Home Education ଲର୍ଣ୍ଣିଂ ଟ୍ରି ଏକାଡେମୀ ଉଦଘାଟିତ

ଲର୍ଣ୍ଣିଂ ଟ୍ରି ଏକାଡେମୀ ଉଦଘାଟିତ

ଆଠଗଡ଼  :  ତିଗିରିଆର ନୂଆସଡ଼କଠାରେ ସି.ବି.ଏସ୍.ଇ. ଅନୁବନ୍ଧିତ ବିଦ୍ୟାଳୟ ଲର୍ଣ୍ଣିଂ ଟ୍ରି ଏକାଡ଼େମୀକୁ  ମୁଖ୍ୟ ଶାସନ ସଚିବ  ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର  ଆଜି ଅପରାହ୍ନରେ ଉଦଘାଟନ କରିଛନ୍ତି ।  ନିଜର ଉଦ୍ଘାଟନୀ ଅଭିଭାଷଣରେ  ଶ୍ରୀ ମହାପାତ୍ର କହିଥିଲେ ଯେ ଗ୍ରାମାଞ୍ଚଳରେ ସି.ବି.ଏସ୍.ଇ. ଅନୁବନ୍ଧିତ  ବିଦ୍ୟାଳୟ ନୂତନତାର ବାର୍ତ୍ତାବହ । ଘରୋଇ ପ୍ରଚେଷ୍ଟାରେ  ପ୍ରତିଷ୍ଠିତ  ଏହି ବିଦ୍ୟାଳୟ  ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷାପ୍ରଦାନରେ  ବିଶେଷ ସହାୟକ  ହେବ । 

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ  ଗ୍ରାମାଞ୍ଚଳରେ ପିଲାମାନଙ୍କୁ ସହରାଞ୍ଚଳର  ଯେ କୌଣସି ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ  ସହ ସମକକ୍ଷ କରିବା ନିମନ୍ତେ  ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ କରିଛନ୍ତି ।  ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ କ୍ଲାସ୍ ରୁମ୍, ସ୍ମାର୍ଟ ଲାଇବ୍ରେରୀ, ଆଧୂନିକ ଦୃଶ୍ୟ-ଶ୍ରାବ୍ୟ ବୈଷୟିକ କୌଶଳ ମାଧ୍ୟମରେ  ଶିକ୍ଷା ଆଦି ବ୍ୟବସ୍ଥା ସହ  ପ୍ରାୟ ୩୦୦୦ ବିଦ୍ୟାଳୟକୁ  ରୂପାନ୍ତରିତ  କରାଯାଇଛି ।  ୮୦୦୦ ବିଦ୍ୟାଳୟକୁ  ରୂପାନ୍ତରିତ  କରିବାର ଲକ୍ଷ୍ୟ ନେଇ  କାର୍ଯ୍ୟ ଆରମ୍ଭ କରାଯାଇଛି ।  ସରକାରଙ୍କ ପ୍ରଚେଷ୍ଟା ସହ ଘରୋଇ ଉଦ୍ୟମ ମାଧ୍ୟମରେ ତିଗିରିଆ କ୍ଲବ୍ରେ  ଇଂରାଜୀ ମାଧ୍ୟମ  ବିଦ୍ୟାଳୟ ପ୍ରତିଷ୍ଠା  କରିଥିବାରୁ  ପ୍ରତିଷ୍ଠାତା ସେକ୍ ଅବଦୁଲ୍ ଅଜିମ୍ ଏବଂ ତାଙ୍କର ସହଯୋଗୀମାନଙ୍କୁ ଶ୍ରୀ ମହାପାତ୍ର  ସାଧୁବାଦ ଜଣାଇଥିଲେ । 

ଆଠଗଡ଼ର ଉପ ଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସ୍ୱାଇଁ  ଉଦ୍ଘାଟନୀ ସଭାରେ ସମ୍ମାନିତ ଅତିଥିଭାବେ  ଯୋଗଦେଇ  ତିଗିରିଆ ବ୍ଲକ୍ରେ ଏହି ଅନୁଷ୍ଠାନ  ଇଂରାଜୀ ମାଧ୍ୟମ  ଶିକ୍ଷା ପ୍ରଦାନରେ ଏକ ବିଶେଷ ଭୂମିକା ନେବ ବୋଲି  ଆଶା ପ୍ରକାଶ କରିଥିଲେ ।  ଏକାଡ଼େମୀର ପ୍ରତିଷ୍ଠାତା ସେକ୍ ଅବ୍ଦୁଲ ଅଜିମ୍ ସ୍ୱାଗତ ଅବିଭାଷଣ  ଦେବା ସହ କହିଥିଲେ ଯେ  ବର୍ତ୍ତମାନ ବିଦ୍ୟାଳୟରେ  ନର୍ସରୀରୁ ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ  ନାମଲେଖା ହେଉଛି ।  ପ୍ରତି ଶ୍ରେଣୀରେ ୪୦ ଜଣ ଛାତ୍ରଛାତ୍ରୀଙ୍କର ନାମ ଲେଖାଯିବ ।  ବିଦ୍ୟାଳୟର ୯ ଟି ଶ୍ରେଣୀରେ  ପ୍ରାୟ ୩୬୦ ଜଣ ଛାତ୍ରଛାତ୍ରୀ ସି.ବି.ଏସ୍.ଇ. ପାଠ୍ୟକ୍ରମ ଅନୁସାରେ ଶିକ୍ଷା ଗ୍ରହଣ  କରିବେ । 

ଅନ୍ୟତମ ଅତିଥିଭାବେ ଭୁତତ୍ତ୍ଵବିତ୍ ଶ୍ରୀ ସୁରେନ୍ଦ୍ର ନାଥ ଦଳାଇ ବିଦ୍ୟାଳୟର ବିଶେଷତ୍ଵ ସଂପର୍କରେ ଆଲୋକପାତ କରିଥିଲେ ।  ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍, ଶିକ୍ଷାପ୍ରେମୀ ବ୍ୟକ୍ତିବିଶେଷ, ବିଦ୍ୟାଳୟରେ ନାମ ଲେଖାଇଥିବା  ବା ଲେଖାଇବାକୁ ଥିବା  ଅବିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନେତୃସ୍ଥାନୀୟ ବ୍ୟକ୍ତିମାନେ ଏହି ଉଦ୍ଘାଟନୀ ସଭାରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here