Home General ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କ ଭୁବନେଶ୍ୱର ଷ୍ଟେସନ ନୀରିକ୍ଷଣ

ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କ ଭୁବନେଶ୍ୱର ଷ୍ଟେସନ ନୀରିକ୍ଷଣ

ଭୁବନେଶ୍ୱର  : ରେଳ ମନ୍ତ୍ରଣାଳୟର ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସୁନୀତ ଶର୍ମା ଦିନିକିଆ  ଗସ୍ତ ସମୟରେ ଭୁବନେଶ୍ୱର ରେଳ ଷ୍ଟେସନ ନୀରିକ୍ଷଣ କରିବା ସହିତ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ,  ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ରେଳବାଇ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହ ଏହି ଅଞ୍ଚଳର ଚାଲୁରହିଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି |
 
ଭୁବନେଶ୍ୱର ରେଳ ଷ୍ଟେସନର ନୀରିକ୍ଷଣ ସମୟରେ ଶ୍ରୀ ଶର୍ମା ଯାତ୍ରୀ ମାନଙ୍କୁ  ଦିଆଯାଉଥିବା ସୁବିଧା ତଥା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଶ୍ରୀ ଶର୍ମା କହିଛନ୍ତି ଯେ ଅନେକ ଯାତ୍ରୀ ସୁବିଧା ଗୁଡିକର ପୁନଃ ବିକାଶ କରାଯାଇଥିବାବେଳେ ଅନ୍ୟ କିଛି ବିକାଶ ପ୍ରକ୍ରିୟାରେ ଅଛି | ରେଳବାଇର ଚଳପ୍ରଚଳ ବିସ୍ତୃତ ସ୍ଥାନ (ସର୍କୁଲାର କ୍ଷେତ୍ର) କଙ୍କୋର୍ସ, ପ୍ଲାଟଫର୍ମ ଆଲୋକୀକରଣ, ପ୍ରତୀକ୍ଷା କକ୍ଷ, ଶୌଚାଳୟ, ଏସ୍କାଲେଟର, ଲିଫ୍ଟ ଏବଂ ଯାତ୍ରୀମାନଙ୍କ ଆରାମଦାୟକ ପାଇଁ ଆବଶ୍ୟକ ଯାତ୍ରୀସୁବିଧା ଗୁଡିକ ପ୍ରତି ପ୍ରାଥମିକତା ଦିଆଯାଉଅଛି |  ରେଳବାଇ ପ୍ରତୀକ୍ଷା ଗୃହରେ (ୱେଟିଂ ହଲରେ) ଟ୍ରେନକୁ ଅପେକ୍ଷା କରିଥିବା କିଛି ଯାତ୍ରୀଙ୍କ ସହ ଶ୍ରୀ ଶର୍ମା ମଧ୍ୟ କଥାବାର୍ତ୍ତା କରି ଯାତ୍ରୀ ସୁବିଧା ସମ୍ବନ୍ଧରେ ପଚାରି ବୁଝିଥିଲେ |

ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ଶ୍ରୀ ଶର୍ମା କହିଛନ୍ତି ଯେ ଭୁବନେଶ୍ୱର ଷ୍ଟେସନକୁ ଏକ ବିଶ୍ୱ ସ୍ତରୀୟ ଷ୍ଟେସନରେ ବିକଶିତ କରାଯିବ | ଭୁବନେଶ୍ୱର ଷ୍ଟେସନ ପାଇଁ ପୁନଃ ବିକାଶ ଯୋଜନା ହୋଇସାରିଛି | ରେଲୱେ ବିଡିଏ ସହିତ ସମନ୍ୱୟ ରକ୍ଷା କରୁଛି ଏବଂ ଏକ ମିଳିତ ଯୋଜନା କାର୍ଯ୍ୟକ୍ଷମ ହେଉଛି | ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ରେଳ ଜମି ବିକାଶ ପ୍ରାଧିକରଣ (ଆରଏଲଡିଏ) ବିକାଶମୂଳକ କାର୍ଯ୍ୟର ରେଳବାଇ ଅଂଶର କାମ କରିବ ଏବଂ ବାକି କାମ ବିଡିଏ ଦ୍ୱାରା କରାଯିବ | ଏହି କାର୍ଯ୍ୟକୁ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି | ଏହି ପ୍ରୋଜେକ୍ଟରେ ଗୋଟିଏ ପ୍ଲାଟଫର୍ମ ଏବଂ ଦୁଇଟି ଅତିରିକ୍ତ ଲାଇନ ଯୋଗ କରାଯିବ |

