Home Judiciary ଅଣସଂରକ୍ଷିତ ପଦବୀରେ ନିଯୁକ୍ତି ପାଇବେ ସଂରକ୍ଷିତ ପ୍ରାର୍ଥୀ

ଅଣସଂରକ୍ଷିତ ପଦବୀରେ ନିଯୁକ୍ତି ପାଇବେ ସଂରକ୍ଷିତ ପ୍ରାର୍ଥୀ

ଭୁବନେଶ୍ୱର : ସରକାରୀ ଚାକିରିରେ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ଯୋଗ୍ୟତା ଓ ବରିଷ୍ଠତା ଆଧାରରେ ସଂରକ୍ଷିତ ବର୍ଗର ପ୍ରାର୍ଥୀ ଅଣସଂରକ୍ଷିତ ସାଧାରଣ ବର୍ଗର ଆସନରେ ବି ନିଯୁକ୍ତି ପାଇପାରିବେ । ଏ ପ୍ରସଙ୍ଗରେ ପୁଣିଥରେ ଅନସୂଚୀତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳମାନଙ୍କୁ ଅବହିତ କରାଯାଇଛି ।

ସଂରକ୍ଷିତ ଏସଟି ଓ ଏସସି ବର୍ଗର ପ୍ରାର୍ଥୀମାନଙ୍କୁ ଅଣସଂରକ୍ଷିତ ସ୍ଥାନରେ ପଦୋନ୍ନତି ଦିଆଯାଇପାରିବ କି ନାହିଁ ସେ ସଂକ୍ରାନ୍ତରେ ବୋର୍ଡ ଅଫ୍‍ ରେଭେନ୍ୟୁ ଭଳି ଏକ ଶୀର୍ଷ ସରକାରୀ ସଂସ୍ଥା ଦ୍ୱନ୍ଦ୍ୱର୍ରେ ପଡିବାରୁ ଗତ ମଇ ମାସରେ ଏସଟି ଓ ଏସସି ଉନ୍ନୟନ ବିଭାଗଠାରୁ ମତାମତ ଲୋଡିଥିଲେ ।

ସଂରକ୍ଷଣ ଆଇନର ତର୍ଜମା କରି ବିଭାଗ ପକ୍ଷରୁ ବୋର୍ଡ ଅଫ୍‍ ରେଭେନ୍ୟୁର ସଚିବଙ୍କୁ ଜଣାଇ ଦିଆଯାଇଛି ଯେ ତଳ ପାହ୍ୟାର ବରିଷ୍ଠତା ତାଲିକାକୁ ଆଧାରକରି ସଂରକ୍ଷିତ ବର୍ଗର କୌଣସି ପ୍ରାର୍ଥୀ ଯଦି ଜୋନ୍‍ ଅଫ୍‍ କନସିଡରେସନ ମଧ୍ୟରେ ଥାଆନ୍ତି ତେବେ ପଦୋନ୍ନତି ବେଳେ ତାଙ୍କୁ ଅଣସଂରକ୍ଷିତ ପ୍ରାର୍ଥୀ ଭାବେ ଗ୍ରହଣ କରାଯାଇ ପାରିବ ।

ବିଭିନ୍ନ ସଂସ୍ଥାକୁ ବାରମ୍ବାର ଏଭଳି ସ୍ପଷ୍ଟୀକରଣ ଲୋଡା ଯାଉଥିବା ପରିପ୍ରେକ୍ଷୀରେ ଗତ ଜୁନ୍‍ ୩୦ ତାରିଖରେ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ସମସ୍ତ ସଂସ୍ଥାକୁ ସଂରକ୍ଷିତ ବର୍ଗର ପ୍ରାର୍ଥୀ ଯୋଗ୍ୟତା ଓ ଦକ୍ଷତା ଆଧାରରେ ଅଣସଂରକ୍ଷିତ ଆସନକୁ ପଦୋନ୍ନତି ପାଇପାରିବେ ବୋଲି ପୁଣିଥରେ ସ୍ପଷ୍ଟ କରିଦିଆଯାଇଛି ।

୧୯୯୭ ମସିହାରେ କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ଏକ ସ୍ପଷ୍ଟୀକରଣରେ କୁହାଯାଇଥିଲା ଯେ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ଅଣସଂରକ୍ଷିତ ପଦବୀ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ଏବଂ ଯଦି ସେମାନେ ଏଥିରେ କୃତକାର୍ଯ୍ୟ ହୁଅନ୍ତି, ତେବେ ସେମାନଙ୍କୁ ସାଧାରଣ ବର୍ଗର ପ୍ରାର୍ଥୀ ଭାବେ ଗଣାଯାଇ ଅଣସଂରକ୍ଷିତ ଆସନରେ ନିଯୁକ୍ତି ଦିଆଯାଇ ପାରିବ । ୧୯୯୯ ମସିହାରେ ସରକାରଙ୍କ ପକ୍ଷରୁ ପୁଣି ଏକ ସ୍ପଷ୍ଟୀକରଣ ଦିଆଯାଇ ଅଣସଂରକ୍ଷିତ ପଦବୀଗୁଡିକ କୌଣସି ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ।

