Home Infrastructure ରେଳ କରିଡର ପ୍ରକଳ୍ପକୁ ଅଗ୍ରାଧିକାର

ରେଳ କରିଡର ପ୍ରକଳ୍ପକୁ ଅଗ୍ରାଧିକାର

ଭୁବନେଶ୍ୱର : ତାଳଚେର କୋଇଲା ଖଣି ଅଞ୍ଚଳରେ ବହୁ ଆଙ୍କାକ୍ଷିତ ରେଳ କରିଡରକୁ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏ ସଂକ୍ରାନ୍ତରେ ସମୀକ୍ଷା କରି ଖଣି ଅଞ୍ଚଳରୁ କୋଇଲା ପରିବହନ ଲାଗି କରିଡର ପ୍ରକଳ୍ପକୁ ତ୍ୱରାନ୍ୱିତ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠାରୁ ପ୍ରଥମେ କୋଇଲା ଉତ୍ତୋଳନ ହେବ ସେଠାରୁ ଅଗ୍ରାଧିକାର ଭିତ୍ତିରେ ପରିବହନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି ।

ତାଳଚେରର ବିଭିନ୍ନ କୋଇଲା ଖଣିରୁ କୋଇଲା ପରିବହନ ଲାଗି ଓଡିଶା ସରକାର ଲଜିଷ୍ଟିକ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବା ସହିତ ଏଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ଲାଗି ୨୦୦୯ ମସିହାରେ ଇଡ୍‍କୋକୁ କହିଥିଲେ । ତଦନୁଯାୟୀ ଇଡ୍‍କୋ ପକ୍ଷରୁ ରିପୋର୍ଟ, ମାଷ୍ଟର ପ୍ଲାନ ଏବଂ ଡିପିଆର ପ୍ରସ୍ତୁତି ଲାଗି ଏକାଧିକ ସଂସ୍ଥାଙ୍କୁ ନିୟୋଜନ କରାଯାଇଥିଲା । ୨୦୧୩ ମସିହାରେ ବ୍ରାହ୍ମଣୀ ରେଲୱେ ଲିମିଟେଡ ନାମରେ ଏକ ସ୍ପେଶାଲ ପର୍ପସ ଭେଇକିଲ୍‍ (ଏସ୍‍ପିଭି) ଗଠନହୋଇଥିବା ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ କରିଡର ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିଲା ଯେଉଁଥିରେ ରେଳ ଲାଇନ୍‍, ସଡକ ଏବଂ ପାଇପ୍‍ଲାଇନ୍‍ ଆଦି ରହିଛି ।

ଜୁଲାଇ ୨୦୧୫ରେ ଡିପିଆର ଚୂଡାନ୍ତ ହୋଇଥିଲା । ରେଳବାଇ ଭିତ୍ତିଭୂମି ଲାଗି ପ୍ରକଳ୍ପ ମୂଲ୍ୟ ୪୯୩୮ କୋଟି ଟଙ୍କା ଥିଲା ଯେଉଁ ଜମି ଦର ବି ସାମିଲ ରହିଥିଲା । କୋଇଲା ମନ୍ତ୍ରାଳୟର ପ୍ରୋତ୍ସାହନ ସହିତ ରାଜ୍ୟ ସରକାର କୋଇଲା ଓ ରେଲବାଇ ମନ୍ତ୍ରାଳୟ ସହିତ ୨୦୧୫ରେ ରାଜିନାମା ସ୍ୱାକ୍ଷରିତ କରିବା ସହିତ କୋଇଲା ଉତ୍ତୋଳନ ପାଇଁ ଯୁଗ୍ମ କମ୍ପାନୀ ‘ମହାନଦୀ କୋଲ ରେଲୱେ ଲିମିଟେଡ (ଏମ୍‍ସିଆରଏଲ୍‍) ଗଠନ କରିଥିଲେ । ଏଥିପାଇଁ ଏମସିଏଲ୍‍ର ୬୪%, ଆଇଆରସିଓଏନ୍‍ର ୨୬% ଏବଂ ଇଡ୍‍କୋର ୧୦% ଅଂଶଧନ ରହିଥିଲା । ଏହାପରେ ପ୍ରକଳ୍ପକୁ ଏମ୍‍ସିଆରଏଲ୍‍କୁ ହସ୍ତାନ୍ତର ପାଇଁ ନିଷ୍ପତ୍ତି ହୋଇଥିଲା ।

ଏହି ପ୍ରକଳ୍ପ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଆନ୍ତଃ ସଂଯୋଗ ମଧ୍ୟରେ ଜରପଡା, ତେନ୍ତୁଲୋଇ, କୁଟଗଡିଆ ଓ ଅନୁଗୁଳକୁ ସଂଯୋଗ କରାଯିବ । ବାହ୍ୟ ସଂଯୋଗରେ ତେନ୍ତୁଲୋଇର ଉତ୍ତର ଇଲାକା ସହ ପଶ୍ଚିମ ଏବଂ ପୂର୍ବାଞ୍ଚଳକୁ ସଂଯୋଗ କରାଯିବ । ଏମ୍‍ସିଆରଏଲ୍‍ ଆନ୍ତଃ ସଂଯୋଗୀକରଣ ପାଇଁ ଦାୟିତ୍ୱ ନେଇଥିବାବେଳେ ଏହା କାର୍ଯ୍ୟକାରୀ ହେବା କ୍ଷେତ୍ରରେ ବିଳମ୍ବ ଘଟିଥିବା ଜଣାଯାଇଛି । ତେଣୁ ରାଜ୍ୟ ସରକାର ଓ କେନ୍ଦ୍ର କୋଇଲା ମନ୍ତ୍ରାଳୟ ଏମ୍‍ସିଆରଏଲ୍‍କୁ କେବଳ ଆନ୍ତଃ ସଂଯୋଗୀକରଣ ପାଇଁ ଅନୁମତି ଦେବା ଉପରେ ଗୁରୁତ୍ୱ ଦେଉଥିବାବେଳେ ବାହ୍ୟ ସଂଯୋଗୀକରଣ ପାଇଁ ବିକଳ୍ପ ବ୍ୟବସ୍ଥା ଉପରେ ଜୋର ଦେଇଛନ୍ତି ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜମି ଅଧିଗ୍ରହଣ ଅପେକ୍ଷାକୃତ କମ୍‍ କରିବା ଉପରେ ଉନ୍ନୟନ କମିଶନର ଗୁରୁତ୍ୱଆରୋପ କରିଛନ୍ତି । କାରଣ ସଡକ ପଥରେ କୋଇଲା ପରିବହନକୁ ରୋକାଯିବା ସଂଗେ ସଂଗେ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ଆଣିବାପାଇଁ ଏହା ବିଶେଷ ସହାୟକ ହେବ । ଖଣି ମାଲିକମାନେ କନଭେୟର ବେଲ୍ଟ ଜରିଆରେ ଖଣିରୁ ରେଳୟାର୍ଡକୁ କୋଇଲା ପରିବହନ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱଆରୋପ କରାଯାଇଛି । କାରଣ ଏହାଦ୍ୱାରା ସଡକ ପଥରେ ପରିବହନ ନିୟନ୍ତ୍ରିତ ହୋଇପାରିବ । (ତଥ୍ୟ)

LEAVE A REPLY

Please enter your comment!
Please enter your name here