Home Finance ରାଜସ୍ୱ ଆଦାୟ ୨୫ହଜାର କୋଟି ଟପିଲା

ରାଜସ୍ୱ ଆଦାୟ ୨୫ହଜାର କୋଟି ଟପିଲା

କରୋନା ମହାମାରୀ ସତ୍ୱେ କର୍ତ୍ତୃପକ୍ଷଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ରାଜସ୍ୱ ଆଦାୟ ପରିମାଣ ୨୫ହଜାର କୋଟି ଟଙ୍କା ଅତିକ୍ରମ କରିଯାଇଛି । ଗତ ଆର୍ଥିକବର୍ଷ ତୁଳନାରେ ଚଳିତବର୍ଷ ଏହି ପରିମାଣ ଅଧିକ ରହିଛି ।

ସର୍ବଶେଷ ରାଜସ୍ୱ ସଂଗ୍ରହ ସୂଚନା ଅନୁଯାୟୀ ଓଡିଶା ସରକାର ଅକ୍ଟୋବର ଶେଷ ସୁଦ୍ଧା ନିଜସ୍ୱ ରାଜସ୍ୱ ଆକାରରେ ୨୫,୫୭୧କୋଟି ୪୨ଲକ୍ଷ ଟଙ୍କା ସଂଗ୍ରହ କରିଛନ୍ତି । ଗତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏହି ପରିମାଣ ୨୫,୦୦୨ କୋଟି ୮୪ଲକ୍ଷ ଟଙ୍କା ଥିଲା । ନିଜସ୍ୱ ଅଣଟିକସ ଆଦାୟ କ୍ଷେତ୍ରରେ ୨୩ ପ୍ରତିଶତ ଅଭିବୃଦ୍ଧି ହୋଇଥିବାବେଳେ ଏହା ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ ସହାୟତା ହୋଇଛି । କାରଣ ବଜେଟ୍‍ରେ ଅଧିକ ଅର୍ଥ ବରାଦ ଲାଗି ସରକାର ସମ୍ବଳ ଯୋଗାଡରେ ଅଛନ୍ତି ।

ନିଜସ୍ୱ ଟିକସ ଆଦାୟ ପରିମାଣ ୬.୮୪ ପ୍ରତିଶତ ହ୍ରାସ ପାଇଥିବାବେଳେ ନିଜସ୍ୱ ଅଣ ଟିକସ ଆଦାୟ ୨୩.୪୧ ପ୍ରତିଶତ ବୃଦ୍ଧି ପାଇବା ଯୋଗୁଁ ସ୍ଥିତି ସମ୍ଭାଳି ଯାଇଛି । କରୋନା ମହାମାରୀ ଯୋଗୁଁ ଜାରି ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଯୋଗୁଁ ନିଜସ୍ୱ ଟିକସ ରାଜସ୍ୱ ଆଦାୟ ପରିମାଣ ଅକ୍ଟୋବର ପର୍ଯ୍ୟନ୍ତ ହ୍ରାସ ପାଇଛି । ତେବେ ଚଳିତମାସରେ ଏହି ରାଜସ୍ୱ ଆଦାୟ ପରିମାଣ ବଢିଥିବାରୁ ଆଗାମୀ ଦିନରେ ଟିକସ ଆଦାୟ ପରିମାଣ ବୃଦ୍ଧିର ସମ୍ଭାବନା ଦେଖାଦେଇଛି । ଗତବର୍ଷ ଅକ୍ଟୋବର ସୁଦ୍ଧା ୧୭,୪୬୯କୋଟି ୫୮ଲକ୍ଷ ଟଙ୍କାର ନିଜସ୍ୱ ଟିକସ ସଂଗ୍ରହ ହୋଇଥିବାବେଳେ ଚଳିତବର୍ଷ ଏହି ସମୟରେ ୧୬,୨୭୪କୋଟି ୮୨ଲକ୍ଷ ଟଙ୍କା ସଂଗ୍ରହ ହୋଇଛି ଯାହାକି ଗତବର୍ଷ ତୁଳନାରେ ୬.୮୪ ପ୍ରତିଶତ କମ୍‍ ।

