Home General ଲାଭରେ ଆନ୍ଧ୍ର ବସ୍‍ ମାଲିକ

ଲାଭରେ ଆନ୍ଧ୍ର ବସ୍‍ ମାଲିକ

ଭୁବନେଶ୍ୱର : ଓଡିଶାର ଇ-ଟୋଲ ଗେଟ୍‍ ବ୍ୟବସ୍ଥା ଏବେ ଅନ୍ୟ ରାଜ୍ୟ ବିଶେଷକରି ଆନ୍ଧ୍ର ବସ୍‍ ମାଲିକଙ୍କୁ ବେଶ୍‍ ସୁହାଇଛି । ଏହାର ସୁଯୋଗ ନେଇ ସେମାନେ ଓଡିଶା ଭିତରେ ବେଧଡକ ବେପାର ଚଳାଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବାବେଳେ ଓଡିଶାର ବସ୍‍ ମାଲିକମାନେ କିନ୍ତୁ ଆନ୍ଧ୍ର ଭିତରେ ପଶିପାରୁ ନାହାନ୍ତି ।

ଓଡିଶାର ବସ୍‍ ବ୍ୟବସାୟୀଙ୍କ କହିବାକଥା ଆନ୍ଧ୍ରପ୍ରଦେଶରୁ ଦୈନିକ ୧୫/୨୦ଟି ବସ୍‍ ରାଜଧାନୀକୁ ଯା ଆସ କରୁଛନ୍ତି । ସେମାନଙ୍କ ବେପାର ଦିନକୁ ଦିନ ବଢିବାରେ ଲାଗିଛି । ହେଲେ ଓଡିଶା ବସ୍‍ ମାଲିକମାନଙ୍କ ଗାଡି ଆନ୍ଧ୍ର ଭିତରକୁ ପଶିପାରୁନାହିଁ । କାରଣ ଯଦି ଓଡିଶା ବସ୍‍ଗୁଡିକ ଆନ୍ଧ୍ରକୁ ଯିବାକୁ ହେବ ତେବେ ସବୁକିଛି ମାନୁଆଲ ଭାବେ କରିବାକୁ ପଡିବ ।

ସେହି ରାଜ୍ୟର ପରିବହନ ବିଭାଗର ଅନୁମତି ସହିତ ସମ୍ପୃକ୍ତ ଅଞ୍ଚଳର ଆରଟିଓମାନଙ୍କ ଠାରୁ ଅନୁମତି ଆଣିବାକୁ ହେବ । ଯାହା ଏକ ପ୍ରକାର କାଠିକରପାଠ ବୋଲି ମାଲିକମାନେ ମତ ଦେଉଛନ୍ତି । ଆନ୍ଧ୍ର ବସ୍‍ଗୁଡିକ ଦୁଇ ରୁ ଅଢେଇ ହଜାର ଖର୍ଚ୍ଚକରି ଓଡିଶାରେ ପ୍ରବେଶ କରୁଥିବାବେଳେ ଓଡିଶା ବସ୍‍ ମାଲିକଙ୍କୁ ଏଥିପାଇଁ ୧୫/୧୬ ହଜାର ଗଣିବାକୁ ପଡିବ ।

କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆନ୍ଧ୍ରର ବସ୍‍ଗୁଡିକ ଅତି ସୁରୁଖୁରୁ ଚଳାଚଳ କରୁଥିବାବେଳେ ଓଡିଶାର ବସ୍‍ଗୁଡିକ କିନ୍ତୁ ହାତବାନ୍ଧି ବସୁଛନ୍ତି । ବର୍ତ୍ତମାନ କରୋନା ପରବର୍ତ୍ତୀ ସ୍ଥିତିରେ ସ୍ଥାନୀୟ ରୁଟ୍‍ରେ ବସ୍‍ ଚଳଇ କ୍ଷତି ସହୁଥିବା କିଛି ଗାଡିମାଲିକ ଆନ୍ଧ୍ରକୁ ବସ୍‍ ଚଳାଇବାକୁ ଚାହୁଁଥିଲେ ମଧ୍ୟ ସେଥିରେ ସଫଳ ହୋଇପାରୁ ନାହାନ୍ତି ।

ଏ ସଂକ୍ରାନ୍ତରେ କିଛି ବସ୍‍ମାଲିକ କହିଛନ୍ତି ଯେ ଆନ୍ଧ୍ରକୁ ବସ୍‍ ଚଳାଚଳ ନେଇ ରାଜ୍ୟ ପରିବହନ ବିଭାଗ ସହିତ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍‍ ସେଥିରୁ କିଛି ସୁଫଳ ମିଳୁନାହିଁ । ତେବେ ପରିବହନ ବିଭାଗ କିଛି ଅଧିକାରୀଙ୍କ ମତ ହେଲା ଯେ ରାଜ୍ୟ ସରକାର ଇ-ଟୋଲଗେଟ୍‍ ବ୍ୟବସ୍ଥା କରି ଜାତୀୟ ସ୍ତରରେ ବାହାବା ନେଇଥିବାବେଳେ ଏହାର କୁପରିଣାମ କିନ୍ତୁ ରାଜ୍ୟର ବସ୍‍ମାଲିକମାନେ ଭୋଗୁଛନ୍ତି । ସୀମାନ୍ତରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ସମୟରେ ପଡୋଶୀ ରାଜ୍ୟର ବ୍ୟବସ୍ଥାକୁ ଅନୁଧ୍ୟାନ କରିବାର ଥିଲା । ହେଲେ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଲେନାହିଁ ।

କିଛି ବସ୍‍ ମାଲିକଙ୍କ ଅଭିଯୋଗ ହେଉଛି ଯେ ଯଦି ଓଡିଶାର କୌଣସି ବସ୍‍ ଆନ୍ଧ୍ର ସୀମା ଡେଉଁଛି ତେବେ ସେଠାକାର ଟ୍ରାଫିକ ଠାରୁ ଆରମ୍ଭ କରି ପୁଲିସ୍‍ର ଜୁଲମ ସହିବକୁ ପଡୁଛି । ତେଣୁ ଯେଉଁମାନେ ଥରେ ଆନ୍ଧ୍ରକୁ ବସ ଚଳାଉଛନ୍ତି ସେମାନେ ଗାଡିକୁ ପଛେ ଠିଆ କରାଉଛନ୍ତି ହେଲେ ଦ୍ୱିତୀୟବାର ନେଉ ନାହାନ୍ତି । ଏଭଳି ସ୍ଥିତିରେ ଓଡିଶା ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ବସ୍‍ ବ୍ୟବସାୟୀମାନେ ମତ ଦେଉଛନ୍ତି । (ତଥ୍ୟ)