Home General ଲକ୍ଷାଧିକ ଲୋକଙ୍କ ନିଜସ୍ୱ ଘର ନାହିଁ

ଲକ୍ଷାଧିକ ଲୋକଙ୍କ ନିଜସ୍ୱ ଘର ନାହିଁ

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଏବେ ବି ୨ଲକ୍ଷ ୮୯ହଜାରରୁ ଅଧିକ ପରିବାର ନିକଟରେ ପକ୍କାଘର କିମ୍ବା ଆଦୌ ଘର ନାହିଁ । ବିଗତ ୫ବର୍ଷ ମଧ୍ୟରେ ପୌରାଞ୍ଚଳରେ ମାତ୍ର ୧,୬୧,୭୨୯ ପରିବାରକୁ ଗୃହ ଯୋଗାଣ ପାଇଁ ପଦକ୍ଷେପ ନିଆଯାଇଛି ।

ବିଧାୟକ ନବ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ୨୦୧୭-୧୮ ଆର୍ଥିକ ବର୍ଷରେ ହୋଇଥିବା ସର୍ଭେ ଅନୁଯାୟୀ ରାଜ୍ୟର ପୌରାଞ୍ଚଳଗୁଡିକରେ ୪,୫୧,୪୯୩ ପକ୍କାଘର କିମ୍ବା ନିଜସ୍ୱ ଘର ନଥିବା ପରିବାରକୁ ଚିହ୍ନଟ କରାଯାଇଥିଲା । ସେତେବେଳେ ଏହି ତାଲିକାରେ ସର୍ବାଧିକ ୯୬,୪୨୯ ଭୁବନେଶ୍ୱର ମହାନଗର ନିଗମରେ ଥିାବବେଳେ ରାଉରକେଲାରେ ୩୪,୧୨୯, ସମ୍ବଲପୁରରେ ୨୯,୦୪୧, ପୁରୀରେ ୧୬,୨୫୬ଟି ପରିବାର ଥିଲେ ।

ଏହିସବୁ ପରିବାର ମଧ୍ୟରୁ ୧,୬୧୭୧୯ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଦେବାକୁ ଅର୍ନ୍ତଭୁକ୍ତ କରାଯାଇଥିଲା । ଏଥିପାଇଁ ସରକାର ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ୍‍ ଖାତାକୁ ସିଧାସଳଖ ଭାବେ ୧୯୬୯.୪୩ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ । ଏହି ଅର୍ଥ ପାଇବାପରେ ବର୍ତ୍ତମାନ ସୁଦ୍ଧା ୮୨,୨୫୩ଟି ବାସଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଅବଶିଷ୍ଟ ଗୃହର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏଗୁଡିକୁ ୨୦୨୩-୨୪ ସୁଦ୍ଧା ସାରିବାପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

ତେବେ ସହରାଞ୍ଚଳରେ ଥିବା ମୋଟ୍‍ ପକ୍କାଘର ଓ ଆଦୌ ଘର ନଥିବା ବାସହୀନଙ୍କ ମଧ୍ୟରୁ ଏବେ ବି ୨,୮୯,୭୬୪ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରି ନାହାନ୍ତି । ସେମାନଙ୍କ ମଧ୍ୟରୁ ଏବେ ବି ଅନେକଙ୍କର ନିଜସ୍ୱ ଘରଟିଏ ନାହିଁ ।

ଉଲ୍ଲେଖନୀୟ ଯେ ଏହି ସର୍ଭେକାର୍ଯ୍ୟ ୨୦୧୭-୧୮ ବର୍ଷରେ ହୋଇଥିବାବେଳେ ଏହା ପରେ ରାଜ୍ୟର ପ୍ରାୟ ସମସ୍ତ ପୌରାଞ୍ଚଳରେ ଜନସଂଖ୍ୟା ବଢିବାରେ ଲାଗିଛି । କାମଧନ୍ଦା ଅନ୍ୱେଷଣରେ ଲକ୍ଷାଧିକ ଲୋକ ସହରାଞ୍ଚଳକୁ ପଳାଇ ଆସୁଛନ୍ତି । ତେଣୁ ବର୍ତ୍ତମାନ ପୌରାଞ୍ଚଳରେ ପକ୍କାଘର କିମ୍ବା ଆଦୌ ଘର ନଥିବା ପରିବାର ସଂଖ୍ୟା ଢେର ଅଧିକ ହୋଇଥିବା ଆକଳନ କରାଯାଉଛି ।

ତେବେ ବିଧାୟକ ନାଉରୀ ନାୟକଙ୍କ ଅନ୍ୟଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ସମସ୍ତ ମ୍ୟୁନିସିପାଲଟି ଓ ଏନ୍‍ଏସିରେ ବର୍ତ୍ତମାନ ସୁଦ୍ଧା ୧୭୨୫ଟି ବସ୍ତିରେ ଡ୍ରୋନ ଦ୍ୱାରା ସର୍ବେକ୍ଷଣ ହୋଇ ୧,୭୨,୬୫୬ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ସେହିସବୁ ହିତାଧିକାରୀଙ୍‍କୁ ଭୂମି ପ୍ରମାଣପତ୍ର ଅନୁମୋଦନ କରାଯାଇଛି । କେବଳ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୧୭୧ଟି ବସ୍ତିରେ ୩୪,୪୦୨ ଭୂମିହୀନ ପରିବାର ବସବାସ କରୁଥିବା ମନ୍ତ୍ରୀ ତାଙ୍କ ଉତ୍ତରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)