ଷ୍ଟାମ୍ପ ଓ ପଞ୍ଜିକରଣ ଯୋଗୁଁ ରାଜସ୍ୱ ସ୍ଥିତି ସୁଧୁରିଛି । ନୂଆ ଖଣି ଲିଜ୍‍ ପଞ୍ଜିକରଣ ଯୋଗୁଁ ଅକ୍ଟୋବର ସୁଦ୍ଧା ରାଜ୍ୟ ସରକାର ୨୦୩୦ କୋଟି ୬୫ଲକ୍ଷ ଟଙ୍କାର ଟିକସ ପାଇଛନ୍ତି । ଅନ୍ୟ ପକ୍ଷରେ ୨୦୧୯ ତୁଳନାରେ ରାଜ୍ୟରେ ଅବକାରୀ ଟିକସ ୩୬ ପ୍ରତିଶତରୁ ଅଧିକ ହ୍ରାସ ପାଇଥିବାବେଳେ ମୋଟରଯାନ ଟିକସ ବି ୩୨ ପ୍ରତିଶତରୁ କମ୍‍ ଆଦାୟ ହୋଇଛି ।

ତେବେ ଜମିଜମା ରାଜସ୍ୱ ଆଦାୟ ପରିମାଣ ୧୪ ପ୍ରତିଶତ ବଢିଛି ଏବଂ ବିଦ୍ୟୁତ କ୍ଷେତ୍ରରୁ ଟିକସ ଓ ଡ୍ୟୁଟି ଆକାରରେ ବି ଅଧିକ ୧୦ ପ୍ରତିଶତ ଅଧିକ ଆଦାୟ ହୋଇଛି । ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ନିଜସ୍ୱ ଟିକସ ଓ ଅଣ ଟିକସ ରାଜସ୍ୱ ଆଦାୟ ପୂର୍ବ ସ୍ଥିତିକୁ ଫେରିବାର ସୂଚନା ଦେଇଥିବାବେଳେ ନଭେମ୍ବର ମାସରେ ଏହା ରାଜ୍ୟ ପାଇଁ ଅଧିକ ଆଶା ସଞ୍ଚାର କରିଛି ।

ଖଣି ରୟାଲିଟି କ୍ଷେତ୍ରରୁ ଗତବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ ଆୟ ହୋଇଛି । ଗତବର୍ଷ ଅକ୍ଟୋବର ଶେଷସୁଦ୍ଧା ଖଣି ରୟାଲିଟିରୁ ୬୦୭୦କୋଟି ୪୭ଲକ୍ଷ ଟଙ୍କା ମିଳିଥିବାବେଳେ ଚଳିତବର୍ଷ ଏହା ୬୬୯୩କୋଟି ୪୨ଲକ୍ଷ ଟଙ୍କା ରହିଛି । ମୋଟ୍‍ ଅଣ ଟିକସ ରାଜସ୍ୱ ଆଦାୟ ପରିମାଣ ଅକ୍ଟୋବର ଶେଷ ସୁଦ୍ଧା ୯୨୯୬କୋଟି ୬୦ଲକ୍ଷ ଟଙ୍କା ରହିଛି । ତେବେ ୨୦୧୯ର ଏହି ସମୟ ମଧ୍ୟରେ ଅଣଟିକସ ଆଦାୟ ପରିମାଣ ୭୫୩୩କୋଟି ୨୬ଲକ୍ଷ ଥିବା ଅଧିକାରୀମାନେ ସ୍ୱୀକାର କରିଛନ୍ତି ।

ରାଜ୍ୟରେ ନିଜସ୍ୱ ଟିକସ ଆଦାୟ ତ୍ୱରାନ୍ୱିତ ହୋଇଥିବାବେଳେ ବ୍ୟାଙ୍କରେ ଗଚ୍ଛିତ ଥିବା ସରକାରୀ ଅର୍ଥକୁ ଉଠାଇବାର ବ୍ୟବସ୍ଥା ହେଉଛି । ପାଖାପାଖି ୨୮୦୦ କୋଟି ଟଙ୍କା ବ୍ୟାଙ୍କରୁ ଆସିଥିବାବେଳେ ଅଧିକ ଅର୍ଥ କାଢିବା ପ୍ରକ୍ରିୟା ଜାରି ରହିଛି । ଚଳିତବର୍ଷ ଶେଷସୁଦ୍ଧା ଏହା ସାରିବାପାଇଁ ବିଭାଗ ଗୁଡିକ ଲାଗି ପଡିଛନ୍ତି ।