Home News in Odia ଖରା କମିଲେ ବିଜେଡି ବିରୋଧ କରିବ

ଖରା କମିଲେ ବିଜେଡି ବିରୋଧ କରିବ

ଭୁବନେଶ୍ୱର : ଖରା ପ୍ରକୋପ କମିଲେ ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୁଦ୍ଧରେ ବିଜେଡି ଜୋରଦାର ଆନ୍ଦୋଳନ କରିବ । ଆଜି ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୫୦ଟଙ୍କା ବଢିବାପରେ ଏହି ସୂଚନା ଦେଇଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ।

ଗ୍ୟାସ ଦର ବୃଦ୍ଧି ଉପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ମଲ୍ଲିକ କହିଛନ୍ତି ଏଭଳି ଦରବୃଦ୍ଧି ରାଜ୍ୟର ଖାଉଟିମାନଙ୍କୁ ବାଧିଛି । ଏହା କେନ୍ଦ୍ର ସରକାରଙ୍କର ଜନମାରଣ ନୀତି । ଏହାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ । ତେବେ ବର୍ତ୍ତମାନ ପ୍ରବଳ ଖରା ହେଉଥିବାରୁ ବିଜେଡି ଦରବୃଦ୍ଧି ବିରୁଦ୍ଧରେ ଆନ୍ଦୋଳନ କରିବନାହିଁ । କାରଣ ପ୍ରବଳ ଖରାରେ ଲୋକଙ୍କୁ ଏକାଠି କଲେ କିଛି କ୍ଷତି ହୋଇପାରେ । ଖରା କମିଲେ ବିଜେଡି ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ଆନ୍ଦୋଳନ କରିବ ବୋଲି ବିଜେଡି ନେତ୍ରୀ କହିଛନ୍ତି ।

ତେବେ କଂଗ୍ରେସ କିନ୍ତୁ ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହିତ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରିବ ବୋଲି ବିଧାୟକ ସନ୍ତୋଷ ସିଂହ ସାଲୁଜା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗ୍ୟାସର ଦର ତୁହାକୁ ତୁହା ବଢିବା ଏବେ ସାଧାରଣ ଲୋକଙ୍କୁ ବାଧୁଛି ।

ଗ୍ୟାସ ଦରବୃଦ୍ଧିକୁ ନେଇ କିନ୍ତୁ ଟଙ୍କିକିଆ ଚାଉଳକୁ ଦୋଷ ଦେଇଛନ୍ତି ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଲୋକେ ଟଙ୍କିକିଆ ଚାଉଳ ଖାଉଛନ୍ତି, ତେଣୁ ଗ୍ୟାସ ବାବଦରେ ଅଧିକ ଟଙ୍କା ଗଣିବେ । ଗ୍ୟାସ ଦର ସବୁବେଳେ ଉପର ତଳ ହେଉଛି । ଯେତେବେଳେ କମୁଛି କେହି କିଛି କହୁନାହାନ୍ତି, ହେଲେ ବଢିବା ବେଳକୁ ବିରୋଧ କରୁଛନ୍ତି ।