ଯୋଗ୍ୟତା ଆଧାରରେ ଯିଏ ଅଧିକ ଦକ୍ଷ ଭାବେ ନିଜକୁ ପ୍ରମାଣିତ କରି ମେଧା ତାଲିକାର ଉପରେ ରହିବେ ସେମାନେ ସଂରକ୍ଷିତ ବର୍ଗର ହୋଇଥିଲେ ବି ପ୍ରଥମେ ଅଣସଂରକ୍ଷିତ ଆସନରେ ନିଯୁକ୍ତି ପାଇପାରିବେ ବୋଲି ସ୍ପଷ୍ଟ ଭାବେ କୁହାଯାଇଥିଲା । ପଦୋନ୍ନତି କ୍ଷେତ୍ରରେ ବି ସଂରକ୍ଷିତ ବର୍ଗର ଯୋଗ୍ୟ ପ୍ରାର୍ଥୀମାନେ ଅଣସଂରକ୍ଷିତ ଆସନକୁ ସେମାନଙ୍କ ଦକ୍ଷତା ଆଧାରରେ ଯାଇପାରିବେ ବୋଲି ଏହି ସ୍ପଷ୍ଟୀକରଣରେ ଉଲ୍ଲେଖ ଥିଲା ।

ଏହାପରେ ସଂପୃକ୍ତ ବିଭାଗ ବାରମ୍ବାର ଏ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଉଥିବା ବେଳେ ଅନେକ କ୍ଷେତ୍ରରେ ନିଯୁକ୍ତିଦାତାମାନେ ରୋଷ୍ଟର ପଏଣ୍ଟ ଆଧାରରେ ଅଣସଂରକ୍ଷିତ ଆସନରେ କେବଳ ଅଣସଂରକ୍ଷିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଓ ପଦୋନ୍ନତି ଦେଉଥିବାରୁ ଆଇନ ଅଦାଲତରେ ସରକାରଙ୍କୁ ଅଯଥାରେ ଅପ୍ରସ୍ତୁତ ହେବାକୁ ପଡୁଛି ।

ଶାରୀରିକ ଭିନ୍ନକ୍ଷମମାନଙ୍କ ପାଇଁ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣ ଲାଗି କେନ୍ଦ୍ରୀୟ ଆଇନରେ ବ୍ୟବସ୍ଥା ଥିବା ସତ୍ତ୍ୱେ ବହୁ କ୍ଷେତ୍ରରେ ବିଭିନ୍ନ ଆଳ ଦେଖାଇ ଓଡ଼ିଶା ଲୋକସେବା ଆୟୋଗ ମଧ୍ୟ ଯୋଗ୍ୟ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱକୁ ନାକଚ କରିଦେଉଛି । ଏ ସଂକ୍ରାନ୍ତରେ ଓଏଏସ୍‍ ନିଯୁକ୍ତିରୁ ବଞ୍ଚିତ ହୋଇ ଜଣେ ଭିନ୍ନକ୍ଷମ ପ୍ରାର୍ଥୀ ୩ ବର୍ଷ ଧରି ଆଇନ ଅଦାଲତରେ ଅନ୍ୟୂନ ୪ଟି ମାମଲା ରୁଜୁ କରିସାରିଲେଣି ।

ସେ ପ୍ରିଲିମିନାରୀ ପରେ ଲିଖିତ ଓ ମୌଖିକ ପରୀକ୍ଷାରେ ୧୩୬୫ ନମ୍ବର ରଖିଥିବା ବେଳେ ୧୩୦୨ ପର୍ଯ୍ୟନ୍ତ ନମ୍ବର ରଖିଥିବା ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି । ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ଘେନି ଖୋଦ୍‍ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବାରମ୍ବାର ଆୟୋଗକୁ ଚିଠି ଲେଖି ଏହି ବଞ୍ଚିତ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ନାମ ଅଣସଂରକ୍ଷିତ ବର୍ଗର ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକାରେ ସ୍ଥାନିତ କରିବା ଲାଗି କହୁଥିଲେ ମଧ୍ୟ ଆୟୋଗ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ଏବଂ ଅନ୍ୟପକ୍ଷରେ ମାମଲାର ତ୍ୱରିତ ଶୁଣାଣି ହୋଇପାରୁ ନଥିବାରୁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳର ଏହି ଭିନ୍ନକ୍ଷମ ପ୍ରାର୍ଥୀ ଜଣକ ନିଯୁକ୍ତି ନ ପାଇ ୩ ବର୍ଷ ଧରି ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି । (ତଥ୍ୟ)