Home News in Odia ଲିଙ୍ଗରାଜ କ୍ଷେତ୍ରରୁ ବାଇ ଲ’ ପ୍ରତ୍ୟାହାର ଦାବି

ଲିଙ୍ଗରାଜ କ୍ଷେତ୍ରରୁ ବାଇ ଲ’ ପ୍ରତ୍ୟାହାର ଦାବି

ଭୁବନେଶ୍ୱର: ଭୁବନେଶ୍ୱରରେ ଲିଙ୍ଗରାଜ କ୍ଷେତ୍ରରୁ ଐତିହ୍ୟ ଚିଠା ବାଇ ଲ’ ବିଜ୍ଞପ୍ତି ପ୍ରତ୍ୟାହାର ଲାଗି ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ (ଏନ୍‍ଏମ୍‍ଏ)କୁ ପତ୍ର ଲେଖାଯାଇଛି । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳ ଏନ୍‍ଏମ୍‍ଏର ସଦସ୍ୟ ସଚିବଙ୍କୁ ପତ୍ର ଲେଖି ଭଗବାନ, ସେବାୟତ ଏବଂ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ଏହି ବିଜ୍ଞପ୍ତି ପ୍ରତ୍ୟାହାର ଲାଗି କହିଛନ୍ତି ।

ଲେଖା ଯାଇଥିବା ପତ୍ରରେ କୁହାଯାଇଛି ଯେ ଲିଙ୍ଗରାଜ ମହାପ୍ରଭୁ ହେଉଛନ୍ତି ସ୍ୱୟଂଭୁ ଏବଂ ବିଶ୍ୱର ଦେବତା । ଭୁବନେଶ୍ୱର ହେଉଛି ଶୈବ ପୀଠ । ଲକ୍ଷ ଲକ୍ଷ ହିନ୍ଦୁଙ୍କ ବିଶ୍ୱାସ, ଧର୍ମ ଏବଂ ଆଧ୍ୟାତ୍ମିକତାକୁ କର୍ତ୍ତୃପକ୍ଷ ବିଚାରକୁ ନେବା ଆବଶ୍ୟକ । ଏଥିରେ ଦର୍ଶାଯାଇଛି ଯେ ମନ୍ଦିର ପରିଚାଳନା ପାଇଁ ଓଏଚ୍‍ଆରଇ ଆଇନ୍‍ ୧୯୫୨ ଆଧାରରେ ବୋର୍ଡ ଗଠନ କରାଯାଇଛି ।

ଭାରତୀୟ ପତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା (ଏଏସ୍‍ଆଇ) ଏହି ପୁରାତନ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ କରୁଛନ୍ତି । ମନ୍ଦିରର ରକ୍ଷଣାବେକ୍ଷଣ ଲାଗି ୧୯୫୮ ମସିହାରେ ଏଏସ୍‍ଆଇ ସହ ଟ୍ରଷ୍ଟ ବୋର୍ଡର ରାଜିନାମ ହୋଇଛି । ଏହି ମନ୍ଦିରଟି ଶିବପୀଠ ଏବଂ ସମଗ୍ର ବିଶ୍ୱରେ ଥିବା ହିନ୍ଦୁମାନଙ୍କ ଆଧ୍ୟାତ୍ମିକତାର କ୍ଷେତ୍ର ହୋଇଥିବାରୁ ତାହାକୁ ବିଚାରକୁ ନେଇ ଟ୍ରଷ୍ଟ ବୋର୍ଡ ଏଏସ୍‍ଆଇକୁ ସାମିଲ ଲାଗି ରାଜି ହୋଇଥିଲା ।

ମନ୍ଦିର ଚତୁଃପାଶ୍ୱର୍ରେ ଶତାଧିକ ସାହି ରହିଛି । ଏଥିରେ ମୁଖ୍ୟତଃ ସେବାୟତ ପରିବାରମାନେ ବସବାସ କରନ୍ତି । ଯେଉଁମାନେ ମନ୍ଦିରର ନୀତିକାନ୍ତି ସହ ଜଡ଼ିତ । ଏନ୍‍ଏମ୍‍ଏର ବିଜ୍ଞପ୍ତି କାର୍ଯ୍ୟକାରୀ ହେଲେ ଏହି ସେବାୟତ ପରିବାର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବା ସହିତ ନୀତିକାନ୍ତିରେ ବାଧା ଦେଖାଦେବ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତିଦିନ ବହୁ ସଂଖ୍ୟାରେ ହିନ୍ଦୁ ଭକ୍ତ ଦେଶର ବିଭିନ୍ନ ସ୍ଥାନରୁ ଆସି ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି । ସ୍ୱତନ୍ତ୍ର ତିଥି ବିଶେଷ କରି ମହାଶିବରାତ୍ରୀ ଦିନ ବିଶ୍ୱର ବିଭିନ୍ନ ସ୍ଥାନରୁ ଭକ୍ତମାନେ ମହାଦୀପ ଦର୍ଶନ ପାଇଁ ଆସିଥାନ୍ତି । ଏହି ଭକ୍ତମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇଦେବା ଲାଗି ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟ କରିଥାଏ ।

ନିକଟରେ ରାଜ୍ୟ ସରକାର ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ପୁରାତନ ଶୈବପୀଠ ଚତୁଃପାଶ୍ୱର୍ରେ ବିକାଶ କାର୍ଯ୍ୟ ଲାଗି ଜମି ଅଧିଗ୍ରହଣ କରିଛନ୍ତି । ଏହି ଜମିରେ ଏକାମ୍ର ବିକାଶ ଯୋଜନା କାର୍ଯ୍ୟକାରୀ ହେବ । ଏହାଦ୍ୱାରା ରାଜ୍ୟ ସରକାର ଭକ୍ତମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବେ । ତେଣୁ ପ୍ରଭୁ ଲିଙ୍ଗରାଜ, ସେବାୟତ ଏବଂ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏହି ଚିଠା ବାଇ ଲ’ ପ୍ରତ୍ୟାହାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ ଦାବି କରାଯାଇଛି ।