Home Election ପ୍ରାର୍ଥୀଙ୍କ ପ୍ରଚାରରେ ଖରା ସାଜିଛି କାଳ

ପ୍ରାର୍ଥୀଙ୍କ ପ୍ରଚାରରେ ଖରା ସାଜିଛି କାଳ

ଭୁବନେଶ୍ୱର : ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଚାରରେ ଏବେ ଖରା କାଳ ସାଜିଛି । ପ୍ରଚଣ୍ଡ ଖରା ଓ ଗରମ ଯୋଗୁଁ ପ୍ରାର୍ଥୀମାନେ ଏବେ ଦଳ ବଳ ଧରି ସକାଳ ଓ ସଞ୍ଜରେ ପ୍ରଚାରକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି । ଆସନ୍ତା ୧୪ ତାରିଖରୁ ତାତି ବଢିବା ନେଇ ସୂଚନା ଜାରି ହୋଇଥିବାରୁ ପ୍ରାର୍ଥୀମାନେ କିଭଳି ପ୍ରଚାର କରିବେ ସେହି ଚିନ୍ତାରେ ପଡିଗଲେଣି ।

ରାଜ୍ୟର ୩ଟି ମହାନଗର ନିଗମ ସହିତ ମ୍ୟୁନିସିପାଲିଟି ଓ ଏନ୍‍ଏସି ଗୁଡିକରେ ନିର୍ବାଚନ ହେଉଛି । ଆସନ୍ତା ୨୪ ତାରିଖରେ ଏଥିପାଇଁ ମତଦାନ ହେବ । ପ୍ରଥମ ଥର ପାଇଁ ମହାନଗର ନିଗମର ମେୟର ଓ ପୌର ସଂସ୍ଥାର ଅଧ୍ୟକ୍ଷମାନେ ସିଧାସଳଖ ଲଢୁଛନ୍ତି । ଚଳିତମାସ ୭ତାରିଖରୁ ମନୋନୟନପତ୍ର ଦାଖଲ ପରେ ଏବେ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ସେମାନଙ୍କ ପ୍ରଚାରରେ ଏବେ ଖରା ବାଧକ ସାଜିଛି । ଦିନ ୧୧ଟାରୁ ଟାଇଁ ଟାଇଁ ଖରାରେ ପ୍ରାର୍ଥୀଙ୍କ ସମର୍ଥକମାନେ ପ୍ରଚାରରେ ବାହାରିବାକୁ ରାଜି ନାହାନ୍ତି ।

ଏହାକୁ ଦୃଷ୍ଟିରେ ରଖି ବହୁ ପ୍ରାର୍ଥୀ ଏବେ ସକାଳୁ ସକାଳୁ ପ୍ରଚାର ଅଭିଯାନରେ ବାହାରି ପଡୁଛନ୍ତି । ପ୍ରଥମେ ସହରାଞ୍ଚଳରେ ଥିବା ପାର୍କଗୁଡିକରେ ଯାଇ ପହଞ୍ଚିବା ସହିତ ସେଠାରେ ସକାଳୁ ଚାଲିବା କିମ୍ବା ବ୍ୟାୟାମ କରିବାକୁ ଆସିଥିବା ଲୋକମାନଙ୍କୁ ଭେଟୁଛନ୍ତି । ଏହାପରେ ପାର୍କ ନିକଟରେ ଥିବା ଚାହା, ଜଳଖିଆ ଦୋକାନ ଆଦିରେ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରୁଛନ୍ତି । ପରେ ଦଳ ବଳ ସହିତ ବିଭିନ୍ନ ସାହି ଗଳି ବୁଲୁଛନ୍ତି । ହେଲେ ଦିନ ୧୧ଟା ବେଳକୁ ଯେଉଁଭଳି ଭାବେ ଖରା ମାରୁଛି ସେଥିରେ ଆଉ ପ୍ରଚାର ପାଇଁ କେହି ମଙ୍ଗୁ ନାହାନ୍ତି । ଫଳରେ ପ୍ରାର୍ଥୀମାନେ ଦଳ ବଳ ଧରି ଫେରୁଛନ୍ତି ।

ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଜାରି ରହିଥିବାରୁ ଅନେକ ପ୍ରାର୍ଥୀ ବି ପ୍ରଚାର ମଇଦାନକୁ ଓହ୍ଲାଇ ପାରୁନାହାନ୍ତି । ବିଭିନ୍ନ କାରଣ ଯୋଗୁଁ ରାଜଧାନୀ ଠାରୁ ଆରମ୍ଭ କରି ବିଭିନ୍ନ ପୌରାଞ୍ଚଳରେ ସ୍ୱାଧୀନ ଭାବେ ମନୋନୟନପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରେ ଲାଗିଛନ୍ତି । ତେଣୁ ଏଥିପାଇଁ ବହୁ ପ୍ରାର୍ଥୀ ଦ୍ୱନ୍ଦରେ ରହି ପ୍ରଚାର ଆରମ୍ଭ କରିନାହାନ୍ତି । ସେମାନଙ୍କ ହାତରେ ଆଉ ଦିନ କେଇଟା ପ୍ରଚାର ପାଇଁ ଥିବାବେଳେ ଧୂ ଧୂ ଖରା ଏବେ ସେମାନଙ୍କ ଚିନ୍ତା ବଢାଇବାରେ ଲାଗିଛି ।

ସମଗ୍ର ରାଜ୍ୟରେ ଉତ୍ତାପ ବଢି ବଢି ଚାଲିଥିବାବେଳେ ଶୁକ୍ରବାର ଦିନ ରାଜ୍ୟର ୬ଟି ଜିଲ୍ଲାର ଦିନର ସର୍ବୋଚ୍ଚ ତାପମାତ୍ରା ୩୭ଡିଗ୍ରୀ ଉପରେ ରହିଥିଲା । ଆଗାମୀ ୧୪ ତାରିଖରୁ ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ସୂଚନା ଦିଆଗଲାଣି । ତେଣୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ପରେ ଯେଉଁମାନେ ମଇଦାନରେ ରହିବେ ସେମାନେ କିଭଳି ଏହି ଖରାକୁ ମୁକାବିଲା କରି ପ୍ରଚାର ସାରିବେ ତାହା ସେମାନଙ୍କ ପାଇଁ ବହ ଆହ୍ୱାନ ହେଲାଣି । କାରଣ ନିୟମ ମୁତାବକ ୨୨ତାରିଖ ଅପରାହ୍ନ ୫ଟାରେ ପୌର ନିର୍ବାଚନ ପ୍ରଚାର କାର୍ଯ୍ୟ ସରିବା ନେଇ ପୂର୍ବରୁ ସମୟ ଧାର୍ଯ୍ୟ ହୋଇଛି । (ତଥ୍ୟ)