Home News in Odia ରାଜ୍ୟରେ ଆଇପିଏସ୍‍ ସଙ୍କଟ ଗୁରୁତର

ରାଜ୍ୟରେ ଆଇପିଏସ୍‍ ସଙ୍କଟ ଗୁରୁତର

ଭୁବନେଶ୍ୱର : ଆଇପିଏସ୍‍ ଅଫିସରଙ୍କ ସଙ୍କଟ ଗୁରୁତର ହୋଇଥିଲେ ସୁଦ୍ଧା କେନ୍ଦ୍ରରୁ ଅଧିକ ସଂଖ୍ୟକ ଅଫିସର ମିଳୁନାହାନ୍ତି । ରାଜ୍ୟ ପାଇଁ ୧୯୫ଜଣ ଆଇପିଏସ୍‍ ଅଫିସର ନିଯୁକ୍ତି ଦେବାପାଇଁ କେନ୍ଦ୍ର ମଞ୍ଜୁରୀ ଦେଇଥିବାବେଳେ ମାତ୍ର ୯୩ଜଣ ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ଏହା ଅବସ୍ଥାକୁ ଅସମ୍ଭାଳ କରିପକାଇଲାଣି ।

ସର୍ବଶେଷ ସମୀକ୍ଷାରୁ ଜଣାପଡିଛି ଯେ କେନ୍ଦ୍ର ସରକାର ଓଡିଶା ପାଇଁ ୧୯୫ ଆଇପିଏସ୍‍ ପଦବୀ ମଞ୍ଜୁର କରିଛନ୍ତି । ଏଥିରୁ ସିଧାସଳଖ ୧୩୬ଜଣଙ୍କୁ ନିଯୁକ୍ତି ଦିଆଯାଇଥାଏ ଓ ୫୯ଟି ପଦବୀ ପଦୋନ୍ନତି ପୂରଣ କରାଯାଇଥାଏ । ତେବେ ପଦୋନ୍ନତି ଭିତ୍ତିରେ ପୂରଣ ପାଇଁ ଥିବା ସମସ୍ତ ୫୯ଟି ପଦବୀ ଖାଲିପଡିଛି । ଏହା ସାଙ୍ଗକୁ ୧୧୯ ଜଣ ବିଭିନ୍ନ ପଦ ପଦବୀରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୬ଜଣ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କରୁଛନ୍ତି । ଏହା ଗୁରୁତର ସଙ୍କଟ ସୃଷ୍ଟି କରୁଛି ।

ମାଓ କାର୍ଯ୍ୟକଳାପ ବୃଦ୍ଧି ସହିତ ଜିଲ୍ଲା ସ୍ତରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାପାଇଁ ଯୁବ ଆଇପିଏସ୍‍ ଅଫିସରଙ୍କ ଅଭାବ ରହିଛି । ନିକଟରେ ମନ୍ତ୍ରଣାଳୟ ପକ୍ଷରୁ ଓଡିଶାକୁ ୪ଜଣ ଆଇପିଏସ୍‍ ଅଫିସର ପଠାଯାଇଛି, ଯେତେବେଳେ କି ୨୦୧୯ ଲୋକ ସେବା ପରୀକ୍ଷାରୁ ଉତ୍ତୀର୍ଣ୍ଣ ୧୦ଜଣ ଆଇପିଏସ୍‍ ପଠାଇବାକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ ।

