Home Administration ରାଜ୍ୟମାନେ ପରସ୍ପରର ସଫଳ ପ୍ରୟାସକୁ କାର୍ଯ୍ୟକାରୀ କରିବା ଉଚିତ୍

ରାଜ୍ୟମାନେ ପରସ୍ପରର ସଫଳ ପ୍ରୟାସକୁ କାର୍ଯ୍ୟକାରୀ କରିବା ଉଚିତ୍

ଭୁବନେଶ୍ୱର : ମୋଦୀ ସରକାର ‘ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନ’ ଦୃଷ୍ଟିକୋଣ ସହିତ ପ୍ରଶାସନିକ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି। ଉତ୍ତରଦାୟୀ ପ୍ରଶାସନ ସହିତ ପ୍ରଯୁକ୍ତିର ସର୍ବୋତ୍ତମ ଉପଯୋଗ ଜରିଆରେ ନାଗରିକଙ୍କ ଜୀବନରେ ସରକାରୀ ହସ୍ତକ୍ଷେପ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ।

ଭୁବନେଶ୍ୱର ଠାରେ ‘ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ’ ଉପରେ ଆୟୋଜିତ ଏକ ଦୁଇଦିନିଆ ଆଞ୍ଚଳିକ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଉଦବୋଧନ ଦେଇ ଡ. ସିଂ କହିଥିଲେ ଯେ, ନାଗରିକ କୈନ୍ଦ୍ରିକ ସରକାର ମୋଦୀ ସରକାରଙ୍କ ପ୍ରଶାସନିକ ମଡେଲର କେନ୍ଦ୍ରରେ ରହିଛି।

ପ୍ରଶାସନିକ କ୍ଷେତ୍ରରେ ରାଜ୍ୟମାନେ ପରସ୍ପରର ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବା ଉଚିତ୍ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଭାରତ ସରକାରଙ୍କ ସ୍ତରରେ ଅଣାଯାଇଥିବା ପରିବର୍ତ୍ତନ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରତିଫଳିତ ହେବା ଉଚିତ୍। କାରଣ ଏହାର ମୂଳ ଲକ୍ଷ୍ୟ ହେଉଛି ଏକ ଦୁର୍ନୀତିମୁକ୍ତ ଏବଂ ସ୍ବଚ୍ଛ ପ୍ରଶାସନ ଯୋଗାଇ ଦେବା।

ଗତ କିଛି ବର୍ଷ ହେବ ଅଭିଯୋଗ ସମାଧାନ ବ୍ୟବସ୍ଥା କିଭଳି ଭାବେ ସୁଦୃଢ଼ ହୋଇଛି ସେ ସମ୍ପର୍କରେ ଆଲୋକପାତ କରି ଡକ୍ଟର ସିଂ କହିଥିଲେ ଯେ, 2014ରେ ନୂଆ ସରକାର କ୍ଷମତାକୁ ଆସିବା ସମୟରେ ଅଭିଯୋଗ ସମାଧାନ ବ୍ୟବସ୍ଥାରେ କେତେକ ଦୁର୍ବଳତା ରହିଥିଲା। ଏଥିରେ ସୁଧାର ଆଣିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲା।

ସେତେବେଳେ ବାର୍ଷିକ ପାଖାପାଖି ଦୁଇ ଲକ୍ଷ ଅଭିଯୋଗ ଆସୁଥିଲା। ବର୍ତ୍ତମାନ ଏହି ସଂଖ୍ୟା ଛଅଗୁଣ ବୃଦ୍ଧି ଘଟିଛି। ସରକାର ଜନସାଧାରଣଙ୍କ ଅଭିଯୋଗ ସମାଧାନ କରିବେ ବୋଲି ,କ ବିଶ୍ବାସ ଦେଶରେ ସୃଷ୍ଟି ହୋଇଛି। ଆଜି ବିଭିନ୍ନ ବିଭାଗରେ ଅଭିଯୋଗ ସମାଧାନ ହାର 95-100% ମଧ୍ୟରେ ରହିଛି, ଯାହାକି ସନ୍ତୋଷର ବିଷୟ ବୋଲି ସେ କହିଥିଲେ।

