Home Health ରାଜଧାନୀ ଖାଦ୍ୟ ସ୍ୱାସ୍ଥ୍ୟପାଇଁ ଘାତକ

ରାଜଧାନୀ ଖାଦ୍ୟ ସ୍ୱାସ୍ଥ୍ୟପାଇଁ ଘାତକ

ଭୁବନେଶ୍ୱର : ଶରୀରର ପୁଷ୍ଟି ସାଧନ ପାଇଁ ରାଜଧାନୀରେ ମିଳୁଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀରେ ପ୍ରଚୁର ପରିମାଣର ବିଷାକ୍ତ ପଦାର୍ଥ ରହୁଥିବାରୁ ଏହା ମଣିଷ ସ୍ୱାସ୍ଥ୍ୟ ପ୍ରତି ଘାତକ ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ମହାନଗର ନିଗମ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ, ଯୋଗାଣ ଓ ପୁଲିସ୍‍ ବିଭାଗ ଖାଦ୍ୟ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ଅନେକ ଖାଉଟି ଅଭିଯୋଗ କରୁଛନ୍ତି ଯେ ରାଜଧାନୀରେ ଯେତେ ପରିମାଣର ଦୁଗ୍ଧ ବିକ୍ରି ହେଉଛି ସେଥିରୁ ଅଧିକାଂଶରେ ୟୁରିଆ ଭଳି ବିପଦଜନକ ସାର ସହିତ ଡିଟରଜେଣ୍ଟ ପାଉଡର ଓ ଅନ୍ୟାନ୍ୟ ରସାୟନିକ ପଦାର୍ଥ ମିଶୁଛି । ଏଭଳି ଅପମିଶ୍ରିତ ସିନ୍ଥେଟିକ ଦୁଗ୍ଧ କାରବାର ଦିନକୁ ଦିନ ବଢିବାରେ ଲାଗିଥିବାବେଳେ ହାତ ପାଆନ୍ତାରେ ଦୁଗ୍ଧର ମାନ ନିୟନ୍ତ୍ରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ । ବିଏମ୍‍ସିର ୱାର୍ଡ ଅଫିସ୍‍, ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟ ବେସରକାରୀ ସଂସ୍ଥାରେ ଏଭଳି ପରୀକ୍ଷଣ ସୁବିଧା ଉପଲବ୍ଧ ହେଲେ ଖାଉଟିମାନେ ବଞ୍ଚିଯାଆନ୍ତେ ।

କେବଳ ଅପମିଶ୍ରିତ ଦୁଗ୍ଧ ନୁହେଁ ଭୁବନେଶ୍ୱର ବଜାରରେ ବି ପ୍ରଚୁର ପରିମାଣର ସିନ୍ଥେଟିକ ପନିର୍‍ ଖୋଲାଖୋଲି ଭାବେ ବିକ୍ରି ହେଉଛି । ଆଗରୁ ଏଭଳି ସିନ୍ଥେଟିକ ପନିର କୋଲକତାରୁ କଟକ, ଭୁବନେଶ୍ୱର ଆଦି ସ୍ଥାନକୁ ଆସୁଥିବାବେଳେ ଧରାପଡୁଥିଲା । ଏବେ କିନ୍ତୁ ଏଭଳି ପନିର ଅନ୍ୟ ରାଜ୍ୟରୁ ଆସିବା ସହିତ ଏଠାରେ ରସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ ହୋଇ ବଜାରକୁ ଛଡାଯାଉଥିବାବେଳେ ତାହାର ଗୁଣବତ୍ତା ନିୟନ୍ତ୍ରଣ ପାଇଁ ସେମିତି କିଛି ଦୃଢ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

