Home News in Odia ରେଙ୍ଗାଲି ଦକ୍ଷିଣ କେନାଲ କାର୍ଯ୍ୟ ସମୀକ୍ଷା

ରେଙ୍ଗାଲି ଦକ୍ଷିଣ କେନାଲ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର : ଜଙ୍ଗଲ ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ସମସ୍ୟାଗୁଡ଼ିକର ଆଶୁ ସମାଧାନ କରି ରେଙ୍ଗାଲି ଦକ୍ଷିଣ କେନାଲ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ରେଙ୍ଗାଲି ଦକ୍ଷିଣ କେନାଲ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବା ଦିଗରେ ଜଙ୍ଗଲ ଜମି ଅଧିଗ୍ରହଣ ଯେପରି ବାଧକ ନହେବ, ସେଥି ନିମନ୍ତେ ସମୁଚିତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ।
ସମଲ ବ୍ୟାରେଜରୁ ବାହାରିଥିବା ଏହି କେନାଲ ଦ୍ୱାରା ରାଜ୍ୟର ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୧୪ଟି ବ୍ଲକ୍‌ର ପ୍ରାୟ ୮୪,୪୦୬ ହେକଫର ଚାଷ ଉପଯୋଗୀ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଥିବାବେଳେ ପ୍ରକଳ୍ପକୁ ଶୀଘ୍ର ସଂପୂର୍ଣ୍ଣ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।

ରାଜ୍ୟ ସରକାର ଜଳସେଚନକୁ ଅଗ୍ରାଧିକାର ପ୍ରଦାନ କରୁଥିବାବେଳେ ରେଙ୍ଗାଲି ଦକ୍ଷିଣ କେନାଲ ଦ୍ୱାରା ୪ଟି ଜିଲ୍ଲାର ଚାଷୀମାନେ ବହୁଳ ଭାବେରେ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ଜମି ଅଧିଗ୍ରହଣରେ ଉପୁଜୁଥିବା ସମସ୍ୟା ମଧ୍ୟରେ ବ୍ୟକ୍ତିଗତ ଜମି ଜଙ୍ଗଲ କିସମର ହୋଇଥିବାରୁ ହିତାଧିକାରୀମାନେ କ୍ଷତିପୂରଣ ପାଇପାରୁନାହାନ୍ତି ।

ଏହାର ଆଶୁ ସମାଧାନ ନିମନ୍ତେ ଆଇନ ଅନୁଯାୟୀ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କହିଥିଲେ । ସେହିପରି ଜଙ୍ଗଲ ଜମି ଅଧିଗ୍ରହଣ ନିମନ୍ତେ ୨୦୧୯ ମସିହାରେ ଷ୍ଟେଜ୍‌-୨ କ୍ଲିୟରାନ୍ସ ମିଳିଥିବା ସମସ୍ତ ଜଙ୍ଗଲ ଜମିକୁ ତୁରନ୍ତ ହସ୍ତାନ୍ତର କରି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ଏଥି ପାଇଁ ଆବଶ୍ୟକ ପଡ଼ୁଥିବା ସମସ୍ତ କାଗଜପତ୍ର ଡିଏଫ୍‌ଓମାନଙ୍କ ନିକଟରେ ଦାଖଲ କରିବା ପାଇଁ ରେଙ୍ଗାଲି ଦକ୍ଷିଣ କେନାଲର ନିର୍ବାହୀ ଯନ୍ତ୍ରୀମାନଙ୍କୁ କହିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଆସନ୍ତା ୧୫ ତାରିଖ ସୁଦ୍ଧା ସମସ୍ତ କାଗଜ ଡିଏଫ୍‌ଓମାନଙ୍କ ନିକଟରେ ଦାଖଲ କରାଯିବ ବୋଲି କହିଥିଲେ ।

ଏଥି ସହିତ ଜଙ୍ଗଲ ଜମି ଅଧିଗ୍ରହଣ ନିମନ୍ତେ ଦାଖଲ କରାଯାଇଥିବା ନୂତନ ପ୍ରସ୍ତାବଗୁଡ଼ିକ ଉପରେ ସବିଶେଷ ଆଲୋଚନା କରାଯାଇ ଏହି ମାସ ଶେଷ ସୁଦ୍ଧା ସମସ୍ତ ଆବଶ୍ୟକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ପି.ସି.ସି.ଏଫ୍‌ (ନୋଡାଲ୍‌) ଏବଂ ସର୍ବୋଚ୍ଚ ଯନ୍ତ୍ରୀ, ଜଳସଂପଦ କହିଥିଲେ ।

ବୈଠକରେ ପିସିସିଏଫ୍‌ ନୋଡାଲ୍‌ ଜିତେନ୍ଦ୍ର କୁମାର, ସର୍ବୋଚ୍ଚ ଯନ୍ତ୍ରୀ, ଜଳସଂପଦ ଶ୍ରୀ ଧୀରେନ୍‌ କୁମାର ସାମଲ, ଜଳସଂପଦ ବିଭାଗର ପୁନର୍ବାସ ଓ ପୁନଃଥଇଥାନ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଟ୍ଟନାୟକ, ଜାଇକା, ରେଙ୍ଗାଲି ବାମାପାଶ୍ୱର୍ କେନାଲର ମୁଖ୍ୟଯନ୍ତ୍ରୀ ତଥା ଜଙ୍ଗଲ ଜମି ଅଧିଗ୍ରହଣର ନୋଡାଲ ଅଧିକାରୀ ଦୀପ୍ତିରଂଜନ ପଣ୍ଡା, ରେଙ୍ଗାଲି ଦକ୍ଷିଣ କେନାଲର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରଦୀପ କୁମାର ପ୍ରଧାନଙ୍କ ସମେତ ରେଙ୍ଗାଲି ଦକ୍ଷିଣ କେନାଲର ବିଭିନ୍ନ ଡିଭିଜନର ନିର୍ବାହୀ ଯନ୍ତ୍ରୀ, କଟକ ଓ ଆଠଗଡ଼ ବନଖଣ୍ଡର ଡିଏଫ୍‌ଓ ଏବଂ ରେଙ୍ଗାଲି ଦକ୍ଷିଣ କେନାଲର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଯୋଗଦେଇଥିଲେ ।