Home Election ର୍ନିଦ୍ୱନ୍ଦରେ ନିର୍ବାଚିତ ପ୍ରାର୍ଥୀ ସବୁ କେଉଁ ଦଳର?

ର୍ନିଦ୍ୱନ୍ଦରେ ନିର୍ବାଚିତ ପ୍ରାର୍ଥୀ ସବୁ କେଉଁ ଦଳର?

ଭୁବନେଶ୍ୱର : ଓଡ଼ିଶାରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ୩୬,୯୭୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ବିଜେଡିର ସମର୍ଥିତ ବୋଲି ଦଳର ନେତାମାନେ ଖୋଲାଖୋଲି ଭାବେ କହୁଥିବା ବେଳେ ଅନ୍ୟ କୌଣସି ଦଳ ପକ୍ଷରୁ ଏଯାବତ୍‍ ତାହାର ପ୍ରତିବାଦ କରାଯାଇନାହିଁ ।

ରାଜ୍ୟର ୮୫୩ଟି ଜିଲ୍ଲା ପରିଷଦ ଜୋନ୍‍ ମଧ୍ୟରୁ କୋରାପୁଟ ଜିଲ୍ଲାର ପଟାଙ୍ଗୀ ଅନ୍ତର୍ଗତ କୋଟିଆ ଅଞ୍ଚଳରେ ସର୍ବଦଳୀୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପରିପ୍ରେକ୍ଷୀରେ ସେଠାରେ ବିଜେଡି, ବିଜେପି, କଂଗ୍ରେସ ସମେତ ଅନ୍ୟ କୌଣସି ଦଳର ଦଳୀୟ ପ୍ରାର୍ଥୀ ନଥିଲେ ବି ସର୍ବଦଳୀୟ ପ୍ରାର୍ଥୀଙ୍କୁ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ମୁକାବିଲା କରିବାକୁ ପଡୁଛି ।

ଏହାଛଡା ବରଗଡ ଜିଲ୍ଲାର ଅମ୍ବାବନା ବ୍ଲକ୍‍ର ୨ ନମ୍ବର ଜୋନ୍‍ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ କଳ୍ପନା ପ୍ରଧାନ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତା ହୋଇ ବିଜେଡି ପାଇଁ ଏହି ନିର୍ବାଚନରେ ପ୍ରଥମ ବିଜୟ ଆଣିଛନ୍ତି । କଳ୍ପନା ପଛୁଆ ବର୍ଗର ମହିଳା ବୋଲି କୁହାଯାଉଛି । ତେବେ ଏହି ଜୋନରୁ ତାଙ୍କ ବିରୋଧରେ ଲଢ଼ିବା ପାଇଁ ବିଜେପି, କଂଗ୍ରେସ ସମେତ ଅନ୍ୟ କୌଣସି ଦଳର କିମ୍ବା ସ୍ୱାଧୀନ ପ୍ରାର୍ଥୀ କାହିଁକି ରହିଲେ ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ୩୧୪ଟି ବ୍ଲକ୍‍ର ୬୭୯୪ ପଞ୍ଚାୟତ ମଧ୍ୟରୁ ଢ଼ିଙ୍କିଆକୁ ବାଦ୍‍ ଦେଲେ ଅନ୍ୟ ସବୁଠି ନିର୍ବାଚନ ହେଉଛି । ଏହି ପଞ୍ଚାୟତଗୁଡିକରେ ୩୨୬ଜଣ ସମିତି ସଦସ୍ୟ ପ୍ରାର୍ଥୀ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଥିବାରୁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ଦଖଲ କ୍ଷେତ୍ରରେ ଏହି ବିଜୟୀ ପ୍ରାର୍ଥୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।

ସେହିଭଳି ଏହି ପଞ୍ଚାୟତଗୁଡିକରେ ୧୨୬ଜଣ ସରପଞ୍ଚ ପ୍ରାର୍ଥୀ ମଧ୍ୟ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଛନ୍ତି । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ଏହି ସମିତି ସଦସ୍ୟ ଓ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ବିଜେଡି ସମର୍ଥିତ ବୋଲି ଦଳୀୟ ନେତାମାନେ ଦାବି କରୁଛନ୍ତି । ତେବେ ଏହା ଉପରେ ଏଯାବତ୍‍ ଅନ୍ୟ କୌଣସି ଦଳ ପ୍ରଶ୍ନବାଚୀ ସୃଷ୍ଟି କରିନାହାନ୍ତି ।