କେବଳ ଦୁଗ୍ଧ କି ପନିର୍‍ ନୁହେଁ, ପୁଷ୍ଟିସାଧନ ପାଇଁ ଲୋକେ ବ୍ୟବହାର କରୁଥିବା ଫଳ, ମୂଳ, ପନିପରିବାରେ ବି ଖୋଲାଖୋଲି ଭାବେ ରସାୟନିକ ପଦାର୍ଥ ବ୍ୟବହାର କରାଯାଉଛି । କଦଳୀ ଓ ଅନ୍ୟାନ୍ୟ ଫଳ ପଚାଇବା ପାଇଁ ରସାୟନିକ ସ୍ପ୍ରେ ମରାଯାଉଥିବାବେଳେ ଅନେକ ସେଓରେ ବି ସ୍ୱତନ୍ତ୍ର ଲେପ ଦିଆଯାଇ ଚକଚକିଆ କରି ରଖାଯାଉଛି ।

ପରିବାଗୁଡିକୁ ଅଧିକ ସତେଜ ଓ ଆକର୍ଷଣୀୟ ରଖିବାଲାଗି ବି ବହୁ କ୍ଷେତ୍ରରେ ରସାୟନିକ ପଦାର୍ଥ ବ୍ୟବହୃତ ହେଉଛି । ଏହାଛଡା ରୋଗ ପୋକ ଦାଉରୁ ରକ୍ଷାପାଇଁ କୋବି, ବାଇଗଣ ଭଳି ବିଭିନ୍ନ କିସମର ପରିବାରେ ମାତ୍ରାଧିକ ପରିମାଣର କୀଟନାଶକ ସିଞ୍ଚନ କରାଯାଉଛି । ଅତ୍ୟଧିକ ରସାୟନିକ ସାର ସହିତ ହରମୋନ ପ୍ରୟୋଗ କରି କେତେକ କ୍ଷେତ୍ରରେ ପରିବା ଉତ୍ପାଦନ କରାଯାଉଥିବାରୁ ତାହା ବହୁ ଦୂରାରୋଗ୍ୟ ବ୍ୟାଧିର କାରଣ ହେଉଛି ।

କେବଳ ନିରାମିଶ ସାମଗ୍ରୀ ନୁହେଁ, ବଜାରରେ ଉପଲବ୍ଧ ଅନେକ ଆମିଷ ଖାଦ୍ୟ ପଦାର୍ଥରେ ବି ଏଭଳି ବିପଦ ରହୁଛି । ଅଧିକ ଦିନ ପାଇଁ ମାଛ, ଶୁଖୁଆ ଆଦିକୁ ସଂରକ୍ଷିତ କରିବାପାଇଁ ଶବ ସଂରକ୍ଷଣରେ ବ୍ୟବହୃତ ଫର୍ମାଲିନ୍‍ର ଅପପ୍ରୟୋଗ ହେଉଥିବା ଘେନି ଅଭିଯୋଗ ଆସୁଛି । ଏହାଛଡା କୁକୁଡା, ମାଛ, ଚିଙ୍ଗୁଡି ଆଦି ଚାଷ କରିବାବେଳେ ସେଗୁଡିକୁ ଶୀଘ୍ର ବଢାଇବାପାଇଁ ଖାଦ୍ୟ ସହ ବହୁ କ୍ଷେତ୍ରରେ ହରମୋନ ଦିଆଯାଉଛି ଯାହା ମଣିଷ ଶରୀରରେ ସ୍ଳୋ ପଏଜନ ଭଳି କାର୍ଯ୍ୟ କରୁଛି ।

ବିଦେଶରୁ ଆମଦାନୀ କରାଯାଉଥିବା ଡାଲି ନାମରେ ବଜାରରେ ଏବେ ବ୍ୟାପକ ଖେସାରୀ ଡାଲି ବିକ୍ରି କରାଯାଉଥିବାବେଳେ ବିଭିନ୍ନ କିସମର ମସଲା ଓ ହଳଦୀଗୁଣ୍ଡ, ଘିଅ, ତେଲ ଆଦିରେ ବି ବ୍ୟାପକ ଅମମିଶ୍ରଣ କରାଯାଉଥିବାରୁ ତାହା ସ୍ୱାସ୍ଥ୍ୟ ପାଇଁ ଘାତକ ହେଉଛି । (ତଥ୍ୟ)