Home Health ଲିଭର ପ୍ରତିରୋପଣ ପାଇଁ ବୁଝାମଣା

ଲିଭର ପ୍ରତିରୋପଣ ପାଇଁ ବୁଝାମଣା

ଭୁବନେଶ୍ୱର : ଶିଶୁମାନଙ୍କ କ୍ଷେତ୍ରରେ ଲିଭର ପ୍ରତିରୋପଣ କରିବା ପାଇଁ ଆଜି ବେଙ୍ଗାଲୁରୁର ଆସ୍ତର ସିଏମ୍‌ଆଇ ହସ୍ପିଟାଲ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ
ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଆସ୍ତର ସିଏମ୍‌ଆଇ ହସ୍ପିଟାଲ ପକ୍ଷରୁ ଆଞ୍ଚଳିକ ନିର୍ଦ୍ଦେଶକ ଡା. ନିତିଶ ସେଟ୍ଟି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଏମ୍‌ଇଟି ଡା. ରମାରମଣ ମହାନ୍ତି ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।

ଏହି ସୁବିଧା ପ୍ରଧମ ଥର କରି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଉପଲବ୍ଧ ହେବ । ଏଠାରେ ଆସ୍ତର ହସ୍ପିଟାଲ ଡାକ୍ତରମାନେ ଯକୃତ ରୋଗରେ ପୀଡ଼ିତ ଶିଶୁମାନଙ୍କର ପରୀକ୍ଷାନିରୀକ୍ଷା କରିବା ପରେ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଲେ ସେମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବେ । ଏହା ସହ ଆସ୍ତର ପକ୍ଷରୁ ଡାକ୍ତର, ନର୍ସ, ପାରାମେଡିକ୍ସମାନଙ୍କୁ ଲିଭର ପ୍ରତିରୋପଣ ସଂପର୍କିତ ସମସ୍ତ ପ୍ରକାର ତାଲିମ ପ୍ରଦାନ କରାଯିବ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ରାଜ୍ୟରେ ସୁପରସ୍ପେସିଆଲିଟି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ମାଇଲଖଣ୍ଟ ସ୍ଥାପନ ହୋଇଛି । ଏହା ଦ୍ୱାରା ପ୍ରକୃତ ରୋଗୀଟି ବିନାମୂଲ୍ୟରେ ଅତ୍ୟାଧୁନିକ ଚିକିତ୍ସାସୁବିଧା ପାଇପାରିବ । ଏଥି ପାଇଁ ଆଉ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ସରକାରଙ୍କ ଯୋଜନା ଅନୁଯାୟୀ ଆଗାମୀ ଦିନରେ ବୟସ୍କମାନଙ୍କୁ ମଧ୍ୟ ଲିଭର ପ୍ରତିରୋପଣ ର ସୁବିଧା ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ ।

ଏହି ଅବସରରେ ଅତିରିକ୍ତ ଡିଏମ୍‌ଇଟି ଡା. ଉମାକାନ୍ତ ଶତପଥୀ, ଆସ୍ତର ସିଇଓ ରମେଶ କୁମାର ଏସ୍‌, ଡା. ସୋନାଲ ଆସ୍ଥାନା ପ୍ରମୁଖ ଉପସ୍ଥିତ ଥିଲେ ।