିଂହଙ୍କୁ ଅଧ୍ୟକ୍ଷ ଓ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିଜୟ କୁମାର ନାୟକଙ୍କୁ ଅନ୍ୟତମ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି ।

ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ଡ. ଦେବବ୍ରତ ସ୍ୱାଇଁ ଓ ପୂର୍ବତନ ଓଡ଼ିଶା ପୁଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ରାଜ୍ୟ ଲୋକାୟୁକ୍ତର ଅନ୍ୟତମ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଅଧ୍ୟକ୍ଷଙ୍କ ସମେତ ୪ ଜଣଙ୍କୁ ନେଇ ଓଡ଼ିଶା ଲୋକାୟୁକ୍ତ ଚାଲିଥିବା ପରିପ୍ରେକ୍ଷୀରେ ଅଧିକରୁ ଅଧିକ ଅଭିଯୋଗର ତ୍ୱରିତ ଫଇସଲା ହୋଇପାରୁଛି । (ତଥ୍ୟ)