ଭୁବନେଶ୍ୱର ଷ୍ଟେସନର ବିକାଶ ବ୍ୟତୀତ ଭୁବନେଶ୍ୱର ନୂତନ ରେଳ ଷ୍ଟେସନକୁ ଭୁବନେଶ୍ୱର ମୁଖ୍ୟ ଷ୍ଟେସନର ଉପ-ଟର୍ମିନାଲ ଷ୍ଟେସନ ଭାବରେ ବିକଶିତ କରାଯାଉଛି। ଓଡିଶାର ଚାଲିଥିବା ସମସ୍ତ ରେଳ ପ୍ରକଳ୍ପରେ ଜାତୀୟ ଗୁରୁତ୍ୱ ରହିଛି। ରେଳବାଇ ପ୍ରକଳ୍ପଗୁଡିକ ପାଇଁ ସମସ୍ତ ଆନୁସଙ୍ଗିକ ବିଷୟ କାର୍ଯ୍ୟକାରୀ କରାଯାଉଅଛି | ପ୍ରକଳ୍ପଗୁଡିକ ପାଇଁ ଜମି ଅଧିଗ୍ରହଣ ପାଇଁ ରେଳବାଇ ରାଜ୍ୟ ସରକାରଙ୍କଠାରୁ ସହାୟତା ନେଉଛି। |

ପରେ ଶ୍ରୀ ଶର୍ମା ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ, ରେଳବାଇର ବିଭିନ୍ନ ଵିଭଂ ଗୁଡିକର ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନଙ୍କ ସହିତ ରେଳ ସଦନ ଠାରେ ଚାଲୁ ରହିଥିବା ପ୍ରକଳ୍ପ ଗୁଡିକର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଥିଲେ |

ଭାରତୀୟ ରେଳବାଇର ସମସ୍ତ ପଣ୍ୟ ବୋଝେଇ ଜୋନ୍ ମଧ୍ୟରେ ପୂର୍ବତଟ ରେଳପଥ କ୍ରମାଗତ ଭାବେ ଶୀର୍ଷ ସ୍ଥାନ ବଜାଇ ରଖିଥିବାରୁ ଶ୍ରୀ ଶର୍ମା ପୂର୍ବ ତଟ ରେଳପଥକୁ ଅଭିନନ୍ଦନ ଜଣାଇଛନ୍ତି | ରେଳବାଇରେ ସୁରକ୍ଷା ସର୍ବପ୍ରଥମେ ପ୍ରାଥମିକତା ଦିଆଯାଉଅଛି | ଟ୍ରେନ୍ କାର୍ଯ୍ୟରେ ନିରାପତ୍ତା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି କାରଣ ଏହା ଆମର ପ୍ରାଥମିକତା ବୋଲି ଶ୍ରୀ ଶର୍ମା କହିଛନ୍ତି |

ଉଭୟ ପଣ୍ୟ ଏବଂ ଯାତ୍ରୀ ପରିବହନ ସେବା ଗୁଣବତ୍ତାକୁ ଉନ୍ନତ କରିବା ପାଇଁ ଶ୍ରୀ ଶର୍ମା କହିଛନ୍ତି ଯେ, ସୁରକ୍ଷା ଉପରେ ଧ୍ୟାନ ଦେବା, ଟର୍ମିନାଲ ବନ୍ଦୋବସ୍ତକୁ ହ୍ରାସ କରିବା, ମଧ୍ୟବର୍ତ୍ତୀ ବ୍ଲକ ସିଗନାଲିଂ ମାଧ୍ୟମରେ ଲାଇନ କ୍ଷମତା ବୃଦ୍ଧି, ସ୍ୱୟଂଚାଳିତ ବ୍ଲକ ସଙ୍କେତ ପ୍ରଣାଳୀ ଏବଂ ଆନୁସଙ୍ଗିକ କର୍ମଚାରୀ ମାନଙ୍କର ସଠିକ ପରିଚାଳନା ତଥା ପରାମର୍ଶ ପାଇଁ ବିଶେଷ ଧ୍ୟାନ ଦିଆଯିବା ଉଚିତ |

ସମୀକ୍ଷା ବୈଠକ ସମୟରେ ଶ୍ରୀ ଶର୍ମା ଉନ୍ନତ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରଣାଳୀ ପାଇଁ ପୂର୍ବତଟ ରେଳପଥକୁ ପ୍ରଶଂସା କରିଥିଲେ | ସେ କହିଛନ୍ତି ଯେ ରେଳବାଇରେ ଆମର କାର୍ଯ୍ୟ ପ୍ରତି ଆମର ମନୋଭାବ ଏବଂ ଅଖଣ୍ଡତା ପାଇଁ ଗର୍ବ କରିବା ଉଚିତ୍ | ସମସ୍ତ କର୍ମଚାରୀଙ୍କ ଯତ୍ନ ନେଇ ସେମାନଙ୍କୁ ଉତ୍ସାହିତ କରିବା ଦରକାର ଏବଂ ରେଳବାଇ ମାନବ ସମ୍ବଳ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ |

ପ୍ରକଳ୍ପ ସମୀକ୍ଷା ବୈଠକରେ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ଏବଂରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ | ୱାଲଟିୟର ଏବଂ ସମ୍ବଲପୁରର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ଏହି ବୈଠକରେ ଭିଡିଓ କନଫରେନ୍ସ ଜରିଆରେ ଅଂଶଗ୍ରହଣ କରିଥିଲେ |