Home Finance ରାଜସ୍ୱ ସଂଗ୍ରହ ୧,୬୨,୦୦୦ କୋଟି ଛୁଇଁବ

ରାଜସ୍ୱ ସଂଗ୍ରହ ୧,୬୨,୦୦୦ କୋଟି ଛୁଇଁବ

ଭୁବନେଶ୍ୱର : ନିଜସ୍ୱ ଟିକସ ରାଜସ୍ୱ ଆଦାୟର ଯେଉଁ ହାର ଜାରି ରହିଛି ଓ ଯେଭଳି ଭାବେ କେନ୍ଦ୍ରୀୟ ଭାଗ ଆସୁଛି ସେଥିରୁ ୨୦୨୨-୨୩ ବର୍ଷରେ ମୋଟ୍‍ ୧,୬୨,୦୦୦ କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି ଓଡିଶା ଆଶା ରଖିଛି ।

୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ନିଜସ୍ୱ ଟିକସ ରାଜସ୍ୱ ଆଦାୟ ୯୩,୦୦୦ କୋଟି ଛୁଇଁବ ବୋଲି ଆଶା କରାଯାଉଥିବାବେଳେ କେନ୍ଦ୍ରରୁ ୬୯,୦୦୦ କୋଟି ଟଙ୍କା ମିଳିଯିବ । ନଭେମ୍ବର ମାସ ସୁଦ୍ଧା ରାଜ୍ୟର ଆର୍ଥିକ ସ୍ଥିତି ଏହି ଦିଗକୁ ସୂଚିତ କରୁଛି ।

ଆଶା କରାଯାଉଛି ଯେ ୨୦୨୨-୨୩ ରେ କେନ୍ଦ୍ରରୁ ମୋଟ ୬୯,୦୦୦ କୋଟି ଟଙ୍କା ମିଳିବ । ଏଥିରେ କେନ୍ଦ୍ରୀୟ ଟିକସ ଅଂଶଧନ ଏବଂ ଅନୁଦାନ ରହିଛି । ନଭେମ୍ବର ୩୦ ସୁଦ୍ଧା କେନ୍ଦ୍ରୀୟ ଭାଗ ବାବଦରେ ମୋଟ୍‍ ୩୩,୦୦୭ କୋଟି ଟଙ୍କା ମିଳିଛି । ଏହି ଅର୍ଥ ରାଜ୍ୟ ବଜେଟ୍‍ ଆକଳନର ୪୭ ପ୍ରତିଶତ ହୋଇଥିବାବେଳେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଏହା ୬୯,୦୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ବରିଷ୍ଠ ଅଧିକାରୀମାନେ ଆଶା କରୁଛନ୍ତି । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରରୁ ୬୯,୭୬୬ କୋଟି ଟଙ୍କା ମିଳିବାର ଲକ୍ଷ୍ୟ ଥିବାବେଳେ ୨୦୨୧-୨୨ ବର୍ଷରେ ଓଡିଶା କେନ୍ଦ୍ରରୁ ଏ ବାବଦରେ ୫୮,୦୫୫ କୋଟି ଟଙ୍କା ପାଇଥିଲା ।

ସର୍ବଶେଷ ପରିସଂଖ୍ୟାନ ଅନୁଯାୟୀ ନଭେମ୍ବର ୩୦ ତାରିଖ ସୁଦ୍ଧା ନିଜସ୍ୱ ଟିକସ ରାଜସ୍ୱ ଆଦାୟ ୨୮,୨୧୭ କୋଟି ଟଙ୍କା ହୋଇଛି ଯାହାକି ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୪୭,୦୦୦ କୋଟି ଛୁଇଁବାର ଆଶା କରାଯାଉଛି । ଚଳିତ ଆର୍ଥିକ ବର୍ଷର ବଜେଟ୍‍ରେ ଏଥିପାଇଁ ୪୬,୦୦୦ କୋଟି ଟଙ୍କା ଆକଳନ କରାଯାଇଛି । ତେଣୁ ଏ କ୍ଷେତ୍ରରେ ସାମାନ୍ୟ ଅଭିବୃଦ୍ଧି ଘଟିବ ବୋଲି ଅଧିକାରୀମାନେ ଆଶାନ୍ୱିତ ।

