Home Finance ଲିଙ୍ଗଗତ ସମାନତା ପାଇଁ ବଜେଟ୍‍ ବ୍ୟବସ୍ଥା

ଲିଙ୍ଗଗତ ସମାନତା ପାଇଁ ବଜେଟ୍‍ ବ୍ୟବସ୍ଥା

ଭୁବନେଶ୍ୱର : ବାଳିକା ଏବଂ ମହିଳାମାନଙ୍କର ବିକାଶ ଏବଂ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ଏବଂ ଲିଙ୍ଗଗତ ସମାନତା ଆଧାରରେ ବଣ୍ଟନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଏବଂ ସମସ୍ତଙ୍କୁ ସମାନ ସୁଯୋଗ ଦେବାପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକ ପାଣ୍ଠି ଯୋଗାଇ ଦିଆଯାଉଛି ।

ତଦନୁଯାୟୀ ୨୦୨୨-୨୩ ବର୍ଷର ବଜେଟ୍‍ରେ ଲିଙ୍ଗଗତ ସମାନତା ଏବଂ ଅନୁରୂପ ସମ୍ବେଦନଶୀଳ କାର୍ଯ୍ୟକ୍ରମ ପାଇଁ ୮୩୦୦ କୋଟିରୁ ଅଧିକ ଅର୍ଥ ମଞ୍ଜୁର ହୋଇଛି । ଏହା ଫଳରେ ଲିଙ୍ଗଗତ ବଜେଟ୍‍ ପ୍ରସ୍ତୁତରେ ଓଡିଶା ବହୁତ ଆଗରେ ରହିଛି । ୨୦୨୧-୨୨ ରେ ଲିଙ୍ଗଗତ ବଜେଟ୍‍ ବ୍ୟବସ୍ଥା ୪୮,୫୪୫.୪୪ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ ରେ ଏହା ୫୬,୮୪୬.୨୪ କୋଟି ଟଙ୍କା ରହିଛି ଏବଂ ଏଥିରେ ଅଧିକରୁ ଅଧିକ ଯୋଜନା ଓ କାର୍ଯ୍ୟକ୍ରମ ସାମିଲ କରାଯାଇଛି ।

୨୦୨୨-୨୩ ବର୍ଷରେ ୮୫ଟି ସ୍ୱତନ୍ତ୍ର ଲିଙ୍ଗଗତ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ୪୨୦ଟି ଅନ୍ୟ ସମ୍ବେଦନଶୀଳ ଲିଙ୍ଗଗତ ଯୋଜନା ରହିଛି । ଏହି ବଜେଟ୍‍ର ୪୯ ପ୍ରତିଶତ ଭାଗ ମହିଳା ଓ ଶିଶୁ ବିକାଶ ବିଭାଗର ରହିଥିବାବେଳେ ମିଶନ ଶକ୍ତିର ଅଂଶ ୩୪ ପ୍ରତିଶତ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୯ ପ୍ରତିଶତ ରହିଛି । ସେହିଭଳି ସମ୍ବେଦନଶୀଳ ଲିଙ୍ଗଗତ ଯୋଜନାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ୧୬.୬୦ ପ୍ରତିଶତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୪.୦୭ ପ୍ରତିଶତ ଏବଂ ପୂର୍ତ୍ତ ବିଭାଗର ୧୦.୦୪ ପ୍ରତିଶତ ଭାଗ ରହିଛି ।

ଅଧିକାରୀମାନଙ୍କ କହିବାକଥା ଯେ ଲିଙ୍ଗଗତ ଆର୍ଥିକ ନୀତି ଯୋଗୁଁ ସମ୍ବଳ ଆଧାରରେ ଏହି କ୍ଷେତ୍ର ପାଇଁ ଅଧିକ ଅର୍ଥ ବରାଦ ସହିତ ସମାନତା ପାଇଁ ଅଧିକ କାର୍ଯ୍ୟ କରାଯାଇ ପାରିବ । ୨୦୨୨-୨୩ ବଜେଟ୍‍ରେ ସ୍ୱତନ୍ତ୍ର ଲିଙ୍ଗଗତ ମଞ୍ଜୁରର ଅଂଶଧନ ୪.୭୮ ପ୍ରତିଶତ ରହିଥିବାବେଳେ ଲିଙ୍ଗଗତ ସମ୍ବେଦନଶୀଳ କାର୍ଯ୍ୟକ୍ରମ କ୍ଷେତ୍ରରେ ୩୯.୮୮ ପ୍ରତିଶତ ଏବଂ ରାଜ୍ୟର ମୋଟ୍‍ ବ୍ୟୟ କ୍ଷେତ୍ରରେ ଲିଙ୍ଗଗତ ବଜେଟ୍‍ ୪୪.୬୫ ପ୍ରତିଶତ ରହିଛି ।

ତେଣୁ ରାଜ୍ୟର ମୋଟ୍‍ ଘରୋଇ ଉତ୍ପାଦ (ଜିଏସ୍‍ଡିପି)ରେ ଲିଙ୍ଗଗତ ସ୍ୱତନ୍ତ୍ର ମଞ୍ଜୁର ୧.୧୨ ପ୍ରତିଶତ ଥିବାବେଳେ ସମ୍ବେଦନଶୀଳ ଲିଙ୍ଗଗତ ଅର୍ଥ ମଞ୍ଜୁର ୯.୩୫ ପ୍ରତିଶତ ଏବଂ ମୋଟ୍‍ ବଜେଟ୍‍ ୧୦.୪୭ ପ୍ରତିଶତ ରହିଛି । ଇତି ମଧ୍ୟରେ ଲିଙ୍ଗଗତ ବଜେଟ୍‍ ବ୍ୟବସ୍ଥାକୁ ସୁଦୃଢ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଭିନ୍ନ ବିଭାଗରେ ଲିଙ୍ଗଗତ ବଜେଟ୍‍ ସେଲ୍‍ ପ୍ରତିଷ୍ଠା ସହିତ ଏହାକୁ ଅଧିକ ଉତ୍ତରଦାୟୀ ଓ ସ୍ୱଚ୍ଛ ହୋଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଏଭଳି ସକରାତ୍ମକ ପଦକ୍ଷେପ ସତ୍ୱେ ଲିଙ୍ଗଗତ ପାର୍ଥକ୍ୟ ଅବ୍ୟାହତ ରହୁଛି । ଏହାକୁ ଦୂର କରିବା ସକାଶେ ଅଧିକ ସମନ୍ୱିତ ଏବଂ ଲକ୍ଷ୍ୟ ଭିତ୍ତିକ ଯେଜାନା କାର୍ଯ୍ୟକାରୀ ଉପରେ ଗୁରୁତ୍ୱଆରୋପ କରାଯାଇଛି । (ତଥ୍ୟ)