ସାଧାରଣ ଅଭିଯୋଗର ସମାଧାନ ଲାଗି ଭାରତ ସରକାର ସିପିଗ୍ରାମ୍ସ ଭଳି ଉତ୍ତମ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। 2020-21 ବର୍ଷରେ 12ଟି ରାଜ୍ୟ ପୋର୍ଟାଲକୁ ସିପିଗ୍ରାମ୍ସ ସହିତ ଯୋଡ଼ା ଯାଇଛି। ଅନ୍ୟପକ୍ଷରେ 15ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସାଧାରଣ ଅଭିଯୋଗ ସମାଧାନ ଲାଗି ସିପିଗ୍ରାମ୍ସର ବ୍ୟବହାର କରୁଛନ୍ତି। ସେ କହିଥିଲେ, ଏକ ପୋର୍ଟାଲ ଏକ ରାଷ୍ଟ୍ର ଲକ୍ଷ୍ୟ ହାସଲ ଦିଗରେ କେନ୍ଦ୍ରୀକୃତ ସାଧାରଣ ଅଭିଯୋଗ ସମାଧାନ ଏବଂ ଅନୁଧ୍ୟାନ ବ୍ୟବସ୍ଥା (ସିପିଗ୍ରାମ୍ସ)କୁ ରାଜ୍ୟ ଅଭିଯୋଗ ପୋର୍ଟାଲଗୁଡ଼ିକ ସହିତ ସମନ୍ବିତ କରାଯାଇଛି।

ଡକ୍ଟର ସିଂ କହିଥିଲେ ଯେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ରେଳ ଟିକେଟ ବାତିଲ କ୍ଷେତ୍ରରେ ଆପେ ଆପେ ଅର୍ଥ ଫେରସ୍ତ ମିଳିଯାଉଛି, ବ୍ୟାଙ୍କ ମାଧ୍ୟମରେ ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥା ଜରିଆରେ ପେନସନ ଯୋଗାଇ ଦିଆଯାଉଛି, କୋଚଗୁଡ଼ିକୁ ସଫା କରିବା ଲାଗି ମେସିନଚାଳିତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି, ଆୟକର ରିଟର୍ଣ୍ଣର ଇ-ଭେରିଫିକେସନ କରାଯାଉଛି, 50,000 ଟଙ୍କା ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ତୁରନ୍ତ ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ ସବୁବେଳେ ପ୍ରଯୁକ୍ତିର ସର୍ବୋତ୍ତମ ଉପଯୋଗ ପ୍ରତି ଗୁରୁତ୍ବାରୋପ କରିଆସିଛନ୍ତି ଏବଂ ମନ୍ତ୍ରଣାଳୟଗୁଡ଼ିକ ଏହାକୁ ଯଥାସମ୍ଭବ ଶ୍ରେଷ୍ଠ ମାର୍ଗରେ ବ୍ୟବହାର କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

