Home Education ରାଜଧାନୀ କଲେଜରେ ଅସାମାଜିକଙ୍କ ଆଡ୍ଡା

ରାଜଧାନୀ କଲେଜରେ ଅସାମାଜିକଙ୍କ ଆଡ୍ଡା

314
0

ଭୁବନେଶ୍ୱର : ରାଜଧାନୀ ସରକାରୀ ମହାବିଦ୍ୟାଳୟ ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ । ସଞ୍ଜ ନଇଁବା ତ ଦୂରରକଥା ଦିନ ଦ୍ୱିପହରରେ ଆସି କଲେଜ ପରିସୀମା ମଧ୍ୟରେ ଏହି ଯୁବକମାନେ ମଦ ଠାରୁ ଆରମ୍ଭ କରି ଗଞ୍ଜେଇ, ଚରସ ଆଦି ସେବନ କରୁଛନ୍ତି ।

କମିଶନରେଟ ପୁଲିସର ଖଣ୍ଡଗିରି ଥାନା ନିକଟରେ ରହିଛି ଏହି ସରକାରୀ ମହାବିଦ୍ୟାଳୟ । ଏଠାରେ ଯୁକ୍ତ ଦୁଇ ଠାରୁ ଆରମ୍ଭକରି ସ୍ନାତକୋତ୍ତର ପାଠ୍ୟକ୍ରମ ଥିବାରୁ ଦୈନିକ ଶହ ଶହ ଛାତ୍ରୀ ଏଠାକୁ ଅଧ୍ୟୟନପାଇଁ ଆସୁଛନ୍ତି । ଫାଟକରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ହେଲେ ଏହି ଅସାମାଜିକ ଯୁବକମାନେ କାହାକୁ ଖାତିର ନକରି କଲେଜ କ୍ୟାମ୍ପସରେ ଆସି ନିଶା ସେବନ କରିବାରେ ଲାଗୁଛନ୍ତି ।

କରୋନା ଯୋଗୁଁ କଲେଜ ବନ୍ଦ ଥିବା ସମୟରେ ଏମାନଙ୍କ ଉତ୍ପାତ ଏଠାରେ ଅଧିକ ବଢିଯାଇଛି । ଦିନ ରାତି ସବୁବେଳେ ଆସି ଦଳ ଦଳ ହୋଇ ଯୁବକମାନେ କଲେଜର ସାଇକେଲ ଷ୍ଟାଣ୍ଡରେ ଆଡ୍ଡା ଜମାଇବା ସହିତ ନିଶା ସେବନ କରୁଛନ୍ତି । ଫଳରେ ଛାତ୍ରଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣି ଷ୍ଟାଣ୍ଡରେ ସାଇକେଲ ରଖୁନାହାନ୍ତି । ସାଇକେଲ ଷ୍ଟାଣ୍ଡ ପରିସରରେ ମାଳ ମାଳ ମଦବୋତଲ ଏହାର ପ୍ରମାଣ ।

କଲେଜ ପରିସରରେ ବ୍ୟାପକ ବୃକ୍ଷ ରୋପଣ ଯୋଗୁଁ ସବୁଜ ପରିବେଶ ସୃଷ୍ଟି ହୋଇଛି । ତେବେ ଏହି ବୃକ୍ଷ ରୋପଣ ଜନିତ ଅନ୍ଧାରୁଆ ସ୍ଥାନ ଅସାମାଜିକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଲା ମାତ୍ରେ ଏମାନେ ଦଳ ଦଳ ହୋଇ ଆସି କଲେଜ ପରିସରରେ ହାଜର ହେଉଛନ୍ତି । ସୁରକ୍ଷାକର୍ମୀ ବାରଣ କଲେ ତାକୁ ନାଲିଆଖି ଦେଖାଇବାକୁ ପଛାଉ ନାହାନ୍ତି । ଏପରିକି କଲେଜ ପରିସରରେ ଅନେକ ସମୟରେ ଅଧ୍ୟାପକ ଅଧ୍ୟାପିକାଙ୍କ ସମ୍ମୁଖରେ ବିନା ଭୟରେ ନିଶା ସେବନ କରିବାକୁ ପଛାଉ ନାହାନ୍ତି ।

ଦୀର୍ଘଦିନ ଧରି କଲେଜ ବନ୍ଦ ରହିବା ପରେ ୮ତାରିଖରୁ ଖୋଲୁଛି । ତେଣୁ ପୁଲିସ୍‍ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ମତପ୍ରକାଶ ପାଉଛି । ବିଶେଷକରି ଅପରାହ୍ନ ଓ ସଂଧ୍ୟା ସମୟରେ ପୁଲିସ୍‍ ପାଟ୍ରୋଲିଂ ଗାଡି କଲେଜ ନିକଟରେ ପହଞ୍ଚିବା ସହିତ ପରିସର ଯାଞ୍ଚ କରିବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମତ ଦେଉଛନ୍ତି ।

ସହରର ମଧ୍ୟ ସ୍ଥଳରେ ଥିବା ଏହି ସରକାରୀ ମହାବିଦ୍ୟାଳୟରେ ଅସାମାଜିକଙ୍କ ଉତ୍ପାତ ଏଭଳି ସ୍ଥିତିରେ ପହଞ୍ଚିଛି ଯେ କୌଣସି ଅଘଟଣ ଆଶଙ୍କାରେ ଛାତ୍ରୀହଷ୍ଟେଲ ପଟକୁ ଥିବା ଫାଟକକୁ କର୍ତ୍ତୃପକ୍ଷ ତାଲା ପକାଇ ରଖୁଛନ୍ତି । କାରଣ ସେହି ଫାଟକ ଖୋଲିବାମାତ୍ରେ ଦଳ ଦଳ ହୋଇ ଆସାମାଜିକ ଯୁବକ ଓ ନିଶାଡିମାନେ ଦୁଇଚକିଆ ଯାନରେ ଆସି କଲେଜ ପରିସରରେ ଅବାଧରେ ଚକ୍କର କାଟୁଛନ୍ତି । ବେଳେବେଳେ ଛୋଟବଡ ଦୁର୍ଘଟଣା ବି ଘଟାଉଛନ୍ତି ।

କଳେଜ ପରିସରରେ ଆଡ୍ଡା ଜମାଉଥିବା କିଛି ଯୁବକଙ୍କ ନାଁରେ ଅପରାଧିକ ମାମଲା ଥିବାର ସୂଚନା ମିଳିଲାପରେ ସେମାନଙ୍କୁ ସାମ୍ନା କରିବାକୁ ଏବେ କଲେଜ କର୍ତ୍ତୃପକ୍ଷ ବି ଭୟ କରୁଛନ୍ତି । ତେଣୁ କମିଶନରେଟ ପୁଲିସ୍‍ ଏମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଏଠାରେ ଆଇନ୍‍ଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ବୋଲି ମତପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here