Home Health ରେକର୍ଡ ରକ୍ତ ସଂଗ୍ରହ

ରେକର୍ଡ ରକ୍ତ ସଂଗ୍ରହ

ଭୁବନେଶ୍ୱର : ସାତବର୍ଷ ଧରି ରାଜ୍ୟରେ ରକ୍ତ ସଂଗ୍ରହ ଅଭିଯାନ ଚଳାଇଥିବା ଓଡ଼ିଶା ମୋ’ ପରିବାରର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଗତ ଜାନୁଆରୀ ମାସରେ ୪ ହଜାର ୟୁନିଟ୍‍ରୁ ଅଧିକ ରକ୍ତ ସଂଗ୍ରହ କରିଛି । ମୋଟ ୪୦୧୦ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଏଥିମଧ୍ୟରେ ବାଲେଶ୍ୱର ଜିଲ୍ଲା ସବୁଠାରୁ ଆଗରେ ରହିଛି ।

୨୦୧୫ ମସିହାରୁ ରାଜ୍ୟରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ନାମରେ ଓଡ଼ିଶା ମୋ’ ପରିବାର ରକ୍ତ ସଂଗ୍ରହ ଅଭିଯାନ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଏହା ଜରିଆରେ ୧,୮୭,୨୧୮ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇପାରିଛି । ବର୍ଷ ସାରା ଯୁବଗୋଷ୍ଠୀଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଏଥିରେ ସାମିଲ ହୋଇ ରକ୍ତଦାନ କରିଥାନ୍ତି ।

ଗତ ଜାନୁଆରୀ ମାସରେ ସଂଗ୍ରହ ହୋଇଥିବା ୪୦୧୦ ୟୁନିଟ୍‍ ରକ୍ତ ମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ ୮୫୪ ୟୁନିଟ୍‍ ରକ୍ତ ମିଳିଥିବା ବେଳେ ଗଞ୍ଜାମରୁ ୮୦୪, କଟକରୁ ୫୫୭, ଯାଜପୁରରୁ ୩୯୨, ଖୋର୍ଦ୍ଧାରୁ ୩୪୦, ବରଗଡରୁ ୨୨୬, ନୂଆପଡାରୁ ୧୧୫, ଭୁବନେଶ୍ୱରରୁ ୧୧୪ ଓ ରାଉରକେଲାରୁ ୧୦୮ ୟୁନିଟ୍‍ ରକ୍ତ ସଂଗ୍ରହ ହୋଇପାରିଛି ।

ସେହିଭଳି ଅନୁଗୁଳରୁ ୮୭ ୟୁନିଟ୍‍ ରକ୍ତ ମିଳିଥିବା ବେଳେ ମୟୂରଭଞ୍ଜରୁ ୭୨, ନୟାଗଡରୁ ୫୮, ସମ୍ବଲପୁରରୁ ୫୭, ପୁରୀରୁ ୫୬, ସୁନ୍ଦରଗଡରୁ ୫୦, କଳାହାଣ୍ଡିରୁ ୪୮, ଜଗତସିଂହପୁରରୁ ୨୭, ଦେବଗଡରୁ ୨୫ ଓ ବୌଦ୍ଧରୁ ୨୦ ୟୁନିଟ୍‍ ରକ୍ତ ମିଳିପାରିଛି । ଅସହାୟ ଓ ଅଭାବୀ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ମୂଳମନ୍ତ୍ର କରିଥିବା ଓଡ଼ିଶା ମୋ’ ପରିବାରର ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ବର୍ଗର ରୋଗୀଙ୍କ ପାଇଁ ବରଦାନ ସଦୃଶ ହୋଇଛି ।

ସରକାରୀ ସ୍ତରରେ ଓ ଅନ୍ୟାନ୍ୟ ଘରୋଇ ଉଦ୍ୟମରେ ଯେତେ ରକ୍ତ ସଂଗ୍ରହ କରାଯାଉଛି ତାହା ଅଧିକାଂଶ ସମୟରେ ଚାହିଦା ମେଣ୍ଟାଇ ପାରୁନାହିଁ । ଏଭଳି ସ୍ଥିତିରେ ଜୀବନବିନ୍ଦୁ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିବା ବେଳେ ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ଆଗକୁ ନେବା ପାଇଁ ଯୋଜନା ହୋଇଥିବା ଜଣାଯାଇଛି ।

ରକ୍ତ ଆବଶ୍ୟକ କରୁଥିବା ରୋଗୀ ଯେଭଳି ସୁବିଧାରେ ଏହା ପାଇପାରିବେ ସେଥିପାଇଁ ଓଡ଼ିଶା ମୋ’ ପରିବାର ପକ୍ଷରୁ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରାଯାଉଛି । ଗତ ମାସରେ ଯେତେ ରୋଗୀଙ୍କୁ ରକ୍ତ ଯୋଗାଣ ହୋଇଛି ସେଥିମଧ୍ୟରୁ ୧୭୪ଜଣଙ୍କୁ ‘ଓ’ ନେଗେଟିଭ୍‍ ଓ ଏବି ପଜିଟିଭ୍‍ ଭଳି ଦୁର୍ଲ୍ଲଭ ବର୍ଗର ରକ୍ତ ଯୋଗା ଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here