Home Health ଲେଖୁ ନାହାନ୍ତି ଜେନେରିକ

ଲେଖୁ ନାହାନ୍ତି ଜେନେରିକ

ଭୁବନେଶ୍ୱର : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ପ୍ରେସକ୍ରିପସନ ଲେଖିବାକୁ ବାରମ୍ବାର କୁହାଗଲେ ବି ତାହାକୁ ଅନେକ ଡାକ୍ତର ମାନୁ ନାହାନ୍ତି । ଔଷଧର ଜେନେରିକ ନାମ ଲେଖିବା ବଦଳରେ ସିଧାସଳଖ କମ୍ପାନୀ ପ୍ରଦତ୍ତ ନାମ ଲେଖି ରୋଗୀଙ୍କୁ ଧରାଇ ଦେଉଛନ୍ତି । ଏ ନେଇ ନିୟମିତ ଅଡିଟ୍‍ ବି ହେଉନାହିଁ ।

ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅଛି ପ୍ରେସକ୍ରିପସନରେ ଡାକ୍ତରମାନେ କ୍ୟାପିଟାଲ ଅକ୍ଷରେ କେବଳ ଔଷଧର ଜେନେରିକ ନାଁ ଲେଖିବେ । ଫଳରେ ରୋଗୀଟି ତା ପକେଟକୁ ସୁହାଇଲା ଭଳି କମ୍ପାନୀର ଔଷଧ କିଣିପାରିବ । କାରଣ ସମାନ କମ୍ପୋଜିସନ ଥାଇ ବିଭିନ୍ନ କମ୍ପାନୀ ଔଷଧ ବଜାରରେ ଭିନ୍ନ ଭିନ୍ନ ଦରରେ ଉପଲବ୍ଧ । ହେଲେ ସରକାରଙ୍କର ଏହି ନିର୍ଦ୍ଦେଶନାମାକୁ ଡାକ୍ତରମାନେ ବହୁ କ୍ଷେତ୍ରରେ ମାନୁ ନାହାନ୍ତି । ଏ ନେଇ ସରକାର ବି ଠିକଣା ସମୟରେ ଅଡିଟ୍‍ କରୁନଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତିା

ସିଏଜି ଦର୍ଶାଇଛନ୍ତି ଯେ ଔଷଧର ଯୁକ୍ତିଯୁକ୍ତ ବ୍ୟବହାର ନିଶ୍ଚିତ କରିବାକୁ ପ୍ରେସକ୍ରିପସନ ଅଡିଟ ହେଉଛି ଏକ ପ୍ରକ୍ରିୟା । ଡାକ୍ତରଖାନାରେ ଥିବା ଡିଟିସି ଗୁଡିକ ପ୍ରତିମାସରେ ଏହାକୁ ଅଡିଟ୍‍ କରିବାକଥା ଏବଂ ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶଦାତା କମିଟି ପ୍ରତି ତିନି ମାସରେ ସଙ୍କଳିତ ଅଡିଟ୍‍ ରିପୋର୍ଟକୁ ରାଜ୍ୟସ୍ତରରେ ସମୀକ୍ଷା କରିବା ଆବଶ୍ୟକ । ଛୋଟ କାଟିଆ ଚିକିତ୍ସାଳୟ ତ ଦୂରରକଥା କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ର ବି ପ୍ରେସକ୍ରିପସନ ଅଡିଟ୍‍ କରିନଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ୧୪ଟି ଜିଲ୍ଲା ୨୦୧୭-୧୮ ବର୍ଷରେ ଯଦିଓ ପ୍ରେସକ୍ରିପସନ ଅଡିଟ୍‍ରେ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ୨୦୧୮-୧୯ ବର୍ଷରେ ଏଥିରେ ବ୍ୟତିକ୍ରମ କରିଥିଲେ । ସେହିଭଳି କେତେ ମାସ ପ୍ରେସକ୍ରିପସନ ହୋଇଛି ତାହାର ଅନୁଧ୍ୟାନରୁ ଜଣାଯାଇଛି ଯେ ୨୦୧୬ ରୁ ୨୦୧୯ ମାସ ମଧ୍ୟରେ କେବଳ ୮ରୁ ୩୫ମାସ ଅଡିଟ୍‍ ହୋଇଛି ।

ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ରାଜ୍ୟ ସ୍ତରରେ ପ୍ରତି ତିନିମାସରେ ଥରେ ଅଡିଟ୍‍ ହେବାର ବ୍ୟବସ୍ଥା ଥିବାବେଳେ ୨୦୧୬ରୁ ୨୦୧୯ ମଧ୍ୟରେ ମାତ୍ର ଥରୁଟିଏ ୨୦୧୭ ଜୁନ୍‍ରେ ଏହି ଅଡିଟ୍‍ ହୋଇଥିଲା । ଏଥିଯୋଗୁଁ ଏହି ଅଡିଟ୍‍ ପ୍ରଭାବଶାଳୀ ନଥିଲା ଓ ଡାକ୍ତରମାନେ ଅଣଜେନେରିକ ଓ କମ୍ପାନୀ ପ୍ରଦତ୍ତ ଔଷଧ ଲେଖା ଜାରି ରଖିଥିଲେ । ଫଳରେ ରୋଗୀମାନେ ଡାକ୍ତରଖାନାରୁ ମାଗଣା ଔଷଧ ନପାଇ ଚଢା ଦରରେ ବାହାରୁ କିଣିବାକୁ ବାଧ୍ୟ ହୋଇଥିଲେ ।

ତେବେ ଡାକ୍ତରମାନଙ୍କର ଏଭଳି ଅମାନିଆ ଲେଖାର କାରଣକୁ ଅନେକ ଔଷଧ କମ୍ପାନୀ ଦ୍ୱାରା ପ୍ରଦର୍ତ୍ତ ଉପହାର ଓ ସୁବିଧା ଆଦିକୁ ଦର୍ଶାଇଛନ୍ତି । ନିଜ ନିଜର ଔଷଧ ବିକ୍ରିପାଇଁ କମ୍ପାନୀମାନେ ଯେଉଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହାର ଗୋଟିଏ ବଡ ଅଂଶ ଡାକ୍ତରମାନଙ୍କ ନିକଟକୁ ଆସୁଥିବାରୁ ସେମାନେ ଜେନେରିକ ବଦଳରେ ବିଭିନ୍ନ କମ୍ପାନୀ ପ୍ରଦତ୍ତ ନାମର ଔଷଧ ସିଧାସଳଖ ଲେଖୁଛନ୍ତି । ତେବେ ସିଏଜିଙ୍କ ରିପୋର୍ଟ ପରେ ଏହା ଉପରେ କି ପଦକ୍ଷେପ ନିଆଯାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)