କାର୍ମିକ ଏବଂ ପ୍ରଶିକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର 2 ଏବଂ ଅକ୍ଟୋବର 31, 2021 ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଭିତରେ ଏବଂ ବାହାରେ ଏକ ବିଶେଷ ସଫେଇ ଅଭିଯାନ କରାଯାଇଥିଲା। ଏହାଫଳରେ 12 ଲକ୍ଷ ବର୍ଗଫୁଟର ଅଫିସ ସ୍ଥାନ ଖାଲି କରାଯିବା ସହିତ ଏବଂ 62 କୋଟି ଟଙ୍କାର ରାଜସ୍ବ ସଞ୍ଚୟ କରାଯାଇ ପାରିଥିଲା। କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ ଯେ, ସ୍ବାଧୀନତାର 75ତମ ବର୍ଷରେ ପାଳନ କରାଯାଉଥିବା ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ବରୂପ ଭାରତ ସରକାର “ଉତ୍ତମ ପ୍ରଶାସନ ସପ୍ତାହ” ପାଳନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ଡିସେମ୍ବର 20ରୁ 26 ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଆୟୋଜନ କରାଯିବ। ଆଞ୍ଚଳିକ ସମ୍ମିଳନୀ ସମ୍ପର୍କରେ ମତବ୍ୟକ୍ତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶୀଦାରମାନେ ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ ପ୍ରତି ଧ୍ୟାନ ଦେବା ଉଚିତ୍। କେନ୍ଦ୍ର, ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଅଭିନବ ପ୍ରଶାସନିକ ଉପାୟ କାର୍ଯ୍ୟକାରୀ କରାଗଲେ ନାଗରିକ କୈନ୍ଦ୍ରିକ ପ୍ରଶାସନ ପ୍ରତିଷ୍ଠା ହୋଇପାରିବ ଏବଂ ତୃଣମୂଳ ସ୍ତରରେ ସର୍ବନିମ୍ନ ସରକାର ଏବଂ ସର୍ବାଧିକ ପ୍ରଶାସନର ଲକ୍ଷ୍ୟ ସାକାର ରୂପ ନେଇପାରିବ।

ଭର୍ଚୁଆଲ ମାଧ୍ୟମରେ ଏହି ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସାମର୍ଥ୍ୟ ବିକାଶ, ଉତ୍ତରଦାୟୀ ହେବା, ଉଚ୍ଚସ୍ତରୀୟ ନୈତିକତା ଓ ବିଶ୍ବସନୀୟତା ବଜାୟ ରଖିବା, ସମସ୍ତ ସରକାରୀ ପଦକ୍ଷେପରେ ଲୋକାଭିମୁଖୀ ଦୃଷ୍ଟିକୋଣ ଆପଣାଇବା ଆଦି ଉତ୍ତମ ପ୍ରଶାସନର ମେରୁଦଣ୍ଡ। ଉତ୍ତମ ପ୍ରଶାସନ ହେଉଛି ବିକାଶମୂଳକ ପରିବର୍ତ୍ତନର ସର୍ବଶ୍ରେଷ୍ଠ ଉପକରଣ ଏବଂ ଆମ ସମସ୍ତଙ୍କର ଲୋକମାନଙ୍କ ପ୍ରତି ଏକ ଉତ୍ତରଦାୟିତ୍ବ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କେତେକ ଶ୍ରେଷ୍ଠ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ ଏବଂ ସେ କହିଥିଲେ ଯେ ଦେଶବ୍ୟାପୀ ଅଭିନବ ଉପାୟ ଏବଂ ଶ୍ରେଷ୍ଠ ବ୍ୟବସ୍ଥାର ବାଧାମୁକ୍ତ ବିନିମୟ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ। ଏହି ମଞ୍ଚରେ ବିଚାର ଆଲୋଚନା ମାଧ୍ୟମରେ ଡିଜିଟାଲ ସରକାର ପାଇଁ ଯେଉଁ ପରିକଳ୍ପନା କରାଯାଇଛି ତାହା ସାକାର ରୂପ ନେଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ସଚିବ ସଞ୍ଜୟ ସିଂ କହିଥିଲେ ଯେ ଏହି ଆଞ୍ଚଳିକ ସମ୍ମିଳନୀ ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନର ସର୍ବୋତ୍ତମ ଉପକରଣ ଏବଂ ଶ୍ରେଷ୍ଠ ବ୍ୟବସ୍ଥାର ଦୀର୍ଘସ୍ଥାୟୀ ପ୍ରଚଳନ ସୁନିଶ୍ଚିତ କରିବା କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇପାରିବ। ଶ୍ରେଷ୍ଠ ବ୍ୟବସ୍ଥାର ଅନୁଧ୍ୟାନ କରିବା ଏବଂ ଏହାକୁ ଦୀର୍ଘସ୍ଥାୟୀ ଢଙ୍ଗରେ ବାସ୍ତବ କ୍ଷେତ୍ରରେ ପ୍ରତିଫଳନ କରିବା ଲାଗି ଏକ ମେକାନିଜିମ ବିକଶିତ କରାଯିବାର ଆବଶ୍ୟକତା ରହିଛି।

ଶ୍ରେଷ୍ଠ ପ୍ରଚଳନରୁ ଶିକ୍ଷା ଲାଭ କରିବା ଏବଂ ଏହାକୁ କାର୍ଯ୍ୟକାରିତା କ୍ଷେତ୍ରରେ ପ୍ରତିଫଳନ କରିବା ଲାଗି ଏହି ସମ୍ମିଳନୀ ଏକ ଶ୍ରେଷ୍ଠ ମଞ୍ଚ ଯୋଗାଇ ଦେବା ସହିତ ଏହାଠାରୁ ଊର୍ଦ୍ଧ୍ବକୁ ଯାଇ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ସିଂ କହିଥିଲେ। ଏହି ସମ୍ମିଳନୀରେ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଭି. ଶ୍ରୀନିବାସ ଉପସ୍ଥିତ ଥିଲେ।

ଓଡ଼ିଶା ସରକାରଙ୍କ ଯୋଜନା ଏବଂ ସଂଯୋଜନ ବିଭାଗ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ପ୍ରଶାସନିକ କ୍ଷେତ୍ରରେ ଅଧିକ ପେସାଦାର ଆଭିମୁଖ୍ୟ ଏବଂ ଦକ୍ଷତା ଆଣିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏପରି ଏକ ସମ୍ମିଳନୀ ଆୟୋଜନ ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହା ପ୍ରଶାସନିକ କ୍ଷେତ୍ରରେ ପରସ୍ପରର ବିଚାର ବିନିମୟ ଲାଗି ଏକ ମଞ୍ଚ ଯୋଗାଇ ଦେବ ବୋଲି ସେ କହିଥିଲେ।

ଏଥିପୂର୍ବରୁ ଆଜି, ସମ୍ମିଳନୀରେ ଦୁଇଟି ଆଲୋଚନା ଅଧିବେଶନ ଆୟୋଜନ କରାଯାଇଥିଲା। ଓଡ଼ିଶାରେ ‘ଅଭିନବ ପ୍ରଶାସନିକ ପଦକ୍ଷେପ’ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଦ୍ବିତୀୟ ଅଧିବେଶନ ଏବଂ ଉଦଯାପନୀ ଅଧିବେଶନରେ ‘ଆକାଂକ୍ଷୀ ଜିଲ୍ଲା’ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ପ୍ରଥମ ଅଧିବେଶନରେ ଓଡ଼ିଶାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା ଅଧ୍ୟକ୍ଷତା କରିଥିବା ବେଳେ ଦ୍ବିତୀୟ ଅଧିବେଶନରେ ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସ୍ବତନ୍ତ୍ର ସଚିବ ଶ୍ରୀ କେ. ରାଜେଶ୍ବର ରାଓ ଅଧ୍ୟକ୍ଷତା କରିଥିଲେ।

ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ (ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଥିବା ଏହି ଦୁଇ ଦିନିଆ ଆଞ୍ଚଳିକ ସମ୍ମିଳନୀରେ ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳର 15ଟି ରାଜ୍ୟରୁ 500ରୁ ଅଧିକ ପ୍ରତିନିଧି ଉଭୟ ଭୌତିକ ଏବଂ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ। ଇ-ପ୍ରଶାସନ, ଜଳ ଏବଂ ମୃତ୍ତିକା ସଂରକ୍ଷଣ, ଆକାଂକ୍ଷୀ ଜିଲ୍ଲା ଏବଂ ଅଭିନବ ପ୍ରଶାସନିକ ପଦକ୍ଷେପ ଆଦି ବିଭିନ୍ନ ବିଷୟବସ୍ତୁ ଉପରେ ଏହି ସମ୍ମିଳନୀରେ ବିଚାର ବିନିମୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here