Home Excise ଅବକାରୀ ଟିକସ ୪୦ଗୁଣ ବଢିଛି

ଅବକାରୀ ଟିକସ ୪୦ଗୁଣ ବଢିଛି

ଭୁବନେଶ୍ୱର : ଓଡିଶାରେ ନିଶାର ପ୍ରସାର ସହିତ ଅବକାରୀ ରାଜସ୍ୱ ଗତ ୨୦ବର୍ଷ ମଧ୍ୟରେ ଅନ୍ୟୁନ ୪୦ଗୁଣ ବୃଦ୍ଧି ପାଇଛି ।

ସରକାରୀ ତଥ୍ୟ ମୁତାବକ ୨୦୦୦-୦୧ ବର୍ଷରେ ଓଡିଶାର ଅବକାରୀ ରାଜସ୍ୱ ପରିମାଣ ୧୩୫.୩୫ କୋଟି ଟଙ୍କା ଥିବାବେଳେ ଏହା ବଢି ବଢି ୨୦୧୩-୧୪ ବର୍ଷରେ ୧୭୮୦.୨୯ କୋଟି ଟଙ୍କାରେ ପହଞ୍ଚିଥିଲା । କୋଭିଡ ସତ୍ୱେ ୨୦୨୦-୨୧ ବର୍ଷରେ ରାଜ୍ୟ ସରକାର ୪୦୫୩ କୋଟି ୫୧ଲକ୍ଷ ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ କରିଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୫୫୨୮ କୋଟି ୩୬ଲକ୍ଷ ଟଙ୍କାରେ ପହଞ୍ଚିଛି ।

୨୦୨୦-୨୧ ବର୍ଷରେ ଅବକାରୀ ରାଜସ୍ୱ ସଂଗ୍ରହ ପରିମାଣ ପୂର୍ବବର୍ଷ ତୁଳନାରେ ୯.୮୩ ପ୍ରତିଶତ ହ୍ରାସ ପାଇଥିବାବେଳେ ୨୦୨୧-୨୨ ବର୍ଷରେ ତାହା ପୂର୍ବବର୍ଷ ତୁଳନାରେ ୩୬.୩୮ ପ୍ରତିଶତ ବୃଦ୍ଧି ପାଇଥିଲା । ଚଳିତ ଆର୍ଥିକ ବର୍ଷର ଜୁନ୍‍ ମାସ ଶେଷ ସୁଦ୍ଧା ୧୪୯୭ କୋଟି ୯୫ଲକ୍ଷ ଟଙ୍କାର ଅବକାରୀ ରାଜସ୍ୱ ସଂଗୃହୀତ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ପରିମାଣ ୬୦୦୦ କୋଟି ଟଙ୍କାକୁ ଛୁଇଁପାରେ ବୋଲି ଆକଳନ କରାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ମଦ, ଗଞ୍ଜେଇ, ଚରସ, ହେରୋଇନ୍‍ ସମେତ ବିଭିନ୍ନ କିସମର ନିଶା କାରବାର ବଢି ଚାଲୁଛି । ଏଥିଘେନି କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଭିନ୍ନ ମହଲରେ ବାରମ୍ବାର ଉଦ୍‍ବେଗପ୍ରକାଶ ପାଉଛି । ତେବେ ନିଶା ନିବାରଣ ଅଭିଯାନ ସହ ଜଡିତ ବିଭିନ୍ନ ସଂଗଠନର ନେତାମାନେ କହୁଛନ୍ତି ଯେ ନିଶା ନିବାରଣ ପାଇଁ ସବୁ ରାଜ୍ୟଙ୍କ ସହମତି ଭିତ୍ତିରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରୁନଥିବାରୁ ନିଶାର ଅବାଧ ପ୍ରସାର ଘଟୁଛି ଏବଂ ଏହାର ପାଲରେ ଯୁବ ବର୍ଗଙ୍କ ସହିତ ସାଧାରଣ ଲୋକ ପଡୁଥିବାରୁ ବ୍ୟକ୍ତି, ପରିବାର, ସମାଜ ଓ ରାଷ୍ଟ୍ର ଉପରେ ତାହାର ସିଧାସଳଖ କୁପ୍ରଭାବ ପଡୁଛି । ବିହାର, ଗୁଜୁରାଟ, ମେଘାଳୟ ଭଳି କେତେକ ରାଜ୍ୟ ନିଶା ନିବାରଣ ଲାଗୁ କରିଥିବାବେଳେ କେରଳ ଭଳି ରାଜ୍ୟ ନିଶା ସଙ୍କୋଚନ ଉପରେ ଗୁରୁତ୍ୱ ଦେଉଛି । ତେବେ ଏ ସଂକ୍ରାନ୍ତରେ ଜାତୀୟ ନୀତି ନଥିବାରୁ ଅନ୍ୟ ରାଜ୍ୟରୁ ଏହି ରାଜ୍ୟଗୁଡିକୁ ମଦ ସମେତ ଅନ୍ୟାନ୍ୟ ଚୋରା ନିଶା ଆସୁଛି ।

ନିଶା ପ୍ରସାରଣ ଯୋଗୁଁ ରୋଗ ବ୍ୟାଧି ବଢିବା ସହିତ ସଡକ ଦୁର୍ଘଟଣା, ଆତ୍ମହତ୍ୟା ବଢୁଛି ଏବଂ ଏଥିଯୋଗୁଁ ବିଭିନ୍ନ କିସମର ଅପରାଧ ମଧ୍ୟ ଉଦବେଗଜନକ ଭାବେ ବଢି ବଢି ଚାଲୁଛି । ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ନିରାପତ୍ତା ବିଭାଗ ନିଶା ନିବାରଣ ଉପରେ ଗୁରୁତ୍ୱଆରୋପ କରୁଥିବାବେଳେ ନଅ ବର୍ଷ ତଳେ ଘୋଷିତ ରାଜ୍ୟ ଯୁବନୀତିରେ ମଧ୍ୟ ଆଲକୋହଲମୁକ୍ତ ଗ୍ରାମ ଉପରେ ଧ୍ୟାନ କେନ୍ଦ୍ରୀତ କରାଯାଇଥିଲା ।

ଓଡିଶା ସମେତ ସାରା ଦେଶରେ ଲାଇସେନ୍ସପ୍ରାପ୍ତ ନିଶା ସହିତ ଚୋରା ନିଶା ବଜାର ବୃଦ୍ଧି ପାଉଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପୁଲିସ୍‍, ଅବକାରୀ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଦି ପକ୍ଷରେ କାଠିକର ପାଠ ହେଉଛି । ଅନ୍ୟ ପକ୍ଷରେ ଚୋରା ନିଶା କାରବାର ଏବଂ ଅବକାରୀ ଆଇନ୍‍ ଉଲ୍ଲଙ୍ଘନ ଆଦି ଅଭିଯୋଗରେ ଯେତେ ମାମଲା ରୁଜୁ ହେଉଛି ସେଥିରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଛି । ନିଶା ପ୍ରସାରଣ ଯୋଗୁଁ ମହିଳା ଓ ଶିଶୁମାନେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଥିବା ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ପ୍ରାନ୍ତରେ ନିଶା ନିବାରଣ ଦାବି କରି ମହିଳାମାନେ ଆନ୍ଦୋଳନ କରିବାକୁ ଆଗଉଛନ୍ତି । (ତଥ୍ୟ)