Home General ରାଜ୍ୟକୁ ଆଉ ୧୦ ନୂଆ ବିମାନପଥ

ରାଜ୍ୟକୁ ଆଉ ୧୦ ନୂଆ ବିମାନପଥ

ଭୁବନେଶ୍ୱର : ଉଡାନ ଯୋଜନାରେ ରାଜ୍ୟର ଆଉ ୧୦ଟି ନୂଆ ବିମାନପଥ ସାମିଲ ହେବ । କେନ୍ଦ୍ର ସରକାର ଜାରି କରିଥିବା ଟେଣ୍ଡରରେ ଓଡିଶାର ଏହିସବୁ ବିମାନପଥ ସ୍ଥାନ ପାଇଛି ।

ଏହିସବୁ ବିମାନପଥ ଗୁଡିକ ହେଲା ଭୁବନେଶ୍ୱର-ଉତକେଲା, ଉତକେଲା-ଭୁବନେଶ୍ୱର, ରାୟପୁର-ଉତକେଲା, ଉତକେଲା-ରାୟପୁର, ଜୟପୁର-ବିଶାଖାପାଟଣା, ବିଶାଖାପାଟଣା-ଜୟପୁର, ଭୁବନେଶ୍ୱର-ଅର୍ମଦାରୋଡ, ଅର୍ମଦାରୋଡ-ଭୁବନେଶ୍ୱର, ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ଏବଂ ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ, ଯିଏକି ଉଡାନ-ଆରସିଏସ୍‍ ଯୋଜନାର ସଫଳ କାର୍ଯ୍ୟକାରୀ କରୁଛନ୍ତି ଓଡିଶାର ବିମାନପଥ ସାମିଲକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି ।

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ଆରମ୍ଭ କରିଥିବା ‘ଆଜାଦୀ କି ଅମୃତ ମହୋତ୍ସବ’ ଅବସରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଡାନ ୪.୧ ଟେଣ୍ଡର ପ୍ର୍ରକ୍ରିୟାରେ ପ୍ରାୟ ୩୯୨ ବିମାନପଥକୁ ସାମିଲ ପାଇଁ ପ୍ରସ୍ତାବ ରଖିଛି । ଦେଶ ମଧ୍ୟରେ ଶସ୍ତାରେ ବିମାନ ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କର ଆରସିଏସ୍‍-ଉଡାନ ଯୋଜନା ହେଉଛି ଏକ ଫ୍ଲାଗସିପ କାର୍ଯ୍ୟକ୍ରମ । ଏହି ଯୋଜନା ଜାତୀୟ ଅର୍ଥନୀତିକୁ କ୍ରିୟାଶୀଳ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସମଗ୍ର ଦେଶରେ ବିମାନ ପରିବହନ ଭିତ୍ତିଭୂମିର ବିକାଶ ହୋଇପାରିବ ।

ବର୍ତ୍ତମାନ ସୁଦ୍ଧା ଉଡାନ ଯୋଜନାରେ ୫୬ଟି ବିମାନବନ୍ଦର, ୩୨୫ ବିମାନପଥ, ୫ଟି ହେଲିକାପ୍ଟର ଏବଂ ୨ଟି ସ୍ଥାନରେ ଜଳଉତ୍ସରୁ ବିମାନ ସେବା ସାମିଲ ହୋଇଛି । ଉଡାନ୍‍ ୪.୧ ରେ ଛୋଟ ଛୋଟ ବିମାନବନ୍ଦରକୁ ସଂଯୋଗ ସହିତ ସ୍ୱତନ୍ତ୍ର ହେଲିକାପ୍ଟର ଓ ସିପ୍ଲେନ ଉପରେ ଗୁରୁତ୍ୱ ଦିଆଯାଉଛି । ଏଥି ସହିତ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟ ସହିତ ପରାମର୍ଶ କରି ସାଗରମାଳା ସିପ୍ଲେନ ସର୍ଭିସେସ୍‍ ଯୋଜନାରେ ନୂଆ ବିମାନ ପଥ ଯୋଡିବାପାଇଁ ପ୍ରସ୍ତାବ ରହିଛି ।

ଶ୍ରୀମତୀ ପାଢୀ କହିଛନ୍ତି ଯେ ଉଡାନ ଯୋଜନାରେ ୪ ପର୍ଯ୍ୟାୟ ସଫଳ ଟେଣ୍ଡର ପରେ ଉଡାନ ୪.୧ରେ ସେହିସବୁ ବିମାନପଥକୁ ଅଗ୍ରାଧିକାର ଦିଆଯାଉଛି ଯାହା ପୂର୍ବରୁ ଏହି ଯୋଜନାରେ ସାମିଲ ହୋଇନାହିଁ । ଏହି ପ୍ରକ୍ରିୟାରେ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରମାନେ ଅନୁରୋଧ କରିଥିବା ବିମାନପଥ ସହିତ ପୂର୍ବରୁ ବାତିଲ ହୋଇଥିବା ବିମାନପଥକୁ ସାମିଲ କରାଯାଉଛି । ଅଧିକ ଚାହିଦା ରହିଥିବା ଦ୍ୱି ସ୍ତରୀୟ ଏବଂ ତ୍ରି ସ୍ତରୀୟ ବିମାନପଥକୁ ଅନୁଧ୍ୟାନ କରାଯାଉଥିବା ସେ ସୂଚନା ଦେଇଛନ୍ତି । ଏହାଦ୍ୱାରା ଆମ ଦେଶରେ ବିମାନ ସଂଯୋଗକୁ ଅଧିକ ମଝବୁତ କରିହେବ ।

ଓଡିଶା ସରକାର ଭୁବନେଶ୍ୱର-ଅର୍ମଦାରୋଡ ଓ ଭୁବନେଶ୍ୱର-ରଙ୍ଗେଇଲୁଣ୍ଡା ବିମାନପଥ ପାଇଁ ଅନୁରୋଧ କରିଛନ୍ତି । ତେଣୁ ଏହି ଦୁଇ ବିମାନପଥକୁ ଉଡାନ ୪.୧ରେ ସାମିଲ କରାଯାଉଥିବା ସୂଚନା ମିଳିଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉଡାନ ୪.୧ ରେ ଛୋଟ ଛୋଟ ସହର/ ବିମାନବନ୍ଦର କୁ ସଂଯୋଗ ପାଇଁ ବିମାନ କମ୍ପାନୀଗୁଡିକ ଲାଗି କୋହଳ ବ୍ୟବସ୍ଥା ହେବ । ଟେଣ୍ଡର ପ୍ରକ୍ରିୟା ସେଣ୍ଟ୍ରାଲ ପ୍ରୋକ୍ୟୁରମେଣ୍ଟ ପୋର୍ଟାଲରେ ଅପଲୋଡ୍‍ ହୋଇଥିବାବେଳେ ୬ସପ୍ତାହ ମଧ୍ୟରେ ଏହା ସମାପ୍ତ ହେବବୋଲି ଆଶା କରାଯାଉଛି ।