୨୦୧୦ ଠାରୁ ଓଡିଶାରେ ଏସ୍‍ପି ସ୍ତରରେ କାର୍ଯ୍ୟରତ ଆଇପିଏସ୍‍ ଅଧିକାରୀଙ୍କ ଅଭାବ ବଢିବାରେ ଲାଗିଛି ଏବଂ ପ୍ରତିବର୍ଷ ୧୫ଜଣ ଆଇପିଏସ୍‍ ଅଫିସର ପଠାଇବାକୁ କେନ୍ଦ୍ରକୁ ଅନୁରୋଧ କରାଯାଉଛି । ହେଲେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଆବଶ୍ୟକତା ଅନୁଯାୟୀ ଆଇପିଏସ୍‍ ଅଫିସର ପଠାଯାଉନାହିଁ । ୨୦୧୧ ଲୋକସେବା ପରୀକ୍ଷାରୁ ଉତ୍ତୀର୍ଣ୍ଣ ୪ଜଣ ଆଇପିଏସ୍‍ ଓଡିଶାକୁ ମିଳିଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଓଡିଶା କ୍ୟାଡର ଛାଡି ଆଇଏଏସ୍‍ ଓ ଆଇଆରଏସ୍‍ରେ ଯୋଗ ଦେଇଥିଲେ । ଅନୁରୂପ ଭାବେ ୨୦୧୨ ରେ ଉତ୍ତୀର୍ଣ୍ଣ ୬ଜଣ ଆଇପିଏସ୍‍ ଓଡିଶାକୁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଆଇଏଏସ୍‍ରେ ଯୋଗ ଦେଇଥିଲେ ।

୨୦୧୩ ମସିହାରେ ଓଡିଶାକୁ ୫ଜଣ ଆଇପିଏସ୍‍ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ ସେମାନଙ୍କ କ୍ୟାଡର ବଦଳାଇ ଅନ୍ୟ ରାଜ୍ୟକୁ ପଳାଇଥିଲେ । ୨୦୧୪ ରେ ଆସିଥିବା ୮ଜଣ ଆଇପିଏସ୍‍ଙ୍କ ମଧ୍ୟରୁ ଜଣେ ଆଇଏଏସ୍‍ରେ ଯୋଗ ଦେଇଥିଲେ । ବର୍ଷକୁ ୧୫ଜଣ ଆଇପିଏସ୍‍ ପଠାଇବା ଅନୁରୋଧକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଗ୍ରାହ୍ୟ କରିଦେବାପରେ ଗତ ୫ବର୍ଷ ହେଲା ଓଡିଶା ସରକାର ପ୍ରତିବର୍ଷ ଅତି କମ୍‍ରେ ୧୦ଜଣ ଆଇପିଏସ୍‍ ପଠାଇବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଅନୁରୋଧ କରିଆସୁଛନ୍ତି ।

ହେଲେ ୨୦୧୫ ପରୀକ୍ଷାରୁ ଉତ୍ତୀର୍ଣ୍ଣଙ୍କ ମଧ୍ୟରୁ ମାତ୍ର ୪ଜଣ ଓଡିଶାକୁ ଦିଆଯାଇଥିବାବେଳେ ୨୦୧୬ ଓ ୨୦୧୭ ରେ ଏହି ସଂଖ୍ୟା ୩କରି ଥିଲା । ୨୦୧୮ ରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଓଡିଶାକୁ ୫ଜଣ ଆଇପିଏସ୍‍ ମଞ୍ଜୁର କରିଥିବାବେଳେ ରାଜ୍ୟ ପୁଲିସ୍‍ ବିଭାଗରେ ଏବେ ଗୁରୁତର ଆଇପିଏସ୍‍ ସଙ୍କଟ ସୃଷ୍ଟି ହୋଇଛି । ଏତେ ସଂଖ୍ୟାରେ ଆଇପିଏସ୍‍ ପଦବୀ ଖାଲି ସହିତ ଯୁବ ଅଫିସରଙ୍କ ଅଭାବକୁ ଦୃଷ୍ଟିରେ ରଖି ସ୍ଥିତି ସମ୍ଭାଳିବାପାଇଁ ଅଧିକ ସଂଖ୍ୟାରେ ଆଇପିଏସ୍‍ ପଠାଇବାକୁ ଓଡିଶା ସରକାର ପୁଣିଥରେ କେନ୍ଦ୍ରକୁ ଅନୁରୋଧ କରିଥିବା ଜଣାଯାଇଛି । (ତଥ୍ୟ)