Home Health ଲମ୍ବା ଛୁଟିରେ ଡାକ୍ତର ଛୁ

ଲମ୍ବା ଛୁଟିରେ ଡାକ୍ତର ଛୁ

ଭୁବନେଶ୍ୱର : ରାଜ୍ୟରେ ଡାକ୍ତର ଅଭାବ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଯେତିକି ବି ଡାକ୍ତର ଅଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଲମ୍ବା ଛୁଟିରେ ପଳାଉଛନ୍ତି । ସେହିଭଳି ଅନ୍ୟ ସ୍ଥାନକୁ ଡେପୁଟେସନରେ ଯାଉଥିବା ଡାକ୍ତର ବି ସହଜରେ ଫେରୁନାହାନ୍ତି ।

ରାଜ୍ୟରେ ଏବେ ପ୍ରାୟ ତିନି ହଜାର ପର୍ଯ୍ୟନ୍ତ ଡାକ୍ତର ପଦବୀ ଖାଲି ପଡିଛି ଯାହା କି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀର ପାଖାପାଖି ଅଧା । ଡାକ୍ତର ଅଭାବ ଜନିତ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଅବସରପ୍ରାପ୍ତ ଡାକ୍ତରଙ୍କୁ ଠିକା ନିଯୁକ୍ତି ଦେଉଥିବାବେଳେ ଅନ୍ୟ ରାଜ୍ୟରେ ଡାକ୍ତରୀପାଠ ପଢିଥିବା ଚିକିତ୍ସକମାନଙ୍କୁ ବି ଓଡିଶାରେ ନିଯୁକ୍ତି ଦେବାପାଇଁ ନିୟମ କରିଛନ୍ତି । ଏହା ସତ୍ୱେ ବି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ମେଡିକାଲ କଲେଜ ପର୍ଯ୍ୟନ୍ତ ସବୁଆଡେ ଡାକ୍ତର ଅଭାବ ଜନିତ ସ୍ଥିତି ଜଟିଳ ।

ତେବେ ଏହା ଭିତରେ ରାଜ୍ୟର ୪୬ଜଣ ଡାକ୍ତର ଲମ୍ବା ଛୁଟିରେ ପଳାଇଛନ୍ତି । ଏମାନଙ୍କ ମଧ୍ୟରେ ସର୍ବାଧିକ ପୁରୀ ଜିଲ୍ଲାର ୯ଜଣ ଡାକ୍ତର ରହିଥିବା ସୂଚନା ମିଳିଛି । ଏହି ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଉନଥିବାରୁ ଚିକିତ୍ସା କ୍ଷେତ୍ରରେ ବାଧା ଉପୁଜୁଛି । ବିଶେଷକରି କରୋନା ସମୟରେ ସ୍ଥିତି ଅଧିକ ଜଟିଳ ହେଉଛି । ଲମ୍ବାଛୁଟି ତାଲିକାରେ ବରଗଡ ଜିଲ୍ଲାର ୭ଜଣ ଡାକ୍ତର ଥିବାବେଳେ କୋରାପୁଟର ୪ଜଣ , ବାଲେଶ୍ୱର ଓ ରାୟଗଡାର ୩ଜଣ କରି ରହିଛନ୍ତି ।

କେବଳ ଲମ୍ବା ଛୁଟି ନୁହେଁ, ପାଖପାଖି ୮୦ଜଣ ଡାକ୍ତର ନିଜର ମୂଳ ଚାକିରି ସ୍ଥାନ ଛାଡି ଅନ୍ୟ ସ୍ଥାନକୁ ଡେପୁଟେସନରେ ପଳାଇଛନ୍ତି । ଏମାନେ ବି ସହଜରେ ଫେରୁ ନାହାନ୍ତି । ତେଣୁ ସେମାନେ ଯେଉଁସବୁ ଚିକିତ୍ସାଳୟରେ ନିଯୁକ୍ତି ପାଇଥିଲେ ସେଠାରେ ରୋଗୀସେବା ବିପର୍ଯ୍ୟସ୍ତ । ଏହି ତାଲିକାରେ କଟକ ଜିଲ୍ଲାର ୧୭ଜଣ ଡାକ୍ତର ଥିବାବେଳେ ଯାଜପୁର ଓ କନ୍ଧମାଳର ୭ଜଣ କରି, କେନ୍ଦୁଝରର ୬ଜଣ ଓ ଜଗତ୍‍ସିଂହପୁରର ୫ଜଣ ଅଛନ୍ତି । ଡେପୁଟେସନରେ ଅନ୍ୟ ସ୍ଥାନକୁ କିମ୍ବା ବିଭାଗକୁ ଯାଉଥିବା ଡାକ୍ତରମାନେ ବି ସହଜରେ ଫେରୁ ନାହାନ୍ତି ।

ବ୍ଲକ ଓ ସବ୍‍ଡିଭିଜନ ସ୍ତରରେ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ଅଧିକାଂଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଚାପ ବଢିବାରେ ଲାଗିଛି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ପରିମାଣ ନିଶ୍ଚେତକ ଡାକ୍ତର ନଥିବାବରୁ ଅଧିକାଂଶ ସ୍ଥାନରେ ସାଧାରଣ ଅପରେସନଟିଏ ବି ହୋଇପାରୁ ନାହିଁ । ରୋଗୀଙ୍କୁ ସିଧାସଳଖ ମେଡିକାଲ କଲେଜକୁ ପଠାଇ ଦିଆଯାଉଛି । ଏହାଦ୍ୱାରା ରୋଗୀମାନେ କେବଳ ଖର୍ଚ୍ଚାନ୍ତ ହେଉନାହାନ୍ତି, ଅଧିକାଂଶ ସମୟରେ ଦଲାଲଙ୍କ ହାବୁଡରେ ପଡି ଘରୋଇ ଚିକିତ୍ସାଳୟକୁ ଯାଇ ସର୍ବସ୍ୱାନ୍ତ ହେଉଛନ୍ତି ।

ତେଣୁ ଲମ୍ବା ଛୁଟିରେ ଯାଇଥିବା ଡାକ୍ତରମାନଙ୍କୁ ତୁରନ୍ତ ଫେରାଇ ଅଣାଯିବା ସହିତ ଆବଶ୍ୟକ ସ୍ଥଳେ ସୋମନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମତପ୍ରକାଶ ପାଉଛି । ସେହିଭଳି ଯେଉଁ ଡାକ୍ତରମାନେ ଉପାନ୍ତ ଅଞ୍ଚଳ କିମ୍ବା ଗାଁ ଗହଳରେ ନିଯୁକ୍ତ ହୋଇଛନ୍ତି ସେମାନଙ୍କୁ ଡେପୁଟେସନରେ ପଠାଇବା ବେଳେ ସବୁ ଦିନକୁ ଧ୍ୟାନ ଦେବା ଓ ଡେପୁଟେସନ ଅବଧି ସରିବା ମାତ୍ରେ ମୂଳ ସ୍ଥାନକୁ ଫେରାଇ ଆଣିବା ଆବଶ୍ୟକ ବୋଲି ବରିଷ୍ଠ ଚିକିତ୍ସକମାନେ ମତ ଦେଉଛନ୍ତି । (ତଥ୍ୟ)