ସେହିଭଳି ୯୧,୮୯୦ ୱାର୍ଡମେମ୍ବର ପଦବୀରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିମଧ୍ୟରୁ ୩୬,୫୨୩ଟିରେ ୱାର୍ଡମେମ୍ବର ମାନେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବା ଘଟଣାକୁ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଗୁରୁତର ସହ ନେଉଛନ୍ତି । ଏତେ ସଂଖ୍ୟକ ୱାର୍ଡରେ କିଭଳି ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରାର୍ଥୀ ମିଳିଲେ ନାହିଁ ତାହା ବିଭିନ୍ନ ଦଳ ତୃଣମୂଳ ସଂଗଠନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୋଟାମୋଟି ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନେ ଏବେ ନିଜ ନିଜ ଅଞ୍ଚଳରେ ନିଜ ଦଳର ଓ ଦଳ ସମର୍ଥିତ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ଦ୍ୱାର ଦ୍ୱାର ବୁଲି ଭୋଟ ପ୍ରଚାର କରିବା ବେଶ୍‍ ପ୍ରଭାବଶାଳୀ ହେଉଛି ।

ଅବଶ୍ୟ କେତେକ ଜିଲ୍ଲାରେ ପ୍ରାର୍ଥୀମାନଙ୍କୁ ପ୍ରଲୋଭିତ କରି ଓ ଧମକ ଚମକ ଦେଇ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇଥିବା ଘେନି ଅଭିଯୋଗ ଥାନାରୁ ନିର୍ବାଚନ କମିଶନଙ୍କ ପର୍ଯ୍ୟନ୍ତ ବିଭିନ୍ନ ମହଲରେ ହୋଇଛି । ଏ ସଂକ୍ରାନ୍ତରେ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଅବଶ୍ୟ ତଦନ୍ତ ଚାଲିଛି । କିନ୍ତୁ ତଦନ୍ତ ସରି କାର୍ଯ୍ୟାନୁଷ୍ଠାନ ବେଳକୁ ନିର୍ବାଚନ ହୁଏତ ସରିଯାଇଥିବ ଏବଂ ନିଦ୍ୱନ୍ଦ୍ୱର୍ରେ ଜିଣିଥିବା ପ୍ରାର୍ଥୀମାନଙ୍କୁ ଆୟୁଦ୍ଧକରି ସେମାନଙ୍କ ସମର୍ଥିତ ଅନ୍ୟ ପ୍ରାର୍ଥୀମାନେ ଜିଣିବା ଅପେକ୍ଷାକୃତ ସହଜ ହେବ ବୋଲି କୁହାଯାଉଛି ।

ଏବେ ଯେତେ ପ୍ରାର୍ଥୀ ଲଢ଼େଇ ମଇଦାନରେ ଅଛନ୍ତି ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବିଜେଡି, ବିଜେପି ଓ କଂଗ୍ରେସର । ୨୦୧୨ ତୁଳନାରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଅପେକ୍ଷାକୃତ କମ୍‍ ଭୋଟ୍‍ ପାଇବା ଫଳରେ ଏହି ଦଳର ଜିଲ୍ଲା ପରିଷଦ ସଂଖ୍ୟା ୨୦ରେ ସୀମିତ ରହିଥିଲା ଏବଂ ବିଜେପି ସେତେବେଳେ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦ୍ୱିତୀୟ ସ୍ଥାନରେ ଉଭା ହେବା ପରେ ତାହାର ପ୍ରତିଫଳନ ୨୦୧୯ର ସାଧାରଣ ନିର୍ବାଚନରେ ଦେଖାଯାଇଥିଲା । ଏବେ ବିଜେଡି ସଂଖ୍ୟାଧିକ ଆସନ ଅକ୍ତିଆର ପାଇଁ ଲକ୍ଷ୍ୟ ରଖିଥିବା ବେଳେ ବିଜେପି ଓ କଂଗ୍ରେସ ପୂର୍ବାପେକ୍ଷା ଅଧିକ ଆସନରେ ଜିଣିବେ ବୋଲି ଆଶା ରଖିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here