Home Education ରୂପାନ୍ତରିତ ହେବ ୧୦ ହଜାର ପ୍ରାଥମିକ ବିଦ୍ୟାଳୟ

ରୂପାନ୍ତରିତ ହେବ ୧୦ ହଜାର ପ୍ରାଥମିକ ବିଦ୍ୟାଳୟ

ଭୁବନେଶ୍ୱର : ଉଚ୍ଚ ବିଦ୍ୟାଳୟଗୁିକର ସଫଳ ରୂପାନ୍ତରୀକରଣ ପରେ ଏବେ ୧୦ହଜାର ପ୍ରାଥମିକ ବିଦ୍ୟାଳୟର ନବୀକରଣ କରିବାକୁ ‘ମୋ ସ୍କୁଲ’ର ୧୦ମ ପରିଚାଳନା ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ କର୍ପୋରେଟ୍‌ ଓ ଶିଳ୍ପ ସଂସ୍ଥଗୁଡ଼ିକର ସିଏସ୍‌ଆର୍‌ ପାଣ୍ଠି ସହାୟତା ଓ ପୁରାତନ ଛାତ୍ରଛାତ୍ରୀଙ୍କ ସାହାଯ୍ୟରେ ଏହି ସ୍କୁଲ୍‌ଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ ବୋଲି ‘ମୋ ସ୍କୁଲ୍‌ ଅଭିଯାନ’ ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ କହିଛନ୍ତି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍କୁଲ୍‌ଗୁଡ଼ିକର ଭିତ୍ତିଭୂମିର ତଦାରଖ କରାଯାଇ ସ୍କୁଲ୍‌ ଚୟନ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମନୋନୀତ ବିଦ୍ୟାଳୟଗୁଡ଼ିକର ସାମଗ୍ରୀକ ବିକାଶ କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ । ଆଭ୍ୟନ୍ତରୀଣ ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶରେ ଏହା ବିଶେଷ ସହାୟକ ହେବ । ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ତୃଣମୂଳସ୍ତରରେ ‘ମୋ ସ୍କୁଲ’ ଉକ୍ତ ବିଦ୍ୟାଳୟଗୁଡିକର ପ୍ରକଳ୍ପ ଅଗ୍ରଗତି, କାର୍ଯ୍ୟକାରିତା ଆଦି ତଦାରଖ କରିବ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍‌ଥି ଏସ୍‌. ଯୋଗଦେଇ କହିଲେ ମୋ ସ୍କୁଲ ଅଧୀନରେ ହେଉଥିବା ପ୍ରକଳ୍ପଗୁଡ଼ିକର ତଦାରଖର ଆବଶ୍ୟକତା ରହିଛି । ସ୍କୁଲ୍‌ ଓ ରାଜ୍ୟସ୍ତରରେ ବ୍ୟାପକ ସମୀକ୍ଷା କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରତି ଜିଲ୍ଲାରେ ‘ସ୍କୁଲ୍‌ କ୍ଲବ୍‌’ର ସୁପରିଚାଳନା ପାଇଁ ଏକ ହଜାର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ୟାଡର୍‌ ଗଠନ କରିବାକୁ ପରିଚାଳନା ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଏହି କ୍ଲବ୍‌ଗୁଡ଼ିକ କାର୍ଯ୍ୟ କରିବା ସହ ବିଭିନ୍ନ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମର ପରିଚାଳନା କରିବେ । ଏହି ପ୍ରସ୍ତାବକୁ ପ୍ରଶଂସା କରିବା ସହ ଶ୍ରୀମତୀ ବାଗ୍‌ଚୀ ଏକବିଂଶ ଶତାବ୍ଦୀର ଦକ୍ଷତା ବିକାଶର ଉପାଦାନଗୁଡ଼ିକୁ ‘ଛାତ୍ରକ୍ଲବ୍‌’ ମାଧ୍ୟମରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ ।

ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ହାଉସ୍‌ ସିଷ୍ଟମ୍‌କୁ କାର୍ଯ୍ୟକ୍ଷମ କରିବା ଦିଗରେ ମୋ ସ୍କୁଲ୍‌ ଅଭିଯାନ ସମସ୍ତ ସହଯୋଗ ଯୋଗାଇଦେବ । ଆକାଂକ୍ଷୀ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବାକୁ ଖ୍ୟାତନାମା ତଥା ସଫଳ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରେରଣାଦାୟକ ବକ୍ତୃତା ସିରିଜ୍‌ର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହରେ ୟୁଟ୍ୟìବ୍‌ରେ ପ୍ରସାରିତ ହେବ ।

ବୈଠକରେ ‘ମୋ ସ୍କୁଲ୍‌’ ସଦସ୍ୟ ସଚିବ ତଥା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ପ୍ରାରମ୍ଭିକ ସୂଚନା ଓ ଧନ୍ୟବାଦ ପ୍ରଦାନ କରିଥିଲେ । ‘ମୋ ସ୍କୁଲ୍‌ ଅଭିଯାନ’ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅମରଜିତ ଜେନା କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଖୋର୍ଦ୍ଧା ଏଡିଏମ୍‌ ଶ୍ରୀ ଏସ୍‌.ଏମ୍‌ ପ୍ରଧାନ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ଶ୍ରୀକାନ୍ତ ତରାଇ, ‘ମୋ ସ୍କୁଲ୍‌ ଅଭିଯାନ’ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମଣିପ୍ରସାଦ ମିଶ୍ରଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ ।