Home Judiciary ଲୋକାୟୁକ୍ତଙ୍କର ନିଜସ୍ୱ ତଦନ୍ତ ସଂସ୍ଥା ନାହିଁ

ଲୋକାୟୁକ୍ତଙ୍କର ନିଜସ୍ୱ ତଦନ୍ତ ସଂସ୍ଥା ନାହିଁ

ଭୁବନେଶ୍ୱର : ଓଡିଶାର ଲୋକାୟୁକ୍ତଙ୍କ ନିକଟରେ ପ୍ରତିବର୍ଷ ସହସ୍ରାଧିକ ଦୁର୍ନୀତି ମାମଲା ରୁଜୁ ହେଉଛି । ତେବେ ଅଭିଯୋଗର ତଦନ୍ତ ଲାଗି ଲୋକାୟୁକ୍ତଙ୍କ ନିକଟରେ ନିଜସ୍ୱ ତଦନ୍ତକାରୀ ସଂସ୍ଥା ନାହିଁ । ଏ ପରିପ୍ରେକ୍ଷୀରେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟକୁ ଲୋକାୟୁକ୍ତଙ୍କ ଅଧିନରେ ରଖିବାପାଇଁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଥିଲେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ ।

ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ଲୋକପାଳ ଗଠନ କରାଯାଇଛି । ପରବର୍ତ୍ତୀ ସମୟରେ ଅନ୍ୟ ରାଜ୍ୟମାନେ ଲୋକପାଳ ସଂସ୍ଥା ଆପଣେଇଥିଲେ । କେନ୍ଦ୍ର ସରକାର ୨୦୧୩ରେ ଲୋକପାଳ, ଲୋକାୟୁକ୍ତ ଆଇନ୍‍ ପ୍ରଣୟନ କରିବାପରେ ଏହା ଆଧାରରେ ୨୦୧୪ରେ ଓଡିଶା ସରକାର ଲୋକାୟୁକ୍ତ ଆଇନ୍‍ ଆଣିଥିଲେ । ଏହି ଆଇନ୍‍ରେ ଲୋକାୟୁକ୍ତ ଓ ଅନ୍ୟ ୫ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଅଛି । ଏବେ ଗୌହ୍ୱାଟି ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଅଜିତ୍‍ ସିଂହ ଓଡିଶାର ଲୋକାୟୁକ୍ତ ଥିବାବେଳେ ଆଉ ତିନିଜଣ ସଦସ୍ୟ ମଧ୍ୟ କାର୍ଯ୍ୟରତ ଅଛନ୍ତି ।

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ପଞ୍ଚାୟତ ଓ ପୌରସଂସ୍ଥାର ମୁଖ୍ୟ ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଦପ୍ତର ସମତେ ନିଗମ, କମ୍ପାନୀ, ସମିତି ଆଦିର ଦୁର୍ନୀତି ଅଭିଯୋଗ ମାମଲା ଲୋକାୟୁକ୍ତଙ୍କ ନିକଟରେ ରୁଜୁ ହୋଇପାରିବ । ଅଭିଯୋଗପ୍ରାପ୍ତି ପରେ ସାଧାରଣତଃ ଲୋକାୟୁକ୍ତ ବିଭିନ୍ନ ପକ୍ଷଙ୍କୁ ନୋଟିସ୍‍ ଜାରି କରିବା ସହ ସେମାନଙ୍କ ପକ୍ଷର ଯୁକ୍ତି ଶୁଣିଥାନ୍ତି ଏବଂ ଯେଉଁ କ୍ଷେତ୍ରରେ ଆବଶ୍ୟକ ମନେକରନ୍ତି ଅଭିଯୋଗର ତଦନ୍ତ କରାଇଥାନ୍ତି ।

