Home Infrastructure ରାଜପଥ କାର୍ଯ୍ୟରେ ଜମି ଅଧିଗ୍ରହଣ ବାଧକ

ରାଜପଥ କାର୍ଯ୍ୟରେ ଜମି ଅଧିଗ୍ରହଣ ବାଧକ

ଭୁବନେଶ୍ୱର : ଜାତୀୟ ରାଜପଥ ନିର୍ମାଣ ଓ ସମ୍ପ୍ରସାରଣ କ୍ଷେତ୍ରରେ ଜମି ଅଧିଗ୍ରହଣ ବାଧକ ସାଜିଛି । ରାଜ୍ୟର ପ୍ରାୟ ୧୦ଟି ସ୍ଥାନରେ ଏଭଳି ସମସ୍ୟା ଦେଖା ଦେଇଥିବାବେଳେ କ୍ଷତିପୂରଣ ଅର୍ଥ ବି ବଣ୍ଟନ ହୋଇପାରୁ ନାହିଁ ।

ବିଭିନ୍ନ ରାଜପଥ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚୂଡାନ୍ତ କରିବା ସହିତ ଠିକାଦାରମାନଙ୍କୁ ଏହାର ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରିବାଲାଗି ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ କହୁଛନ୍ତି । ଏପରିକି କ୍ଷତିପୂରଣ ପ୍ରଦାନରେ ବିଳମ୍ବ ହେଉଥିବା ସଡକଗୁଡିକର କିଛି କିଛି ଅଂଶକୁ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ ଜମି ଅଧିଗ୍ରହଣ ବାବଦରେ ଯେତିକି ଅର୍ଥ ମିଳିଥିଲା ସେଥିରୁ ପ୍ରାୟ ୧୧୦ କୋଟିରୁ ଅଧିକ ଟଙ୍କା ପଡି ରହିଛି । ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ଅତି କମ୍‍ରେ ୧୦ଟି ସଡକର ନିର୍ମାଣ କାର୍ଯ୍ୟ ବାଧାପ୍ରପ୍ତ ହୋଇଥିବା ସୂଚନା ଦିଆଯାଇଛି ।

ଏହିସବୁ ସଡକଗୁଡିକ ମଧ୍ୟରେ ସୋନପୁର ଠାରୁ ମାଧପୁର ମଧ୍ୟରେ ଥିବା ୫୭ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ବାଧାପାପ୍ତ ହୋଇଛି । ଏଠାରେ ପ୍ରାୟ ଦେଢ କିଲୋମିଟର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ସେହିଭଳି ୫୭ନମ୍ବର ଜାତୀୟ ରାଜପଥର ନୟାଗଡ ଠାରୁ ଖୋରଧା, ୬୩ନମ୍ବର ଜାତୀୟ ରାଜପଥର ଚାନ୍ଦିଲି ଠାରୁ ବୋରିଗୁମା, ୪୯ ନମ୍ବର ଜାତୀୟ ରାଜପଥର ଝାରସୁୁଗୁଡା ଠାରୁ ଭୋଜପୁର ସଡକର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ସେହିଭଳି ୨୬ନମ୍ବର ଜାତୀୟ ରାଜପଥର ବଲାଙ୍ଗିର ଓ ସୋନପୁରରେ ଜମି ଅଧିଗ୍ରହଣ କାର୍ଯ୍ୟ ଆଗେଇ ପାରୁନାହିଁ । ଏଠାରେ ପ୍ରାୟ ୪କିଲୋମିଟର ରାଜପଥର ନିର୍ମାଣ କାର୍ଯ୍ୟ ଅଟକି ରହିଛି । ୨୨୦ ନମ୍ବର ଜାତୀୟ ରାଜପଥର ତିରିଙ୍ଗ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ସଡକ ସମ୍ପ୍ରସାରଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏଠାରେ ପ୍ରାୟ ୩.୫ କିଲୋମିଟର ସଡକ ନିର୍ମାଣ ହୋଇପାରୁ ନାହିଁ । ୫୯ନମ୍ବର ଜାତୀୟ ରାଜପଥର ବ୍ରହ୍ମପୁର ସହର ନିକଟରେ ପାଖପାଖି ୩ କିଲୋମିଟର ରାଜପଥର ସମାନ ଅବସ୍ଥା । ଏଠାରେ କ୍ଷତିପୂରଣ ବାବଦରେ ୫୮କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇ ସାରିଛି ।

୩୧୬ ନମ୍ବର ଜାତୀୟ ରାଜପଥର ମାଟିପଡା ଠାରେ ରାଜପଥ ଉପରେ ରେଳପୋଲ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହୋଇପାରୁ ନଥିବାରୁ କାର୍ଯ୍ୟ ଅଟକି ରହିଛି । ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ, କୋଙ୍ଗୁରୁକୋଣ୍ଡା, ପାଙ୍ଗମଆଦି ନିକଟରେ ଜମି ଅଧିଗ୍ରହଣରେ ସମସ୍ୟା ଯୋଗୁଁ ପୋଲ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ । ଅନୁରୂପ ଅବସ୍ଥା ସୃଷ୍ଟି ହୋଇଛି ଜାତୀୟ ରାଜପଥ ୨୬ ଯାଇଥିବା ବଲାଙ୍ଗିର ସହରର । ଏଠାରେ ବାଇପାସ୍‍ ନିର୍ମାଣ ବି ବିଳମ୍ବ ହେଉଛି ।

ତେବେ ଅଧିକାଂଶ ସ୍ଥାନରେ ଜଙ୍ଗଲଜମି ଅଧିଗ୍ରହଣ ଅନୁମତିରେ ବିଳମ୍ବ, ଗଛକଟା ସହିତ କ୍ଷତିପୂରଣ ବନୀକରଣ ଲାଗି ଜମି ଚିହ୍ନଟରେ ସମସ୍ୟା ଓ ସର୍ବୋପରି ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଜମି ଅଧିଗ୍ରହଣରେ ବିଳମ୍ବ ହେଉଛି । ଏଥିଯୋଗୁ ପ୍ରକଳ୍ପ ବ୍ୟୟଭାର ବି ବଢିଯାଉଛି । ତେଣୁ ଯେତେଶୀଘ୍ର କାମ ପାଇଥିବା ଠିକାଦାରମାନଙ୍କୁ ଜମି ହସ୍ତାନ୍ତର ହେବ ସେତେଶୀର୍ଘ ରାଜପଥ କାର୍ଯ୍ୟ ଆଗେଇବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । (ତଥ୍ୟ)