ଅନ୍ୟ ପକ୍ଷରେ ନିଜସ୍ୱ ଅଣ ଟିକସ ରାଜସ୍ୱ ଆଦାୟ ପରିମାଣ ନଭେମ୍ବର ୩୦ ତାରିଖ ସୁଦ୍ଧା ୨୮,୨୦୪ କୋଟି ଟଙ୍କା ହୋଇଛି ଯାହାକି ବଜେଟ୍‍ ଆକଳନର ୫୯ ପ୍ରତିଶତ । ଯଦିଓ ଏହି ରାଜସ୍ୱ ଆଦାୟ ଧିମା ରହିଛି ତେବେ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୪୬,୦୦୦ କୋଟି ଛୁଇଁବ ବୋଲି ଆଶା କରାଯାଉଛି । ବଜେଟ୍‍ରେ ଏଥିପାଇଁ ୪୮,୨୦୦ କୋଟି ଟଙ୍କାର ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

ତେଣୁ ନଭେମ୍ବର ଶେଷ ସୁଦ୍ଧା ରାଜ୍ୟର ମୋଟ୍‍ ରାଜସ୍ୱ ଆଦାୟ ପରିମାଣ ୫୬,୪୨୧ କୋଟି ଟଙ୍କା ହୋଇଛି ଯାହାକି ବଜେଟ୍‍ରେ ହୋଇଥିବା ୯୪,୨୦୦ କୋଟି ଟଙ୍କା ଆକଳନର ୬୦ ପ୍ରତିଶତ । ଏହି ଧାରାକୁ ଦେଖି ମୋଟ୍‍ ରାଜସ୍ୱ ଆଦାୟ ପରିମାଣ ୯୩,୦୦୦ କୋଟି ଟଙ୍କା ହେବ ବୋଲି ଆଶା କରାଯାଉଛି ।

ରାଜସ୍ୱ ଆଦାୟ ଭଲ ସ୍ଥିତିରେ ଥିବାବେଳେ ଅର୍ଥ ବ୍ୟୟ କିନ୍ତୁ ଗତ ଆର୍ଥିକ ବର୍ଷ ତୁଳନାରେ କମ୍‍ ରହିଛି । ନଭେମ୍ବର ୩୦ ତାରିଖ ସୁଦ୍ଧା ବ୍ୟୟ ପରିମାଣ ୭୯,୬୯୦ କୋଟି ଟଙ୍କା ରହିଛି ଯାହାକି ବଜେଟ୍‍ ବ୍ୟବସ୍ଥାର ମାତ୍ର ୪୩ ପ୍ରତିଶତ । ତେବେ ଗତ ଆର୍ଥିକ ବର୍ଷର ଏହି ସମୟରେ ବଜେଟ୍‍ ଆକଳନର ୪୬ ପ୍ରତିଶତ ଅର୍ଥ ବ୍ୟୟ ହୋଇପାରିଥିଲା ।

କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ୮୯୨୫ କୋଟି ଟଙ୍କା ବ୍ୟୟ ହୋଇଛି ଯାହାକି ବଜେଟ୍‍ର ୪୪ ପ୍ରତିଶତ । ସେହିଭଳି ଭିତ୍ତିଭୂମି କ୍ଷେତ୍ରରେ ୧୦,୬୮୮ କୋଟି ଅର୍ଥାତ୍‍ ୪୨ ପ୍ରତିଶତ, ସାମାଜିକ କ୍ଷେତ୍ରରେ ୩୫,୦୧୫ କୋଟି ଅର୍ଥାତ୍‍ ୪୯ ପ୍ରତିଶତ ବ୍ୟୟ ହୋଇଛି । ସାମାଜିକ କ୍ଷେତ୍ରର ବ୍ୟୟ ଅନ୍ୟ ସମସ୍ତଙ୍କ ଠାରୁ ନଭେମ୍ବର ଶେଷ ସୁଦ୍ଧା ଆଗରେ ରହିଛି । ତେବେ ଗତ ଆର୍ଥିକ ବର୍ଷର ଏହି ସମୟରେ ସାମାଜିକ କ୍ଷେତ୍ରରେ ୫୦ ପ୍ରତିଶତ ଅର୍ଥ ବ୍ୟୟ ହୋଇଥିବାବେଳେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ୪୪ ପ୍ରତିଶତ ଓ ଭିତ୍ତିଭୂମି କ୍ଷେତ୍ରରେ ୨୯ ପ୍ରତିଶତ ଅର୍ଥ ବ୍ୟୟ ହୋଇଥିଲା । (ତଥ୍ୟ)