Home News in Odia ରେକର୍ଡ ପରିମାଣର ବ୍ରାଉନ୍ ସୁଗର ଓ ଗଞ୍ଜେଇ ଜବତ

ରେକର୍ଡ ପରିମାଣର ବ୍ରାଉନ୍ ସୁଗର ଓ ଗଞ୍ଜେଇ ଜବତ

ଭୁବନେଶ୍ୱର : ବ୍ରାଉନ ସୁଗର ଏବଂ ଗଞ୍ଜେଇ ଭଳି ନିଶା କାରବାର ଉପରେ ରାଜ୍ୟ ପୋଲିସ୍ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ବିଗତ କିଛି ଦିନ ଧରି ରାଜ୍ୟ ପୋଲିସ୍ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବ୍ରାଉନ୍ ସୁଗର ଏବଂ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ।

ଗତ କିଛି ବର୍ଷ ଧରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବ୍ରାଉନ୍ ସୁଗର ଜବତ୍ କରିବାରେ ସକ୍ଷମ ହୋଇଛି । ବିଗତ ୪ ବର୍ଷର ପରିସଂଖ୍ୟାନକୁ ଲକ୍ଷ୍ୟ କଲେ ୨୦୨୦ରେ ବ୍ରାଉନ୍ ସୁଗର ଜବତର ପରିମାଣ ସର୍ବାଧିକ ରହିଥିଲା ।

୨୦୧୭ରେ ୪୧୧ ଗ୍ରାମ, ୨୦୧୮ରେ ୧କେଜି୪୫ ଗ୍ରାମ,୨୦୧୯ରେ ୨କେଜି ୬୪୭ଗ୍ରାମ, ୨୦୨୦ରେ ୩୫କେଜି୬୧୬ ଗ୍ରାମ ଏବଂ ୨୦୨୧(ଅପ୍ରେଲ୍ ସୁଦ୍ଧା) ୯କେଜି ୫୦୭ ଗ୍ରାମ ବ୍ରାଉନ୍ ସୁଗର ଜବତ କରାଯାଇଛି ।

ସେହିପରି ଗଞ୍ଜେଇ ଚୋରା କାରବାର ରୋକିବା ନିମନ୍ତେ ପୋଲିସ୍ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ପୋଲିସ୍ ସଫଳତା ପାଇଥିଲା । ୨୦୧୭ରେ ୩୦୪ କ୍ୱିଂଟାଲ ୩କେଜି, ୨୦୧୮ରେ ୫୨୩ କ୍ୱିଂଟାଲ୮୯ କେଜି, ୨୦୧୯ରେ ୬୧୮ କ୍ୱିଂଟାଲ ୧୫ କେଜି ଏବଂ ୨୦୨୦ରେ ସର୍ବାଧିକ ୧୫୪୯ କ୍ୱିଂଟାଲ୮୦ କେଜି ଗଞ୍ଜେଇ ଜବତ କରାଯାଇଥିଲା ।

୨୦୨୦ ପରେ ବ୍ରାଉନ୍ ସୁଗର ଓ ଗଞ୍ଜେଇ ଜବତ କରିବାରେ ଏସ୍‌ଟିଏଫ୍ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଅଦ୍ୟାବଧି ଏସ୍‌ଟିଏଫ୍ ୧୦୦ରୁ ଉର୍ଦ୍ଧ୍ୱ ଚୋରା ବ୍ୟବସାୟୀଙ୍କୁ ଗିରଫ କରିଥିବାବେଳେ ୩୨ କେଜି ବ୍ରାଉନ୍ ସୁଗାର/ହେରୋଇନ୍ ଏବଂ ୬୬ କ୍ୱିଂଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ।

ଗତ ୩ ତାରିଖ ଦିନ ଏସ୍‌ଟିଏଫ୍ ପକ୍ଷରୁ ଜଳେଶ୍ୱର ଅଂଚଳରେ ଚଢଉ କରାଯାଇଥିଲା । ୩ଜଣ ବ୍ରାଉନ ସୁଗର ମାଫିଆଙ୍କୁ ଏସ୍‌ଟିଏଫ୍ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୨ କେଜି୬୬ ଗ୍ରାମ ବ୍ରାଉନ୍ ସୁଗର ଜବତ କରାଯାଇଛି ।

ଚଳିତବର୍ଷ ପୋଲିସକୁ ବହୁ ସଫଳତା ମିଳିଥିବାବେଳେ ବ୍ରାଉନ୍ ସୁଗର ଓ ଗଞ୍ଜେଇ କାରବାର ରୋକିବା ଲାଗି କଠୋର ଯୋଜନା ପ୍ରସ୍ତୁତ କରାଯାଇଛି ।