ତେବେ ଦୁର୍ନୀତି ଅଭିଯୋଗର ତଦନ୍ତ ଲାଗି ଲୋକାୟୁକ୍ତଙ୍କ ଅଧିନରେ ଏଯାବତ୍‍ ନିଜସ୍ୱ ତଦନ୍ତକାରୀ ସଂସ୍ଥା ନାହିଁ । ଏ ପରିପ୍ରେକ୍ଷୀରେ ଲୋକାୟୁକ୍ତଙ୍କୁ ଅଧିକ ସକ୍ରିୟ କରିବାପାଇଁ ତାହାଙ୍କ ଅଧିନରେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟକୁ ରଖିବାପାଇଁ ସୁପ୍ରିମ୍‍କୋର୍ଟର ପୂର୍ବତନ ବିଚାରପତି ତଥା ଲୋକାୟୁକ୍ତ ଚୟନ କମିଟିର ଅନ୍ୟତମ ସଦସ୍ୟ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ପୂର୍ବରୁ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ମହଲ ମଧ୍ୟ ଲୋକାୟୁକ୍ତଙ୍କର ନିଜସ୍ୱ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଉପରେ ଗୁରୁତ୍ୱଦେଇ ଆସୁଛନ୍ତି ।

ଉଚ୍ଚ ପଦ ପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଆସୁଥିବା ଅଭିଯୋଗର ତଦନ୍ତ ଭାର ଗତାନୁଗତିକ ଭାବେ ସମ୍ପୃକ୍ତ ବିଭାଗ କିମ୍ବା ପୁଲିସ୍‍କୁ ଦିଆଗଲେ ତଦନ୍ତର ନିରପେକ୍ଷତା ଘେନି ପ୍ରଶ୍ନବାଚୀ ଉଠିପାରେ । ଏହି ଦୃଷ୍ଟିରୁ ଲୋକପାଳଙ୍କ ନିକଟରେ ନିଜସ୍ୱ ତଦନ୍ତକାରୀ ସଂସ୍ଥା ରଖାଯିବା ଅତ୍ୟନ୍ତ ଜରୁରୀ ବୋଲି ବହୁ ସାମାଜିକର୍ମୀ ଓ ଆଇନ୍‍ଜୀବୀ ମତବ୍ୟକ୍ତ କରୁଛନ୍ତି ।

କେବଳ ସେତିକି ନୁହେଁ ଲୋକାୟୁକ୍ତ ଅନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ଓ ଜାଗା ଯୋଗାଇଦେବା ଲାଗି ମଧ୍ୟ ମତପ୍ରକାଶ ପାଉଛି । ତୋଷାଳି ପ୍ଲାଜାରେ ଅନ୍ୟାନ୍ୟ ବହୁ ଦପ୍ତର ସହ ଏବେ ଲୋକାୟୁକ୍ତଙ୍କ ଦପ୍ତର ବି ଚାଲୁଛି । ରାଜଧାନୀର କେନ୍ଦ୍ରସ୍ଥଳରେ ପର୍ଯ୍ୟାପ୍ତ କୋଠରୀ ଓ ସ୍ଥାନ ସହିତ ସ୍ୱତନ୍ତ୍ର ଲୋକାୟୁକ୍ତ ଦପ୍ତର ପ୍ରତିଷ୍ଠା କରିବାକୁ ମଧ୍ୟ ବିଭିନ୍ନ ମହଲରୁ ଦାବି ଉଠୁଛି । ଏମିତିକି ଜଷ୍ଟିସ ପଟ୍ଟନାୟକ ମଧ୍ୟ ଲୋକପାଳଙ୍କ ଦପ୍ତର ପାଇଁ ସ୍ୱତନ୍ତ୍ର ଅଫିସ ଗୃହ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ଓ ଅଧିକ କର୍ମଚାରୀ ବ୍ୟବସ୍ଥା ଉପରେ ଗୁରୁତ୍ୱଆରୋପ କରିଥିବା ଘଟଣା ଓଡିଶା ଲୋକାୟୁକ୍ତଙ୍କ ପ୍ରଥମ ବାର୍ଷିକ ରିପୋର୍ଟରେ ଉଲ୍ଲେଖ ରହିଛି । (ତଥ୍ୟ)