Home Health କେନ୍ଦ୍ର ବିଜ୍ଞପ୍ତିକୁ ଚିକିତ୍ସକ ସଂଘର ବିରୋଧ

କେନ୍ଦ୍ର ବିଜ୍ଞପ୍ତିକୁ ଚିକିତ୍ସକ ସଂଘର ବିରୋଧ

ଆୟୁଷ ଡାକ୍ତରମାନଙ୍କୁ ବିଭିନ୍ନ ଅପରେସନ ପାଇଁ ଅନୁମତି ଲାଗି ଭାରତ ସରକାରଙ୍କ ଦ୍ୱାରା ନଭେମ୍ବର ୨୦ ତାରିଖରେ ଜାରି କରାଯାଇଥିବା ଗେଜେଟ ବିଜ୍ଞପ୍ତିକୁ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଭାରତୀୟ ଚିକିତ୍ସକ ସଂଘ ତରଫରୁ ଦୃଢ ଼ବିରୋଧ କରାଯିବା ସହିତ ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରାଯିବା ପାଇଁ ସମଗ୍ର ଦେଶରେ ପ୍ରତିବାଦ କରାଯାଉଛି ।

ଏହି ବ୍ୟବସ୍ଥା ଲାଗୁ କରାଗଲେ ଏହା ଜନସାଧାରଣଙ୍କ ଚିକିତ୍ସା କ୍ଷେତ୍ରରେ ତଥା ଭାରତୀୟ ବିଜ୍ଞାନ କ୍ଷେତ୍ରରେ ଏକ ଅସ୍ୱାଭାବିକ ଏବଂ ଅଶୋଭନୀୟ ପରିସ୍ଥିତି ସୃଷ୍ଟି କରିବ ବୋଲି ଭାରତୀୟ ଚିକିତ୍ସକ ସଂଘର ଭୁବନେଶ୍ୱର ଶାଖା ତରଫରୁ ଆଜି ବିରୋଧ କରାଯାଇଛି । ସଂଘର ସମ୍ପାଦକ ଡାକ୍ତର ପ୍ରତ୍ୟୁଷ କୁମାର ରାୟ, ସଭାପତି ଡାକ୍ତର ମାଗୁଣି ବେହେରା, ଡାକ୍ତର ରାମଜୀ କ୍ଷେତ୍ରୀ, ସୁବୋଧ ଦାସ ପୂର୍ବତନ ସଭାପତି ଡାକ୍ତର ସନ୍ତୋଷ ମିଶ୍ର, ଧରଣୀ ପଣ୍ଡା, ଏସ୍‍,ଆର.ଦାସ ପ୍ରମୁଖ ହାତରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ ।

ସମ୍ପାଦକ ଡାକ୍ତର ରାୟ କହିଛନ୍ତି ଯେ ଆଜିର ସମାଜରେ ବ୍ୟକ୍ତି ବିଶେଷମାନଙ୍କର ଉପଯୁକ୍ତ ଶିକ୍ଷା ନିମନ୍ତେ ଏଲୋପ୍ୟାଥି, ଆୟୁର୍ବେଦିକ ଆଦି ଭିନ୍ନଭିନ୍ନ ବିଭାଗ ଗୁଡିକୁ ଏକତ୍ରକରି ଚିକିତ୍ସା କରାଗଲେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବହୁ ବାଧାବିଘ୍ନ ସୃଷ୍ଟିହେବ ଏବଂ ଏହାର କୁପରିଣାମ ଜନସାଧାରଣଙ୍କ ଉପରେ ପଡିବ । କାରଣ ସମସ୍ତଙ୍କର ଚିକିତ୍ସା ପ୍ରଣାଳୀ ଭିନ୍ନ ।

ଏହି ସମସ୍ତ ବିଭାଗ ଗୁଡ଼ିକୁ ନିଜସ୍ୱ ଶିକ୍ଷା ପ୍ରଣାଳୀ ଦ୍ୱାରା ରୋଗୀ ଚିକିତ୍ସା କରିବାରେ ସମସ୍ତ ସୁବିଧା ଓ ସହଯୋଗ ଏକାନ୍ତ ଆବଶ୍ୟକ । ସମୁହ ବିଭାଗଗୁଡିକ ଏକତ୍ରିତକରି ଚିକିତ୍ସା କରାଗଲେ ବହୁ ଜଟିଳ ପରିସ୍ଥିତି ସୃଷ୍ଟିହେବାର ସମ୍ଭାବନା ଥିବାରୁ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାପାଇଁ ଭାରତୀୟ ଚିକିତ୍ସକ ସଂଘ ତରଫରୁ ଦାବି କରାଯାଇଅଛି ।

ଏହି କ୍ରମରେ ଭାରତୀୟ ଚିକିତ୍ସକ ସଂଘ, ଭୂବନେଶ୍ୱର ଶାଖା ଆନୁକୂଲ୍ୟରେ ଆଧୁନିକ ଚିକିତ୍ସା ପଦ୍ଧତିର ପୃଥକ ପରିଚୟ ଏବଂ ଅସ୍ତିତ୍ୱକୁ ବଜାୟ ରଖିବାପାଇଁ ମେଡିକାଲ ଶିକ୍ଷକସଂଘ ସଂଗଠନ, ସରକାରୀ ଡାକ୍ତର, ରେସିଡେଣ୍ଟ ଡାକ୍ତର, ନର୍ସିଂହୋମଡ଼ାକ୍ତର ଆସୋସିଏସନ ଏବଂ ରାଜ୍ୟର ସମସ୍ତ ମେଡିକାଲ ଛାତ୍ର ସଂଗଠନ ତରଫରୁ ଏହାକୁ ଦୃଢ ସମର୍ଥନ ଜଣାଇଛନ୍ତି । ଡିସେମ୍ବର ୨ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ଏ ସମ୍ବନ୍ଧରେ ଆନ୍ଦୋଳନ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସଂଘ ନିଷ୍ପତ୍ତି ନେଇଛି ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଆଧୁନିକ ଚିକିତ୍ସା ବିଜ୍ଞାନର ସମସ୍ତ ବିଭାଗ ତଥା ମେଡ଼ିକାଲ ଛାତ୍ର ସଂଗଠନର ପ୍ରତିନିଧିମାନଙ୍କୁ ନେଇ ସଂଘର ସଭାପତି ଡ଼ାକ୍ତର ମାଗୁଣି ବେହେରା ଓ ସମ୍ପାଦକ ଡ଼ାକ୍ତର ପ୍ରତ୍ୟୁଷ ରାୟଙ୍କ ସଂଯୋଜନାରେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଅଛି । ଆସନ୍ତା ୧୧ ତାରିଖ ଦିନ ସମଗ୍ର ରାଜ୍ୟରେ ଅଣଜରୁରୀ ସେବାରେ ନିୟୋଜିତ ଡାକ୍ତରମାନେ ସକାଳ ୬ରୁ ସଂଧ୍ୟା ୬ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇବେ ।

କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିର ସମ୍ପୂର୍ଣ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଭାରତୀୟ ଚିକିତ୍ସକ ସଂଘ, ଭୂବନେଶ୍ୱର ଶାଖାର ସମ୍ପାଦକ ଡ଼ାକ୍ତର ରାୟ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି ।